କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ବ୍ଲକରେ ମେରାଇନ କାର୍ଡ ନାମରେ ବଡ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଦଲାଲ ସକ୍ରିୟ ହେବା ସହ କାର୍ଡ କରାଇବା ନାଁରେ ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ମିଳିଥିବା ଖବର ଅନୁସାରେ ଏହି ଠକେଇ ରାଜନଗର ସଦର ମହକୁମା ସ୍ଥିତ ଦଳିତ ବସ୍ତିରେ ହୋଇଥିବାର ଦେଖିବାକୁ ମିଳିଛି। ଗୁପ୍ତି ପଞ୍ଚାୟତ ରାଜେରାଜଶ୍ବରପୁର ଗ୍ରାମର ବିମଳା ମଣ୍ଡଳ ମେରାଇନ ଅଫିସ ଠାରେ କାର୍ଯ୍ୟ କରୁଥିବା କହିବା ସହ ମେରାଇନ କାର୍ଡ କରାଇ ଦେବା ନେଇ ପ୍ରତିଶୃତି ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି କାର୍ଡ ମିଳିଲେ ପ୍ରତିବର୍ଷ ୭ ହଜାର ଟଙ୍କା ପାଇବେ। ଏହା ବ୍ୟତୀତ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଚୁଡା, ଚାଉଳ, ଅଟା, କମ୍ବଳ, ଲୁଗା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଡ ପାଇଁ ୧୪ ଶହ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଏହା ପରେ ମହିଳା ବିମଳା ମଣ୍ଡଳଙ୍କ କଥାକୁ ବିଶ୍ବାସକୁ ନେଇ କାର୍ଡ କରାଇ ଦେବା ପାଇଁ ଆବଶ୍ୟକ ପ୍ରମାଣପତ୍ର ସହ ୧୪ ଶହ ଟଙ୍କା ଦେଇଥିଲେ। ଏହି ମହିଳା ଜଣକ ରାଜନଗର ଦଳିତ ବସ୍ତିର ୪୫ ଜଣ ମହିଳାଙ୍କ ଠାରୁ ୧୪ ଶହ ଟଙ୍କା ଲେଖାଏଁ କାର୍ଡ କରାଇବା ପାଇଁ ନେଇଛନ୍ତି। ଏହି ୪୫ ଜଣଙ୍କ ମଧ୍ୟରୁ କେବଳ ଜାନକୀ ମଳିକ ଏବଂ ଅହଲ୍ୟା ମଳିକ ମହିଳା ଜଣଙ୍କ ମେରାଇନ କାର୍ଡ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ କାର୍ଡ ମେରାଇନ ଅଫିସ ଠାରେ କାର୍ଯ୍ୟ କରୁଥିବା ଚନ୍ଦ୍ର ଶେଖର ବେହେରାଙ୍କୁ ଦେଇଛନ୍ତି ଏବଂ ଏହା ଖୁବ୍ ଶୀଘ୍ର ମିଳିବ ବୋଲି କହିଥିଲେ। 


କାର୍ଡ ମିଳିବା ବିଳମ୍ବ ହେବାରୁ ମହିଳାଙ୍କ ସନ୍ଦେହ ହେବା ସହ ସେମାନେ କାର୍ଡ ରିନ୍ୟୁ କରାଇବା ପାଇଁ ମେରାଇନ ଅଫିସ ଯାଇଥିଲେ। ପରେ ସେମାନେ ଜାଣିବାକୁ ପାଇଥିଲେ ଜାନକୀ ମଳିକଙ୍କ କାର୍ଡ ଅସଲି ଏବଂ ଅହଲ୍ୟା ମଳିକଙ୍କ କାର୍ଡ ନକଲି। ଏକଥା ଜାଣିବା ପରେ ସେମାନେ ହତଚକିତ ହୋଇପଡିବା ସହ ସେମାନଙ୍କ ସନ୍ଦେହ ବଢିଥିଲା। ଦୀର୍ଘ ଦିନ ହେବ କାର୍ଡ ନହେବାରୁ ଶେଷରେ ମହିଳା, ସମ୍ପୃକ୍ତ ମହିଳାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ମହିଳା ଜଣଙ୍କ ନାନାଦି ପ୍ରକାର ବାହାନା ଦେଖାଇଥିଲେ। ଶେଷରେ ଠକାମିର ଶିକାର ହୋଇଥିବା ମହିଳା ନ୍ୟାୟ ପାଇଁ ରାଜନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଅଭିଯୋଗ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। କେବଳ ରାଜନଗର ଗ୍ରାମ ପଞ୍ଚାୟତରେ ଏଭଳି ଠକାମି ହୋଇଛି ନାଁ ବିଭିନ୍ନ ପଞ୍ଚାୟତରେ ଏଭଳି ଠକାମି ହୋଇଛି ତାହା ତଦନ୍ତ ସାପେକ୍ଷ।


ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଦଲାଲ ସକ୍ରିୟ ହେବା ସହ ସରକାରୀ ଯୋଜନା କରାଇ ଦେବା ନାମରେ ଲୋକଙ୍କୁ ଠକୁଛନ୍ତି। ତୁରନ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ଠକାମିର ଶିକାର ହୋଇଥିବା ମହିଳାଙ୍କ ଟଙ୍କା ଫେରସ୍ତ କରିବା ସହ ମେରାଇନ କାର୍ଡ କରିବା ସହ ଦଲାଲଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ବିଭାଗୀୟ ଅଧିକାରୀ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମହିଳାଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ତାହା ଦେଖିବାର ବାକି ରହିଲା।