Koraput News (ନୀରଜ ଶତପଥି):  କୋରାପୁଟ: କୋରାପୁଟ (Koraput) ଜିଲ୍ଲାରେ ୫ଟି (5T) ବିଦ୍ୟାଳୟ (School) ଗୁଡିକର ବିକଳ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି। ଆବଶ୍ୟକ ଭିତ୍ତିଭୂମି ନ ଥାଇ ବିଦ୍ୟାଳୟ ଗୁଡିକୁ ୫ଟି ରେ ରୂପାନ୍ତରିକରଣ କରାଯାଉଥିବାରୁ କିଛି ନା କିଛି ଅଘଟଣ ବାରମ୍ବାର ଦେଖା ଦେଉଛି। ୫ଟି ବିଦ୍ୟାଳୟ ଗୁଡିକରେ ପିଲାଙ୍କ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦୁରେ ଥାଉ ଏଠାରେ ଛାତ୍ରଛାତ୍ରୀମାନେ ଅସୁରକ୍ଷିତ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ୫ଟି ବିଦ୍ୟାଳୟର ବିକଳ ଚିତ୍ର ଦେଖିବାକୁ ମିଳିଛି କୋଟପାଡ଼ ବ୍ଲକ ଅଞ୍ଚଳରେ।  
 
ଏସବି ନୂଆଗାଁର ସୁନାରପଲ୍ଲୀଠାରେ ଥିବା ଅନୁସୂଚିତ ଜନଯାତି ଓ ଜାତି ବିଭାଗର ସରକାରୀ ଉଚ୍ଚ ଆବାସିକ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଭଳି ଓ କେଉଁ ପରିସ୍ଥିତିରେ ଦୁଇ ଜଣ ଛାତ୍ର ହଷ୍ଟେଲରୁ ବାହାରକୁ ବାହାରି ଦୁର୍ଘଟଣାର ଶିକାର ହେଲେ ତାହା ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି। ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ସେ ନିଜର ଓ ଅନ୍ୟ ସ୍କୁଲ କର୍ମଚାରୀଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଛାତ୍ରଙ୍କ ଉପରେ ଦୋଷ ଲଦିବାକୁ ପଛାଇ ନାହାନ୍ତି।


COMMERCIAL BREAK
SCROLL TO CONTINUE READING

ଶନିବାର ରାତିରେ ଦୁଇଜଣ ଛାତ୍ର ହଷ୍ଟେଲରୁ ବାହାରକୁ ବାହାରି ଯାଇଥିବା ସମୟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହୋଇଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ତ ମେଡିକାଲକୁ ପଠାଇଥିଲେ। ମେଡିକାଲରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 


ଖବର ନେବାରେ ଜଣାପଡିଛି, ଏସବି ନୂଆଗାଁର ଦେଓରଲି ନିକଟରେ ଅଜଣା ଗାଡି ଧକାରେ ମୃତ୍ୟୁବରଣ କରିଥିବା ଛାତ୍ର ଜଣକ ସେମଳା ଗ୍ରାମର ଖଗପତି ପୂଜାରୀ (୧୫) ଓ ଆହତ ଛାତ୍ର ଜଣକ ହର୍ଦୁଲି ଗ୍ରାମର ଅରୁଣ ବୋଲି ଜଣାପଡିଛି। ଉଭୟ ଛାତ୍ର ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ। ଆହତ ପରେ ଉଭୟଙ୍କୁ କୋଟପାଡ଼ ମେଡିକାଲରେ ଅଣାଯାଇଥିଲା। ସେମଳା ଗ୍ରାମର ଛାତ୍ର ଖଗପତି ପୂଜାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହରଦୁଲି ଗ୍ରାମର ଆହତ ଛାତ୍ରଙ୍କ କୋଟପାଡ଼ ମେଡିକାଲକୁ ଅଣାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। 


ସୂଚନାଯୋଗ୍ୟ ହଷ୍ଟେଲର ପଛ ପାଖରେ ସୁରକ୍ଷା ପାଚେରୀ ନ ଥିବାରୁ ପିଲାମାନେ ସେହି ବାଟ ଦେଇ ଯାଇଥିବା ବିଦ୍ୟାଳୟ ତରଫରୁ ସଫେଇ ଦିଆଯାଉଥିବା ବେଳେ ୫ଟି ବିଦ୍ୟାଳୟର ହଷ୍ଟେଲର ଏପରି ଅବସ୍ଥା ଓ ଏହାର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ବହୀନତାକୁ ନେଇ ବର୍ଷିଛନ୍ତି ଗ୍ରାମବାସୀ। ଏପରିକି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବଦଳି କରିବା ସହ ଦୋଷୀ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି ନେଇ ରବିବାର ପରିବାର ଲୋକେ ଓ ଗ୍ରାମବାସୀ ଅଡି ବସିଥିଲେ। ପରେ ଡବ୍ଲ୍ୟୁଇ ଓ  ସପ୍ତାହ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ପରେ ପରିବାର ଲୋକେ ଶବ ବ୍ୟବଛେଦ ପାଇଁ ଅନୁମତି ଦେଇଥିଲେ। କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।


ଜିଲ୍ଲାରେ ରହିଥିବା ୫ଟି ବିଦ୍ୟାଳୟ ଓ ତତସଲଗ୍ନ ହଷ୍ଟେଲ ଗୁଡିକର ଭିତ୍ତିଭୂମିର ବିକାଶ ନ କରି ଉପର ଠାଉରିଆ ଭାବରେ ରଙ୍ଗ ବୋଲି ଦେଇ ରୂପାନ୍ତରିତର ଆଖ୍ୟା ଦେଇଦେଲେ ଆଖିକୁ ବିଦ୍ୟାଳୟ ବାହାର ଭାଗ ଭଲ ଦେଖାଦେଇପାରେ।। କିନ୍ତୁ ଏହା ଦ୍ବାରା ନା ବଦଳିବ ଦୁର୍ଦଶା ନା ବଦଳିବ ଛାତ୍ରଙ୍କ ଭାଗ୍ୟ।