ପୁରୀ: କୋରୋନା ସମୟରେ ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଶର କୋଣ ଅନୁକୋଣରୁ ସାମ୍ନାକୁ ଆସିଛି। ଏହି ଦୃଶ୍ୟ ମାନବିକତା ଉପରେ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି। ତେବେ ପୁରୀରୁ ମଧ୍ୟ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ନିଜ ଜିଲ୍ଲାରୁ ଆସି ଲକଡାଉନରେ ଫସିଛନ୍ତି ଗୋଟିଏ ପରିବାରର ୬ ସଦସ୍ୟ। ୨ ମାସର ପିଲା ସହିତ ପୁରୀର କ୍ୟାଥେଲିକ ଚର୍ଚ୍ଚର ବାରଣ୍ଡାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ନୟାଗଡ଼ ଓଡ଼ଗାଁର ପାୟଲ ମହାରଣା ଓ ତାଙ୍କ ସ୍ୱାମୀ। 


COMMERCIAL BREAK
SCROLL TO CONTINUE READING

୫ ବର୍ଷର ପୁଅର ଚୁଟି ପକାଇବାକୁ ପୁରୀ ଆସିଥିଲେ ପାୟସ ଓ ତାଙ୍କ ସ୍ୱାମୀ। ସାଙ୍ଗରେ ଥିଲେ ୩ ପିଲା। ପୁରୀରେ ଚୁଟି ପକାଇ ସାରିବା ପରେ ଘରକୁ ଫେରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ଲକଡାଉନ ହେବାରୁ ଘରକୁ ଫେରିପାରିନଥିଲେ ସେ। ଏହା ମଧ୍ୟରେ କିଛି ଦିନ ତଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ୍ ହୋଇ ରାସ୍ତା ଉପରେ ପ୍ରସବ କଲେ ଗର୍ଭବତୀ ପାୟଲ ମହାରଣା । 
ଆଗରୁ ତିନି ପୁଅ ପୁଣି ଏବେ ଆଉ ଏକ ନବଜାତ କନ୍ୟା ସନ୍ତାନ ସହିତ ସ୍ୱାମୀକୁ ନେଇ ଛ ପ୍ରାଣୀ। ସ୍ୱାମୀ ରିକ୍ସା ଚଳାଇ ଯାହା ଆଣୁଛନ୍ତି ସେଥିରେ ପରିବାର ଚଳୁଛି । ହେଲେ ଏବେ ଆହା ପଦେ କହିବାକୁ କେହି ନଥିବା ବେଳେ  ଅସହାୟ ଓ ଅବହେଳିତ ଅବସ୍ଥାରେ ଦୁର୍ଦ୍ଦିନରେ କାଳତିପାତ କରୁଛନ୍ତି ନୟାଗଡର ଓଡଗାଁର ଦମ୍ପତି। ଘରକୁ ଫେରିବାକୁ ଚାହୁଁଥିଲେ ବି ଅର୍ଥର ଅଭାବ ଯୋଗୁଁ ତାହା ସମ୍ଭବ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି । ସେପଟେ ସ୍ଥାନୀୟ ବାସିନ୍ଦା ଓ ସ୍ୱେଛାସେବୀମାନେ ଲୁଗାପଟା ଏବଂ ଶୁଖିଲା ଖାଦ୍ୟ ଦେଇ ସେମାନଙ୍କୁ ବଞ୍ଚାଇ ରଖିଛନ୍ତି  ।


ଏକ ହୃଦୟବିଦାରକ ଘଟଣା ଘଟିଛି ପୁରୀ ସହରରେ। ଅଜଣା ସହରରେ ଅଚିହ୍ନା ମଣିଷ। ସାନ ପୁଅ ସମୀରର ଚୁଟି ପକାଇବାକୁ ଆସି ମାର୍ଚ୍ଚ ମାସରେ ନୟାଗଡରୁ ପୁରୀରେ ବାବା ଲୋକନାଥଙ୍କ ପାଖରେ ମାନସିକ କରିବାକୁ ଆସିଥିଲେ ପାୟଲ୍। ହେଲେ ହଠାତ୍ କୋରୋନା ମହାମାରୀ ପାଇଁ ଲକ୍ ଡାଉନ୍ ଘୋଷଣା ହେବାରୁ ନା ନିଜ ଶାଶୁ ଘରକୁ ଫେରି ପାରିଲେ ନା ପୁରୀରେ ତାଙ୍କୁ ଓ ତାଙ୍କ ପରିବାରକୁ ମୁଣ୍ଡ ଗୁଞ୍ଜିବାକୁ ବାସଟିଏ ମିଳିଲା। ଶେଷରେ ବାଧ୍ୟ ହୋଇ ଜଗାକୁ ଆଶରା କରି ବଡଦାଣ୍ଡରେ ଦିନରାତି କାଟିଲେ ଦମ୍ପତି। କିନ୍ତୁ ପୋଲିସର କଡା ତାଗିଦ୍ ଓ ଭର୍ତ୍ସନା ସହ ପଣ୍ଡା ସୁଆରଙ୍କ ନାଲି ଆଖି ସତେ ଯେମିତି ବଡଦାଣ୍ଡରୁ ତାଙ୍କୁ ବିଚ୍ଛିନ୍ନ କରିବାକୁ ବାଧ୍ୟ କଲା। ଭୋକ ଉପାସରେ ଆଉଟୁପାଉଟୁ ହୋଇ ଜୀବନ କାଟୁଥିଲେ ମଧ୍ୟ ମାର ମମତା ଆଗରେ ହାର୍ ମାନି ନଥିଲା 


ତିନି ତିନୋଟି ପିଲାଙ୍କ ମୁହଁରେ ଦି ବେଳା ଦି ମୁଠା ଖାଇବା। ରୋଜଗାର କରି ତିନୋଟି ଛୋଟ ପିଲାଙ୍କୁ ଖାଇବାକୁ ଦେବାପାଇଁ ପାୟଲଙ୍କ ସ୍ୱାମୀ ସନ୍ତୋଷ ମହାରଣା ରିକ୍ସା ଚଲାଇଲେ। ହେଲେ ଅଜଣା ସହରକୁ ରାସ୍ତାଘାଟ ଥିଲା ସନ୍ତୋଷଙ୍କ ପାଇଁ ସମ୍ପୂର୍ଣ୍ଣ ଅଚିହ୍ନା। ଯାହାକିଛି ରିକ୍ସା ଚଳାଇ ରୋଜଗାର କରନ୍ତି । ରାସ୍ତା କଡରେ ଚୁଲି ଜଳାଇ ନିଜ ସ୍ୱାମୀ ଓ ତିନି ପିଲାଙ୍କୁ ଖାଇବାକୁ ଦିଅନ୍ତି ପାୟଲ୍। ଯେଉଁ ବଦାନ୍ୟ ବ୍ୟକ୍ତି ଯାହା କିଛି ଦିଅନ୍ତି ସେଥିରେ ପାୟଲ ଓ ତାଙ୍କ ପରିବାର ଚଳେ। ହେଲେ ବିଧିର ବିଧାନ୍ ଥିଲା ବଡ ବିଚିତ୍ର। କିଛିଦିନ ପୂର୍ବରୁ ପାୟଲ୍ ଗର୍ଭବତୀ ଥିବାବେଳେ ରାସ୍ତା ଉପରେ ଜନ୍ମ କଲେ ଏକ କନ୍ୟା ସନ୍ତାନ। କଷ୍ଟ ଶୁଣିବାକୁ କେହି ନଥିଲେ କି ଔଷଧ ପାନେ ଦେବାକୁ କେହି ନଥିଲେ ପାଖରେ। ଶେଷରେ ଭାଗ୍ୟକୁ ଆଦରି ନେଇ ପୁରୀ ମୋଚିସାହି ଛକ ନିକଟରେ ଥିବା କ୍ୟାଥେଲିକ୍ ଚର୍ଚ୍ଚ ସମ୍ମୁଖରେ ଚାରି ଚାରୋଟି ପିଲାଙ୍କୁ ଧରି ରାସ୍ତା କଡରେ ଜୀବନଯାପନ କରୁଛନ୍ତି ପାୟଲ୍। ପ୍ରଶାସନକୁ କୋହଭରା କଣ୍ଠରେ ନିଜ ଶାଶୁ ଘରକୁ ଯିବାପାଇଁ ନିବେଦନ କରିଛନ୍ତି।


୧୮ ଦିନ ପୂର୍ବରୁ ଜନ୍ମ ହୋଇଥିବା ଏହି କୁନି ଶିଶୁ ଉପରେ। ନାଁ ତାର ଶ୍ରାବଣୀ। ଅସହାୟ, ଜରାଜୀର୍ଣ୍ଣ ଓ କିଭଳି ଅସ୍ୱାସ୍ଥ୍ୟକର ପରିବେଶରେ ଶିଶୁଟି ପଡି ରହିଛି। ମୁହଁ ଓ ଦେହସାରା ମାଛି ବସୁଛି। ତଥାପି ହାରମାନି ନାହିଁ ମା'ର ମମତା। ନିଜ କୋଳକୁ ଶ୍ରାବଣୀକୁ ଉଠାଇ ଗେଲ କରିବା ସହ ଯତ୍ନ ନେବାରେ କୌଣସି ଅବେହେଳା କରିନାହାନ୍ତି ପାୟଲ୍। ରାସ୍ତା ଉପରେ ଏକ ଛୋଟିଆ ବାରଣ୍ଡାରେ ଚାରି ଚାରୋଟି ପିଲା ଓ ନିଜ ସ୍ୱାମୀଙ୍କ ସହ ଜୀବନ କାଟିବା କେତେ କଷ୍ଟ ତାହା ଅବର୍ଣ୍ଣନୀୟ। 
ପାଖରେ ଅଛି କିଛି ଖେଳନା,ହାଣ୍ଡି ଡେକ୍ଚି ସହ ରାସ୍ତା କଡରେ ରହିଛି ରୋଷେଇ ପାଇଁ ଚୂଲି। ସେପଟେ ନିଜ ପରିବାରର ପେଟ ପୋଷିବା ପାଇଁ ଅଜଣା ଅଚିହ୍ନା ସହରରେ ରିକ୍ସା ଚଳାଇ ଦି ପଇସା ରୋଜଗାର କରୁଛନ୍ତି ପାୟଲଙ୍କ ସ୍ୱାମୀ ତଥା ନବଜନ୍ମିତ ଶ୍ରାବଣୀର ବାପା ସନ୍ତୋଷ। ସେପଟେ ରାସ୍ତାରେ ଗଲାବେଲେ କିଛି ସ୍ଥାନୀୟ ମହିଳା ଓ ସ୍ୱେଛାସେବୀ ଶୁଖିଲା ଖାଦ୍ୟ , ଶାଢି ଓ ପୋଷାକପତ୍ର ଦେଉଛନ୍ତି  । ହେଲେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ବୋଲି କହିଛନ୍ତି ସ୍ୱେଛାସେବୀ ଓ ପୁରୀ ବାସିନ୍ଦା।


କୋରୋନା ଲକ ଡାଉନରେ ଶ୍ରୀକ୍ଷେତ୍ର ଆସି ଫସିରହିଥିବା ଏଭଳି ଏକ ପରିବାରର ସ୍ଥିତି ବେଶ ଦୁଃଖଦାୟକ  । ସେପଟେ କରୋନା ଯେଭଳି ମହାମାରୀର ରୁପ ନେଲେଣୀ ତେଣୁ କୁନି କୁନି କଅଁଳ ଶିଶୁଙ୍କୁ ଧରି ଏଭଳି ରାସ୍ତାରେ ବସିବା ମଧ୍ୟ ବିପଦଜନକ  । ପ୍ରଶାସନ ପକ୍ଷରୁ ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବା ନେଇ ସାଧାରଣରେ ଦାବି ହେଉଛି।