olive ridley turtle : ପୁରୀ: ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ ସମୁଦ୍ରରେ ଅଲିଭ ରିଡଲେ କଇଁଛ ଅସୁରକ୍ଷିତ। ବେଳାଭୁମୀର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଏକାଧିକ କଇଁଛଙ୍କର ମୃତଦେହ। କେତେବେଳେ କୁକୁର ଝିଙ୍କି ଖାଉଛି ତ ଆଉ କେତେବେଳେ କୁଆମାନଙ୍କର ଖାଦ୍ୟ ସାଜିଛନ୍ତି ଏହି ଅଲିଭ ଲିଡଲେ। ସାତପଡାରୁ ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ବି କଇଁଛଙ୍କର ମୃତଦେହ ନଜରକୁ ଆସୁଛି। ଆଜି ମଧ୍ୟ ଏକ ବିରାଟ ଅଲିଭ ରିଡଲେ କଇଁଛର ମୃତଦେହ ନିଳାଦ୍ରୀ ବେଳାଭୂମୀରେ ପଡିଥିବା ଦେଖିବାକୁ ମିଳିଛି। ଏହି ମୃତ ଅଲିଭରିଡଲେ କଇଁଛର ଲମ୍ବ ପ୍ରାୟ ସାଢେ ତିନିଫୁଟ ଥିବା ବେଳେ ଓସାର  ଅଢେଇ ଫୁଟ ଥିବା ଅନୁମାନ କରାଯାଉଛି। ଓଜନ ପ୍ରାୟ ପଚାଶ କେଜିରୁ ଅଧିକ ହେବ ବୋଲି ପ୍ରତ୍ଯକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ତେବେ ମୃତ କଇଁଛର ପେଟ ପାର୍ଶ୍ୱରେ ଗଭୀର କ୍ଷତ ଚିହ୍ନ ଥିବାବେଳେ ରକ୍ତ ଜୁଡୁବୁଡୁ ହୋଇଥିବା ଜଣାପଡିଛି। ଫଳରେ ଟ୍ରଲର ମାଡରେ ଏହି ନିରୀହ ଅଲିଭ ରିଡଲେ କଇଁଛର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ମୃତ ଅଲିଭରିଡଲେ କଇଁଛକୁ ଜବତ କରାଯାଇନାହିଁ। ତେବେ ବନବିଭାଗର ଦାୟିତ୍ବ ହିନତା ଯୋଗୁଁ କଇଁଛ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହେଉଥିବା ଅଭିଯୋଗ ହେଉଛି। ଅନ୍ଯପଟେ ମୃତ କଇଁଛଙ୍କୁ ପୋତିଦେବା ନେଇ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଫଳରେ ଏହା ପଚିଷଢି ଯିବା ସହ ସୁବର୍ଣ୍ଣ ବେଳାଭୁମୀରେ ଏକ ଦୁର୍ଗନ୍ଧମୟ ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। କେବଳ ପୁରୀର ନିଳାଦ୍ରୀ ବେଳାଭୂମି ନୁହେଁ ଅସ୍ତରଙ୍ଗରୁ ସାତପଡା ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ବେଳାଭୂମୀରେ ବିଭିନ୍ନ ସମୟରେ ଏକାଧିକ ନିରୀହ ଅଲିଭରିଡଲେ କଇଁଛଙ୍କ ମୃତଦେହ ପଡୁଥିବା ନଜରକୁ ଆସୁଛି।  


ସାତପଡାରୁ ଅସ୍ତରଙ୍ଗର ଦେବୀ ମୁହାଣ ପର୍ଯ୍ୟନ୍ତ ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା କରାଯାଇଛି।  ସମୁଦ୍ର କୂଳରୁ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିଥିଲେ ମଧ୍ୟ ମାଛ ମାଫିଆମାନେ ଏହାକୁ ବେଖାତିର କରିଚାଲିଛନ୍ତି। ନିଷିଦ୍ଧାଞ୍ଚଳରେ ବେଆଇନଭାବେ ଟ୍ରଲର ଚଳାଚଳ ଯୋଗୁଁ ଟ୍ରଲର ମାଡରେ କଇଁଛଙ୍କ ମୃତ୍ୟୁ ଘଟୁଥିବା ପରିବେଶବିତମାନେ ଅଭିଯୋଗ କରୁଛନ୍ତି। ଅନ୍ୟପଟେ ପ୍ରତିକୁଳ ପରିବେଶ ଯୋଗୁଁ ଅନେକ କଇଁଛଙ୍କର ଅକାଳ ମୃତ୍ୟୁ ଘଟୁଥିବା ବେଳେ ଅନେକ ଭୟରେ ଫେରିଯାଉଛନ୍ତି । ତେବେ କଇଁଛ ସୁରକ୍ଷା ନାମରେ ରାଜ୍ଯ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପୁରୀ ସମୁଦ୍ର ବେଳାଭୁମୀରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। 


ସେପଟେ ପ୍ରତିବର୍ଷ ନଭେମ୍ବର ମାସରେ ସମୁଦ୍ରରେ ହୋଇଥାଏ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା। ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ ହୋଇଥିବା ବେଳେ ଏହା ମେ ମାସ ପର୍ଯ୍ୟନ୍ତ ଜାରୀ ରହେ। ଏଥିଲାଗି ହଜାର ହଜାର ସଂଖ୍ୟକ କଇଁଛ ବେଲାଭୂମି ମୁହାଁ ହୋଇଥାନ୍ତି। ସେମାନଙ୍କର ସୁରକ୍ଷା ପାଇଁ ପୁରୀ ଜିଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସମୁଦ୍ରରେ କରାଯାଇଛି ଟ୍ରଲର ଓ ମାଛମରା ଡଙ୍ଗା ଚଳାଚଳ ଉପରେ କଟକଣା। ହେଲେ ଏହି କଟକଣା ସମୟରେ ବେଆଇନ ଟ୍ରଲର ନିଷିଦ୍ଧାଞ୍ଚଳରେ ଚଳାଚଳ ଯୋଗୁଁ ଅନେକ କଇଁଛ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏ ନେଇ ପ୍ରଶାସନ ଅଧିକ ଯତ୍ନବାନ ଓ ସଚେତନ ହେଲେ ବିରଳ ପ୍ରଜାତିର ଅଲିଭ ରିଡଲେଙ୍କ ସୁରକ୍ଷା ହୋଇପାରିବ ବୋଲି ପରିବେଶବିତମାନେ ମତ ଦେଉଛନ୍ତି।


Also Read: ODI World Cup 2023: ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍