Kankana Sikhari at Chilika: ଲୁକାୟିତ ଏବଂ ଅବହେଳିତ ଅବସ୍ଥାରେ ପଡ଼ିରହିଛି ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବରେ ଜଣାଶୁଣା କାଙ୍କଣ ଶିଖରୀ। ୧୭୩୧ ମସିହାରେ ମୁସଲମାନ ଶାସକ ତକି ଖାଁ ଆକ୍ରମଣ କବଳରୁ ମହାପ୍ରଭୁ ରକ୍ଷା କରିବା ପାଇଁ ଦଇତାପତି ଜଗନ୍ନାଥଙ୍କୁ ଏଠାରେ ଗୋପନରେ ରଖିବା ସହିତ ପାତାଳି କରିଥିଲେ ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି। ଏହି କ୍ଷେତ୍ରକୁ ପର୍ଯ୍ୟଟକ ଅସୁଥିଲେ ମଧ୍ୟ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସଠିକ୍ ଭାବେ ରକ୍ଷଣାବେକ୍ଷଣ ଏବଂ ପ୍ରଚାର ପ୍ରସାର କରାଯାଉ ନଥିବାରୁ ଏହା ଲୋକ ଲୋଚନକୁ ଆସିପାରୁନାହିଁ। ଦେଖନ୍ତୁ ଜୀ ଓଡ଼ିଶା ପକ୍ଷରୁ ଏହି ସ୍ୱତନ୍ତ୍ର ରିପୋର୍ଟ।


COMMERCIAL BREAK
SCROLL TO CONTINUE READING

ମରାଳମାଳିନୀ ନିଳାମ୍ବୁ ଚିଲିକା ହ୍ରଦ ମଧ୍ୟରେ ଏକ କୁଦରେ ଅବସ୍ଥାପିତ କାଙ୍କଣଶିଖରୀ କ୍ଷେତ୍ର। ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଛକ ଠାରୁ ନଈରୀ ଗ୍ରାମକୁ ଆସିଲେ ଦେଖିବାକୁ ମିଳିଥାଏ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବରେ ଜମାଶୁଣା କାଙ୍କଣଶିଖରୀ କୁଦ। ମନୋଲୋଭା ପ୍ରାକୃତିକ ପରିବେଶ ସହ ଲୁକାୟିତ ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କାରଣରୁ ପର୍ଯ୍ୟଟକ ଏହି ସ୍ଥାନକୁ ଟାଣି ହୋଇ ଆସିଥାନ୍ତି। ଚିଲିକା ବ୍ଳକ ନଈରୀ ଗ୍ରାମ ନିକଟରେ ଅବସ୍ଥାପିତ ଏହି କାଙ୍କଣଶିଖରୀ ପୀଠ। ମାଦଳା ପାଞ୍ଜି ଅନୁଯାୟୀ ୧୭୩୧ ମସିହାରେ ମୋଗଲ ଶାସନ ସମୟରେ ମୁସଲମାନ ଶାସକ ତକି ଖାଁ ଆକ୍ରମଣ କବଳରୁ ରକ୍ଷା ପାଇବା ପାଇଁ କିଛି ଦିନ ଏଠାରେ ରହିବା ପରେ ପାତାଳି ହୋଇଥିଲେ ଶ୍ରୀ ଜଗନ୍ନାଥ। ସେହି ଦିନ ଠାରୁ ଏଠାରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଛି। ଗତ ନବକଳେବର ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ପୂଜା କରିବା ପାଇଁ ଏକ ରଥଚକ ମଧ୍ୟ ଦିଆଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କୁଦର ଚାରିପଟେ ଚିଲିକା ହ୍ରଦର ଲୁଣି ପାଣି ରହିଥିବା ବେଳେ, ଏହି କୁଦରେ ମିଳୁଥିବା ପାଣିର ସ୍ୱାଦ ହେଉଛି ମଧୁର। ଏହା ସହିତ ବିଶ୍ୱର କୋଣ ଅନୁକୋଣରେ ଶ୍ରୀ ଜଗନ୍ନାଥଙ୍କୁ ବ୍ରାହ୍ମଣ କିମ୍ବା ପଣ୍ଡା ପୁରୋହିତ ପୂଜା କରୁଥିବା ବେଳେ, ଏଠାରେ ବେହେରା ଜାତିର ଲୋକେ ପୂଜା କରିଥାନ୍ତି।


ଶ୍ରୀ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ଏହି ଐତିହାସିକ ପୀଠ କାଙ୍କଣ ଖିଖରୀ କ୍ଷେତ୍ରକୁ ରାଜ୍ୟ ତଥା ରାଜ୍ୟ ବହାରର ଅନେକ ପର୍ଯ୍ୟଟକ ଏବଂ ଗବେଷକ ଆସିଥାନ୍ତି। କେବଳ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗର ଆଖି ଏହା ଉପରେ ପଡ଼ିନାହିଁ। ନାଁ ଶ୍ରମନ୍ଦିର ପ୍ରଶାସନର ନଜର ଏହା ଉପରେ ନଜର ରହିଛି ନାଁ ରାଜ୍ୟ ପର୍ଯ୍ୟଟନ ବିଭାଗର ଆନ୍ତରିକତା ଏହା ଉପରେ ରହିଛି। ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯଦି ପର୍ଯ୍ୟଟନ ବିଭାଗର ଏହି କ୍ଷେତ୍ର ଉପରେ ସାମାନ୍ୟ ଟିକେ ଦୃଷ୍ଟି ପଡନ୍ତା, ତାହେଲେ ଅନେକ ପର୍ଯ୍ୟଟକଙ୍କ ସୁଅ ଏହି ପୀଠକୁ ଛୁଟନ୍ତା। 


ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଶ୍ୱର ପ୍ରତ୍ୟେକ ସ୍ଥାନରେ ରଥଯାତ୍ରା ସମୟରେ ରଥରେ ତିନି ଠାକୁରଙ୍କ ସୁଦର୍ଶନ ରଥାରୁଢ ହେଉଥିବା ବେଳେ, ଏଠାରେ ଶ୍ରୀଜିଉ ଡ଼ଙ୍ଗାରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି। ୧୨ ମାସରେ ୧୩ ପର୍ବ ଭଳି ଗ୍ରାମବାସୀ ପ୍ରତ୍ୟେକ ପର୍ବ ଏଠାରେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ଲୁକାୟିତ ଅବସ୍ଥାରେ ରହିଯାଉଥିବା ଚିଲିକା ବ୍ଲକର କାଙ୍କଣଶିଖରୀ ଐତିହାସିକ ପୀଠର ପୁନଃରୁଦ୍ଧାର କରାଗଲେ, ବିଶ୍ୱ ଦରବାରରେ ନଇରୀ ଗ୍ରାମର ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଏକ ସ୍ୱତନ୍ତ୍ର ପରିଚୟ ପାଇପାରନ୍ତା।