Permanent Solution of Flood: ବର୍ଷା ଦିନ ଆସିଲେ ଭଦ୍ରକ ଜିଲ୍ଲାବାସୀଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟେ କଣ୍ଟିଘାଇ ଏସ୍କେପ୍। ଜିଲ୍ଲା ଭଣ୍ଡାରପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଅଧିନସ୍ଥ ରଘୁନାଥପୁର ମୌଜା ଠାରେ ଅବସ୍ଥିତ ବୈତରଣୀ ନଦୀର ବାମ ପାର୍ଶ୍ୱରେ କଣ୍ଟା ସାଜିଥିବା ଏହି କଣ୍ଟିଘାଇ ଏସ୍କେପ ୧୯୭୧ ମସିହାରେ କ୍ରୁତିମ ଭାବେ ଜଳ ସମ୍ପଦ ବିଭାଗ ଦ୍ଵାରା ସୃଷ୍ଟି କରାଯାଇଥିବା ଏହି ଘାଇ ସରକାରୀ ରେକର୍ଡ ପତ୍ରରେ ଏସ୍କେପ ମାନ୍ୟତା ପାଇଛି। ପ୍ରତି ବର୍ଷ ବୈତରଣୀ ନଦୀରେ ବନ୍ୟା ଆସିଲେ ବନ୍ୟାଜଳରୁ ପ୍ରାୟ ଏକ ତୃତୟାଂଶ ଜଳ ଏହି କଣ୍ଟିଘାଇ ଦେଇ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଯାହା ଦ୍ୱାରା ଭଦ୍ରକ ଜିଲ୍ଲାର (Bhadrak District) ଭଣ୍ଡାରିପୋଖରୀ (Bhandaripokhari), ଧାମନଗର (Dhamnagar), ତିହିଡି (Tihdi), ଚାନ୍ଦବାଲି (Chandabali) ବ୍ଲକର ପ୍ରାୟ ୪୦ ପଞ୍ଚାୟତ ଜଳମଗ୍ନ ହୋଇଯିବା ସହ ଜୀବନ ଜୀବିକା ପ୍ରଭାବିତ ହୋଇଥାଏ। ବନ୍ୟା ହେବା ଦ୍ବାରା ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ଚରି ଯାଇ ଚାଷ ଜମିକୁ ଚାଷ ଅନୁପଯୋଗ କରି ଦେଇଥାଏ। ଗତ  ୨୦୧୧ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଣ୍ଟିଘାଇ ପରିଦର୍ଶନ କରିବା ପରେ କେବଳ ପଥର ବନ୍ଧକୁ କଂକ୍ରିଟ କରି ଦେଇଥିଲା ଯାହା ନଦୀ ପଥରୁ ୨ ଫୁଟ୍ ନିମ୍ନ ଶଯ୍ୟାରେ ଥିଲା। ଏପଟେ ବର୍ତ୍ତମାନ ବୈତରଣୀ ନଦୀ ବାମପାର୍ଶ୍ୱ ନଦୀ ବନ୍ଧ ସମେତ କଣ୍ଟିଘାଇ ସ୍ଥିତି ଯାହା, ଯଦି ଆଗାମୀ ଦିନରେ ସେଭଳି ଭାବେ ବନ୍ୟା ଆସେ ତେବେ ଭଦ୍ରକ ଜିଲ୍ଲାବାସୀ ଭାସିଯିବା ଥୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


ଏହା ଦୀର୍ଘ ଦିନର ସମସ୍ୟା ହୋଇଥିଲେ ସୁଦ୍ଧା ପ୍ରଶାସନ ଏହା ଉପରେ କୌଣସି ଦୃଷ୍ଟି ଦେବାତ ଦୂରର କଥା, ଏହାର ସ୍ଥାୟୀ ସମାଧାନ ପାଇଁ ଜନପ୍ରତିନିଧି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ଏପରିକି ଜଳ ସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାର ସମାଧାନ ବଦଳରେ ଲେଉଟିଆ କିଆରୀ ପାଲଟିଥିବା ଏହି କଣ୍ଟାଘାଇରେ ପ୍ରତି ବର୍ଷ ବନ୍ୟା ପରେ ପଥର ପ୍ୟାକିଂ ନାମରେ କୋଟି କୋଟି ଟଙ୍କା ହରିଲୁଟ କରାଯାଉଛି । ତୁରନ୍ତ ଏହାର ସ୍ଥାୟୀ ସମାଧାନ ପାଇଁ ଏସ୍କେପ ଉଚ୍ଚତା ବୃଦ୍ଧି, କଲଭଟ୍ ନିର୍ମାଣ, ଜଳ ନିଷ୍କାସନ ଗେଟ୍ ଆଦି ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇ ଆସୁଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଏହା ଉପରେ କର୍ଣ୍ଣପାତ କରୁନାହାଁନ୍ତି। 


ବନ୍ୟା ଆସିଲେ ସରକାର ଚୁଡା ଗୁଡ ଦେଇ ଚାଲିଯାଉଛନ୍ତି। ପ୍ରତିବର୍ଷ ବନ୍ୟା ପାଣିରେ ଆମେ ରହୁଛୁ ହେଲେ ଆମ ବର୍ଷକର ପରିଶ୍ରମର ଚାଷ ଏଇ ବନ୍ୟା ଉଜାଡି ଦୋଉଛି। ଆଉ ଆମର ରିଲିଫ ଆବଶ୍ୟକ ନାହିଁ କିମ୍ବା ଚୁଡାଗୁଡ ଆବଶ୍ୟକ ନାହିଁ। ଆବଶ୍ୟକ କେବଳ ବୈତରଣୀ ଏବଂ ଗେଙ୍ଗୁଟି ନଦୀରେ ଥିବା ସମସ୍ତ ଏସ୍କେପ ଉଚ୍ଚତା ବୃଦ୍ଧି କରି ତୁରନ୍ତ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ଧାମନଗର, ଭଣ୍ଡାରିପୋଖରୀ, ତିହିଡି ଅଞ୍ଚଳର ଲୋକେ ନିବେଦନ କରିଛନ୍ତି।