Villagers Locked Sarpanch in Panchayat Office: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେବା ପରେ ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ହିତାଧିକାରୀ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ପଞ୍ଚାୟତ ଅଧିନସ୍ଥ ବଡକମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ ଘର ମଞ୍ଜୁର ହେଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ ଘର ରହିଛି। ଅବଶିଷ୍ଟ ୫୮ ଘର କଟିଯାଇଛି। 


COMMERCIAL BREAK
SCROLL TO CONTINUE READING

ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ଦେଖି ପକ୍ଷପାତିତା ହେଇଥିବା ଅଭିଯୋଗରେ ଗୁରୁବାର ମଧ୍ୟାନ୍ନ ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସାବିତ୍ରୀ ମୁଣ୍ଡାଙ୍କୁ ତାଲା ପକେଇ ଦେଇଛନ୍ତି ଅସନ୍ତୁଷ୍ଟ ହିତାଧିକାରୀ। ଗତ କାଲି ହରିଚନ୍ଦନପୁର ବ୍ଲକରେ ବଡକମଣ୍ଡରା ଗ୍ରାମବାସୀ ପ୍ରକୃତ ହିତାଧିକାରୀଙ୍କୁ ଯାଞ୍ଚ କରି ସେମାନଙ୍କୁ ଘର ଯୋଗେଇ ଦେବାକୁ ଦାବି କରିଥିଲେ। ହେଲେ ହରିଚନ୍ଦନପୁର ବ୍ଲକ ବିଡିଓ ଅନୁପସ୍ଥିତ ରହିଥିବାରୁ ଏବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଗ୍ରାମବାସୀ। ହେଲେ ଏବିଡିଓ ଏ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। 


କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ପରିସରରେ ହରିଚନ୍ଦନପୁର ବିଡିଓଙ୍କ ଗାଡି ଦେଖି ଲୋକେ ଗାଡିକୁ ଜଗି ଥିଲେ। ହରିଚନ୍ଦନପୁର ବିଡିଓ ପ୍ରଭୂକଲ୍ୟାଣ ଦାସ ସନ୍ଧ୍ୟା ୬.୩୦ ମିନିଟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଫିସ ଗଳି ଦେଇ ଚାଲିଯିବା ବେଳେ ଜଗି ରହିଥିବା ହିତାଧିକାରୀ ତାଙ୍କୁ ଘେରି ଯାଇଥିଲେ। ବିଡିଓ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ପାରିବାରୁ ଲୋକେ ତାଙ୍କୁ ଛାଡି ନଥିଲେ। ବିଡିଓ ଲୋକଙ୍କ ସହିତ ଆଲୋଚନା କରି ଗାଡି ପାଖରେ ପହଞ୍ଚିଥିଲେ। ଉଦ୍ଦେଶ୍ୟମୂଳକ ଭାବେ ଘର ତାଲିକାରୁ ନାମ କାଟି ଆମକୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୋକ ଉପାସରେ କାହିଁକି ରଖିଲ ବୋଲି ପ୍ରଶ୍ନ କରିଥିଲେ ହିତାଧିକାରୀ। 


ବିଡିଓ ମହାଶୟ ଅସହାୟ ହେଇ ଗାଡିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛାଡି ଦଉଡି ପଳାଇ ଯାଇଥିଲେ। ବଡକମଣ୍ଡରା ଗ୍ରାମ ତେନ୍ତଳାପଶି ପଞ୍ଚାୟତର ସର୍ବାଧିକ ଜନସଂଖ୍ୟା ରହିଥିବା ଗାଁ ହେଇଥିଲା ବେଳେ ୯୯ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଆଗାମି ଦିନରେ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହି ଆବଶ୍ୟକ ପଡିଲେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ହିତାଧିକାରୀ କହିଛନ୍ତି। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କ ନାଁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।