Physical Phenomena in Jagatsinghpur: ଆପେ ଆପେ ଜଳୁଛି ନିଆଁ। ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏପରିକି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବାର କୁହାଯାଉଛି। ଜଗତସିଂହପୁର ଜିଲ୍ଲାର ସଦର ତହସିଲ ଅଧିନସ୍ଥ ସିଂହାରପୁର ଗ୍ରାମ ପଞ୍ଚାୟତର ନବାପାଟଣା ଗ୍ରାମରେ ଏଭଳି ଭୌତିକ କାଣ୍ଡ ଘଟଣା ଦେଖିବାକୁ ମିଳିଛି। ନବାପାଟଣା ଗ୍ରାମର ଭାଗବତ ସାହିରେ ଏପରି ଛାତି ଥରିଲା ଭଳି ଦୃଶ୍ୟ ଦେଖିବା ପରେ ସମସ୍ତ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିଗତ ଦଶ ପନ୍ଦର ଦିନ ହେବ ନବାପାଟଣା ଗ୍ରାମର (Nabapatna Village) ଅଞ୍ଜଳି ସାହୁଙ୍କ ବାଡି ପଟରେ ଅକସ୍ମାତ୍ ଆପେ ଆପେ ନିଆଁ ଲାଗି ଯାଉଛି। ଆଉ କେତେବେଳେ ବାଉଁଶ ବୁଦାରେ ଆଉ କେତେବେଳେ ବାଡିରେ ଗଦା ହେଇଥିବା ଜାଳ ପତ୍ରରେ ନିଆଁ ଲାଗି ଯାଉଛି। ଏପରିକି ଦିନ ଦ୍ବିପ୍ରହର ସମୟରେ ଚାଳ ଛପର ଘରେ ନିଆଁ ଆପେ ଆପେ ଲାଗି ଯାଉଥିବା ବେଳେ ଏହାକୁ କେହି କେହି ଭୌତିକ କାଣ୍ଡ ବୋଲି କହୁଥିବା ବେଳେ, ଆଉ କେହି ଦୁର୍ବୃତ୍ତ ଏଭଳି ଘଟଣା ଘଟାଇ ଥାଇପାରନ୍ତି ବୋଲି କୁହାଯାଉଛି। ଏମିତିକି ଗୁଣିଗାରେଡି ଉପରେ ଭରସା ରଖୁଥିବା ବ୍ୟକ୍ତି ଗୁଣିଗାରେଡି ଦ୍ବାରା ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। 


ହେଲେ ଯେତେ ବେଳେ ଏହି ଅଗ୍ନିକାଣ୍ଡ ଘଟୁଛି, ଭଗବାନ ସାହ ହେଲା ଭଳି ପାଖ ପଡିଶା ଘରର ଯୁବକ ପ୍ରଥମେ ଦମକଳ ବାହିନୀକୁ ଜଣାଇବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ପାଣି ପକାଇ ନିଆଁକୁ ଆୟତ୍ତ କରୁଛନ୍ତି। ହେଲେ ଗତ ଶୁକ୍ରବାରର କରାଳ ଦୃଶ୍ୟ ଥିଲା ଖୁବ୍ ଭୟଙ୍କର। ପ୍ରତି ଏକ ଘଣ୍ଟା ବ୍ୟବଧାନରେ ୪ ଥର ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ (Fire Brigade Team) ବହୁ ପରିଶ୍ରମ କରିବାକୁ ପଡିଥିଲା। ବାରମ୍ବାର ନିଆଁ ଲାଗିବା ଦ୍ୱାରା ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା।


ହେଲେ ଅଞ୍ଜଳି ସାହୁ ଘରେ ନ ଥିବା ବେଳେ ଠିକ୍ ସକାଳ ଦଶଟା ସମୟରେ ପୁନର୍ବାର ତାଙ୍କ ଚାଳ ଛପର ଘରେ ନିଆଁ ଲାଗିଯିବାରୁ ଅନେକ ଆସବାବ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବାର କୁହାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୁନର୍ବାର ନିଆଁକୁ ଆୟତ୍ତ କରିଥିଲା। ସେପଟେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ନବାପାଟଣା ଗ୍ରାମର ଭାଗବତ ସାହି ସମେତ ଅନ୍ୟାନ୍ୟ ସାହିରେ ମଧ୍ୟ ଛନକା ପଶିଗଲାଣି। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, କେହି ଅସାଧୁ ବ୍ୟକ୍ତି ଗୁଣି ଗାରେଡ଼ି, ତନ୍ତ୍ର ସାଧନା ଦ୍ୱାରା ଏଭଳି ଘଟଣା ଘଟାଉଛି। ହେଲେ ଏଭଳି ଭୌତିକ ଘଟଣାକୁ ନେଇ ଗ୍ରାମବାସୀ ଚିନ୍ତିତ ଅବସ୍ଥାରେ ରହିଥିବା ବେଳେ ଏହାର ସତ୍ୟାସତ୍ୟ କେବେ ବାହାରିବ ତାହାରି ଉପରେ ସମସ୍ତଙ୍କ ନଜର। ଜଗତସିଂହପୁର ଜିଲ୍ଲାର (Jagatsinghpur District) ସଦର ତହସିଲ (Jagatsinghpur Tehsil) ଅଧିନସ୍ଥ ସିଂହାରପୁର ଗ୍ରାମ ପଞ୍ଚାୟତର (Singharpur Gram Panchayat) ନବାପାଟଣା ଗ୍ରାମରେ ଘଟୁଥିବା ଏଭଳି ଭୌତିକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।