Dead body dispute, ନବରଙ୍ଗପୁର: ବୃଦ୍ଧଙ୍କ ମୃତ୍ୟୁର ତିନି ଦିନ ପରେ ମଧ୍ୟ ଶବ ସଂସ୍କାର ହୋଇପାରୁନାହିଁ। ପ୍ରଶାସନିକ ଅଧିକାରୀମାନେ ଉଭୟ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଶନିବାର ଘର ଭିତରୁ ମୃତଦେହ ଆଣି ଗୁଲିବଡନା ଗାଁ ଶେଷ ମୁଣ୍ଡ ପଡିଆରେ ରଖା ଥିଲା। ପରେ ତାହାକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। କୌଣସି ନିଷ୍କର୍ଷ ନ ବାହାରିବା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ରହିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

କିଛି ଦିନ ତଳେ ଉମରକୋଟ ଅନ୍ତର୍ଗତ ଗୁଲୀବଡନା ଗ୍ରାମର ଜିତୁ ଭତ୍ରାଙ୍କ ପରିବାର ଧର୍ମ ପରିବର୍ତ୍ତନ କରିଥିଲେ। ଦୁଇ ଦିନ ତଳେ ୭୦ ବର୍ଷିୟ ଜିତୁଙ୍କ ମୃତ୍ୟୁ ହୋଇଛି। ତେବେ ଧର୍ମ ପରିବର୍ତ୍ତନ କରିଥିବାରୁ ଗୁଲୀବଡନା ଗ୍ରାମବାସୀ ମୃତଦେହକୁ ଗାଁ ମଶାଣୀରେ ଜାଗା ଦେବାପାଇଁ ନାରାଜ ଅଛନ୍ତି। ମୃତଦେହକୁ ନେଇ ଅନ୍ୟତ୍ର ପୋତିବା ପାଇଁ ଗ୍ରାମବାସୀ କହୁଛନ୍ତି। ଫଳରେ ଗ୍ରାମବାସୀ ଓ ମୃତ ଜିତୁଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଆଉ ତିନି ଦିନ ହେଲା ମୃତଦେହର ଶେଷକୃତ୍ୟ ହୋଇନପାରି ଘରୁ ମଶାଣୀ ଓ ମଶାଣୀରୁ ହସ୍ପିଟାଲକୁ ଘୁରି ବୁଲୁଛି। ଗ୍ରାମବାସୀଙ୍କୁ ବୁଝାଇବାକୁ ଯାଇଥିବା ପ୍ରଶାସନ ମଧ୍ୟ ନାକେ ଦମ ହୋଇଛି।


Also Read: ମୃତଦେହକୁ ମଶାଣୀ ମନା! ଧର୍ମ ବଦଳାଇଥିଲେ ବୋଲି ବଦଳି ଗଲେ ଜାତିଭାଇ, ୨୪ ଘଣ୍ଟା ପରେ ବି ଉଠିଲାନି କୋକେଇ


ମୃତଦେହ ପଡି ରହିବାରୁ ଗୁଲୀବଡନା ଗାଁରେ ଦୁଇ ଦିନ ହେଲା ରୋଷେଇ ବନ୍ଦ ରହିଥିଲା। ଯାହାକୁ ନେଇ ଶନିବାର ଉତ୍ତେଜନା ତେଜିବାରେ ଲାଗିଥିଲା। ଶନିବାର ସମସ୍ତ ଗାଁ ଲୋକେ ମୃତ୍ୟୁ ବ୍ୟକ୍ତିଙ୍କ ଘରକୁ ଯାଇ ଧସ୍ତାଧସ୍ତି କରିବା ସହ ଯଥାଶୀଘ୍ର ମୃତଦେହକୁ ନେବା ପାଇଁ କହିଥିଲେ। ଝରିଗାଁ ତହସିଲଦାର ଭୀମସେନ ମାଝୀ, ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର, ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ। କିନ୍ତୁ ଶନିବାର ରାତି ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଗାଁରେ ଆଉ ଅନ୍ୟ କୌଣସି ଧର୍ମର ଶ୍ମଶାନ ନଥିବା ବେଳେ ଗାଁ ଲୋକେ ଅନ୍ୟ ଧର୍ମକୁ ପରିବର୍ତ୍ତନ ହେଇଥିବା ଲୋକଙ୍କ ମୃତଦେହକୁ ଗାଁ ସ୍ମଶାନରେ ପତିବା ଲାଗି ମନା କରୁଛନ୍ତି। 


ବିବାଦର ସମାଧାନ ପାଇଁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୀର୍ଘ ପାଞ୍ଚ ଘଣ୍ଟା ମୃତ ପରିବାର ଏବଂ ଗ୍ରାମବାସୀଙ୍କୁ ବୁଝାଇ ଥିଲେ। ପରେ ଜିତୁଙ୍କ ମୃତଦେହକୁ ପୋତିବା ପାଇଁ ଗାଁର ଶେଷ ମୁଣ୍ଡରେ ଥିବା ସ୍ଥାନକୁ ଅଣାଯାଇଥିଲା। କିନ୍ତୁ ତାହା ନିକଟସ୍ଥ ନିରପଦର ଗାଁର ଜମି ହୋଇଥିବାରୁ ସେଠାକାର ଗ୍ରାମବାସୀ ଆସି ଉକ୍ତ ସ୍ଥାନରେ ମୃତଦେହ ପୋତିବା ପାଇଁ ମନା କରିଥିଲେ। ଫଳରେ ମୃତଦେହ ଖୋଲା ପଡ଼ିଆରେ ପଡିରହିଥିଲା। ଶନିବାର ସନ୍ଧ୍ୟା ସୁଦ୍ଧା କୌଣସି ସମାଧାନ ନହେବାରୁ ମୃତଦେହକୁ ଉମରକୋଟ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। କୌଣସି ଚୂଡାନ୍ତ ନିଷ୍ପତି ହେବା ପରେ ପରିବାରକୁ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତର କରାଯିବ। ଯଦି କୌଣସି ନିଷ୍ପତି ନହୁଏ ତାହେଲେ ପ୍ରଶାସନ ନିଜଆଡୁ ଶବ ସଂସ୍କାର କରିବ। ବର୍ତ୍ତମାନ ଘଟଣାର ସମାଧାନ ହୋଇଯିବା ପରେ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ଝରିଗାଁ ତହସିଲଦାର ଭୀମସେନ ମାଝୀ କହିଛନ୍ତି।