କେନ୍ଦ୍ରାପଡା: ବାତ୍ୟା ଆସିଲେ ପ୍ରଶାସନିକ ସ୍ଥରରେ ତତ୍ପରତା ପ୍ରକାଶ ପାଏ। ଏସଆରସି ଙ୍କ ଠାରୁ ଜିଲ୍ଲାପାଳ ଏବଂ ବ୍ଲକ ସ୍ଥରୀୟ ଅଧିକାରୀଙ୍କୁ ନେଇ ବୈଠକ ବସେ। ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବା ସହ ବାତ୍ୟାରେ ଯେପରି କୌଣସି ଗୋଟିଏ ମୂଲ୍ୟବାନ ଜୀବନ ନଷ୍ଟ ନହେବ ଏବଂ ସରକାର ଙ୍କ ଜିରୋ କାଜୁଆଲିଟି ଲକ୍ଷ କିପରି ସଫଳ ହେବ ସେନେଇ ଅଧିକାରୀଙ୍କୁ ନେଇ ବୈଠକ କରାଯାଏ। 


COMMERCIAL BREAK
SCROLL TO CONTINUE READING

ତଳିଆ ଅଞ୍ଚଳର ଲୋକଙ୍କୁ ବତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଏ। ହେଲେ ବାତ୍ୟା ପରେ ସେମାନଙ୍କ କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଉଥିବା ଅଭିଯୋଗ ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡାର ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଅଧିନସ୍ଥ ମଗରକନ୍ଦା ଓ ଚାରିଘରିଆ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ବର୍ଷ ପରେ ବର୍ଷ ବିତୁଛି ବାତ୍ୟା ପରେ ବାତ୍ୟା ଚାଲିଯାଉଛି। ହେଲେ ଏହି ତଳିଆ ଅଞ୍ଚଳର ଲୋକଙ୍କ ସମସ୍ୟାର ହୋଇପାରି ନାହିଁ ସ୍ଥାୟୀ ସମାଧାନ। 


ବର୍ଷ ବର୍ଷ ଧରି ପ୍ରଶାସନ କୁମ୍ଭକଣ୍ଠ ନିଦ୍ରାରେ ରହିଥାଏ। କିଏ କେଉଁ ଅବସ୍ଥାରେ ରହିଛି ତାର ଅନୁଧ୍ୟାନ ପାଇଁ ପ୍ରଶାସନିକ ଅଧିକାରୀ ତତ୍ପର ଦେଖାନ୍ତି ନାହିଁ। ପାଣିପାଗ ବିଭାଗରୁ ଲଘୁଚାପ କିମ୍ବା ବାତ୍ୟା ସୂଚନା ମିଳିଲେ ସ୍ଵତନ୍ତ୍ର ରିଲିଫ କମିଶନର ଭିଡିଓ କନଫରେନ୍ସି ଜରିଆରେ ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଅନ୍ତି। ବାତ୍ୟା ପୂର୍ବରୁ ମଗରକନ୍ଦା ଗ୍ରାମବାସୀଙ୍କୁ ବାଉଁଶଗଡ ନଦୀ ପାର କରାଇ ସେମାନଙ୍କୁ ସାତଭାୟା ଏବଂ ଓକିଲପାଳ ବାତ୍ୟାଶ୍ରୟ କେନ୍ଦ୍ରରେ ରଖାଯାଏ। ବାତ୍ୟା କିମ୍ବା ଲଘୁଚାପ ଛାଡିଗଲେ ପୁନର୍ବାର ସେମାନେ ଝାଡମାଟି ଘରକୁ ବାହାରି ଯାଆନ୍ତି। ପ୍ରଶାସନ ସେମାନଙ୍କ ଥଇଥାନ କଥା ଭୁଲିଯାଏ। ଯଥା ପୂର୍ବ ତଥା ପରଂ ଅବସ୍ଥାରେ ସେମାନେ ଭାଗ୍ୟକୁ ଆଦରି ପଡି ରହନ୍ତି। 


ବିଶ୍ବତାପନ ଯୋଗୁଁ ଜଳବାୟୁର ପରିବର୍ତ୍ତନ ଫଳରେ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ବଢିବାରେ ଲାଗିଛି। ରାଜନଗର ବ୍ଲକ ସାତଭାୟାର ଅନେକ ଗ୍ରାମକୁ ସମୁଦ୍ର ଗର୍ଭକୁ ନେଇଗଲା। ସରକାର ପ୍ରାକୃତିକ ବିପର୍ଯ୍ୟୟରେ ଭିଟାମାଟି ହରାଇଥିବା ସାତଭାୟାବାସିଙ୍କୁ ଗୁପ୍ତି ପଞ୍ଚାୟତ ବଗପାଟିଆ ଠାରେ ଥଇଥାନ କରାଯାଇଉଥିଲା। ସାତଭାୟାର ୫୭୧ ପରିବାରକୁ ସେଠାରେ ଥଇଥାନ କରାଯାଇଥିଲା। ସେମାନଙ୍କୁ ଜାଗା ସହ ବିଜୁ ପକ୍କାଘର ଯୋଗାଇ ଦିଆଯାଇଛି ଏଯାବତ୍ ସେମାନଙ୍କୁ ସେମାନେ ପାଇଥିବା ଘରଡିହ ପଟ୍ଟା ମିଳିନାହିଁ। 


ଅପରପକ୍ଷରେ ସାତଭାୟାର ମଗରକନ୍ଦା ଓ ଜଙ୍ଗଲ ଜମିରେ ରହିଥିବା ଚାରିଘରିଆ ଗ୍ରାମବାସୀଙ୍କୁ ସରକାର ସାତଭାୟାବାସୀଙ୍କ ସହ ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେମାନଙ୍କ ଥଇଥାନ ପ୍ରକ୍ରିୟା ସରକାରଙ୍କ ଫାଇଲ ମଧ୍ୟରେ ବନ୍ଧା ପଡିଛି। ବହୁ ଅସୁବିଧା ମଧ୍ୟରେ କାଳାତିପାତ କରୁଥିବା ମଗରକନ୍ଦା ଓ ଚାରିଘରିଆବାସୀଙ୍କ ଦୁଃଖକୁ ପ୍ରଶାସନ ଗୁରୁତ୍ବ ଦେଉନଥିବା ଏହି ଦୁଇଟି ଗ୍ରାମର ମୁରବୀ ଅଭିଯୋଗ କରିଛନ୍ତି। ସେମାନଙ୍କର ପରିବାର କ୍ରମଶଃ ବଢି ଚାଲିଥିବାବେଳେ ସରକାର ସେମାନଙ୍କୁ ଥଇଥାନ ପ୍ରକ୍ରିୟାରେ ସାମିଲ ନ କରି ସମୟ ଗଡ଼ାଇ ଚାଲିବା ଘଟଣା ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଆନ୍ଦୋଳନ ଦାନା ବାନ୍ଧୁଛି।
 
ଅପରପକ୍ଷେ ଦେଶ ସ୍ବାଧୀନ ହେବାକୁ ୭୦ ବର୍ଷ ଅତିକ୍ରମ କରାଯାଇଥିଲା ସରକାରଙ୍କ ମୌଳିକ ସୁବିଧା ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ ଭଳି ସେବା ପାଇ ପାରୁନାହାଁନ୍ତି। ଗମନାଗମନ ସୁବିଧା ନଥିବାରୁ ରୋଗୀ ଆଣିବାକୁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଯେପରି ଅଭିଶପ୍ତ ଜୀବନ ଜିଉଛନ୍ତି। ହେଲେ ବାତ୍ୟା ଆସିଲେ ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି। ପରବର୍ତ୍ତୀ ସମୟରେ ବାତ୍ୟା ଚାଲିଗଲେ ସରକାର ସେମାନଙ୍କ କଥା ଯେପରି ଭୁଲି ଯାଉଛନ୍ତି। ତୁରନ୍ତ ସରକାର ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।