Naba Das Murder Case: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଗୁଳିକାଣ୍ଡର ରହସ୍ୟ ଖୋଲିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ଜୀବନ ନାୟକ। ଯେଉଁ ଦିନ ଏହି ଗୁଳିମାଡ଼ ହୋଇଥିଲା ସେହି ଦିନ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ପ୍ରତ୍ୟେକ୍ଷଦର୍ଶୀ ଜୀବନ। ଗୁଳିକାଣ୍ଡ ସମୟରେ ଯେତେବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ସେତେବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁଗତ ଜୀବନ ନାୟକଙ୍କ ଦେହରେ ମଧ୍ୟ ବାଜିଥିଲା ଗୋଟିଏ ଗୁଳି। ଗୁଳି ତାଙ୍କର ବେକରେ ପଶି ଆର ପଟେ ବାହାରି ଯାଇଥଲା। 


COMMERCIAL BREAK
SCROLL TO CONTINUE READING

ଗୁଳିମାଡ଼ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ସହ ତାଙ୍କ  ଅନୁଗତ ଜୀବନ ନାୟକଙ୍କୁ ମଧ୍ୟ ଝାରସୁଗୁଡା ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ପରବର୍ତୀ ସମୟରେ ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ନିଆଯାଇଥିବା ବେଳେ ଜୀବନ ନାୟକଙ୍କୁ ବୁର୍ଲା ଭୀମସାର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। 


ଗତ ୨୯ ଜାନୁଆରୀରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ନିଜର ଅନୁଭୂତି ବଖାଣିଛନ୍ତି ଏହି ଘଟଣାର ପ୍ରତ୍ୟେକ୍ଷଦର୍ଶୀ ତଥା ଅନ୍ୟତମ ଆହତ ଜୀବନ ନାୟକ। ମଙ୍ଗଳବାର  ଆଜି ବୁର୍ଲା ଭୀମସାର ମେଡିକାଲ ଠାରେ ଚିକିତ୍ସିତ ହୋଇ ଡିସଚାର୍ଜ ହେବା ପରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବାକୁ ଆସିଥିଲେl  ଏହି ଅବସରରେ ସେ କହିଥିଲେ ଯେ ସେହି ଦିନ ସେ ଅନ୍ୟ ସମର୍ଥକଙ୍କ ସହ ଗାନ୍ଧୀ ଛକ ଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେl 


ଯେମିତି ସେ ଖବର ପାଇଲେ ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ପହଞ୍ଚିଥିଲେ ସେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ କାର ପାଖକୁ ଯାଇ ମନ୍ତ୍ରୀ ଓହ୍ଲେଇବା କ୍ଷଣି ତାଙ୍କ ପାଦକୁ ଛୁଇଁଥିଲେ। ପାଦ ଛୁଇଁବା ଭିତରେ ତାଙ୍କ ବେକ ପଛ ପଟେ ଗୁଳି ବାଜି ଅନ୍ୟ ପଟକୁ ବାହାରି ଯାଇଥିଲାl ପ୍ରଥମେ ବହୁତ ଜୋରରେ ଶବ୍ଦ ହୋଇଥିବାରୁ ସେ ହଠାତ କିଛି ବୁଝି ପାରି ନଥିଲେ। ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା ଏବଂ ତାଙ୍କୁ ଝିମ ଝିମ ଲାଗିଥିଲା। ହେଲେ ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମାଡ଼ ହୋଇ ସାରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀ କାର ବାହାରେ ବେହୋସ ହୋଇ ପଡିସାରିଥିଲେ। ପରେ ସେ ସ୍ଥାନୀୟ ସମର୍ଥକଙ୍କୁ ନିଜର ଆଘାତ ବିଷୟରେ କହିବା ପରେ ତାଙ୍କୁ ମଧ୍ୟ ହସ୍ପିଟାଲ ନିଆଯାଇଥିଲାl ଝାରସୁଗୁଡାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ପଠାଯାଇଥିଲା।


ଜୀବନ ନାୟକଙ୍କ ପ୍ରକୃତ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳରେ ବୋଲି  ଜଣାପଡିଛି। ଯିଏ ବ୍ରଜରାଜନଗର ଅଞ୍ଚଳରେ ଏକ ସୁରକ୍ଷା ସଂସ୍ଥାରେ କାର୍ଯ୍ୟ କରୁଥିଲେ l ଗତ ୮ ମାସ ହେଲା ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ଜଡିତ ରହିଥିଲେ ବୋଲି ଜଣାଇଛନ୍ତିl ଜୀବନଙ୍କ କହିବା ଅନୁସାରେ ସେହି ଦିନ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ତାଙ୍କ ସହ ଛିଡା ହୋଇଥିଲେ। ହେଲେ ତାଙ୍କ ହାବ ଭାବରୁ ସେମତି କିଛି ପରିଲକ୍ଷିତ ହେଉନଥିଲା। ସେହି ଅଞ୍ଚଳର ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ମଧ୍ୟ ଜୀବନ ତାଙ୍କୁ କହିଥିଲେ। ହେଲେ ନିର୍ଦ୍ଧିଷ୍ଟ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ମୃତୟନ ଅଛନ୍ତି କହି ଗୋପାଳ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କାର ନିକଟକୁ ଯାଇଥିଲେ ବୋଲି କହିଛନ୍ତି ଜୀଵନ। 


ପରବର୍ତୀ ସମୟରେ ତାଙ୍କର ଚିକିତ୍ସା ବୁର୍ଲା ଭୀମସାର ଠାରେ କରାଯାଇ ଥିବା ବେଳେ ସେ ଏଵେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି। ହେଲେ ବର୍ତ୍ତମାନ ମଧ୍ୟ ତାଙ୍କର ବେକରେ ୧୫ ଷ୍ଟିଚ ପଡ଼ିଥିବା କହିଛନ୍ତି। ଜୀବନ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଜଣେ ବହୁତ ଭଲ ବ୍ୟକ୍ତି ବୋଲି କହିବା ସହ ତାଙ୍କର ପରିବାର ଲୋକ ମଧ୍ୟ ଭଲରେ ରୁହନ୍ତୁ ବୋଲି କହିଛନ୍ତି ଜୀବନ।