ସମ୍ବଲପୁର: କୋରୋନା ମହାମାରୀ ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିଲା ଜିଲ୍ଲାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଏବେ ପରିସ୍ଥିତି କିନ୍ତୁ ଭିନ୍ନ। ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରାର ନଗର ପରିକ୍ରମା କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନନ୍ଦପଡା, ଝାଡୁଆପଡା, ମୋଦିପଡା ଯାତ୍ରା କମିଟି। ରବିବାର ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଚଳିତ ବର୍ଷ  ଯାତ୍ରା ଆୟୋଜନ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ନନ୍ଦପଡା ଯାତ୍ରା କମିଟି ୩୦-୩୫ ଲକ୍ଷ ବ୍ୟୟ ଅଟକଳ ରଖିଥିବା ବେଳେ ପ୍ରାୟ 1500 କଳାକାରଙ୍କ ସମାଗମ ହେବ। ସେହିପରି ଝାଡୁଆପଡାରେ ୧୯୦୦ କଳାକାର ସମାଗମ ହେବ ଏବଂ ଏହି କମିଟିର ବ୍ୟୟ ଅଟକଳ ରହିଛି ୩୫ ଲକ୍ଷ ଟଙ୍କା। ମୋଦିପଡ଼ା ଯାତ୍ରା କମିଟି ମଧ୍ୟ ୩୫ ଲକ୍ଷର ବ୍ୟୟ ଅଟକଳ ରଖିଥିବା ବେଳେ ୨୫୦୦ କଳାକାର ଶୀତଳ ଷଷ୍ଠୀ ଯାତ୍ରାରେ ସମାଗମ ହେବେ ବୋଲି ସୂଚନା ଦିଆଯାଇଛି।


ତିନି ପ୍ରମୁଖ ଯାତ୍ରା କମିଟିରେ ଚଳିତ ବର୍ଷ ୬ ହଜାରରୁ ଉର୍ଦ୍ଧ୍ବ କଳାକାରଙ୍କ ସମାଗମ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି। ଚଳିତ ବର୍ଷ ସ୍ଥାନୀୟ ଲୋକକଳା ଲୋକ ସଂସ୍କୃତିକୁ ବେଶ ଗୁରୁତ୍ୱ ଦେଇଛନ୍ତି ସମସ୍ତ ଯାତ୍ରା କମିଟି। ନବ ବିବାହିତ ଦେବ ଦମ୍ପତ୍ତିଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମକୁ ଉଚ୍ଚକୋଟୀର କରିବା ପାଇଁ ରାଜ୍ୟ ବାହାରୁ ମଧ୍ୟ ଅନେକ କଳାକାରଙ୍କୁ ଅଣାଯିବାର ସମସ୍ତ ବନ୍ଦୋବସ୍ତ ସରିଥିବା ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।