Puri: ପୁରୀ କୋଣାର୍କ ମେରାଇନ ରାସ୍ତାର ରାମଚଣ୍ଡୀରେ ଘଟିଛି ଏକ ଅଘଟଣ । ସେଠାରେ ଚାଲିଥିବା ଟ୍ରାଇଥଲନ୍‌ରେ ଅଂଶ ଗ୍ରହଣ କରିଥିବା ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମଲ୍ଟିସ୍ପୋର୍ଟ କମ୍ପିଟିସନ୍‌ରେ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଶନିବାରଠାରୁ ରାମଚଣ୍ଡୀ ମୁହାଣରେ ଟ୍ରାଇଥଲନ ଆରମ୍ଭ ହୋଇଛି। ଏଠାରେ ଦେଶର ବିଭିନ୍ନ କୋଣରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି। ତେବେ ଏହି ପ୍ରତିଯୋଗିତା ସମୟରେ ନିତିନ ସୋନୀ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ରାଜସ୍ଥାନର ଯୋଧପୁର ଅଞ୍ଚଳରେ। ଏହି କମ୍ପିଟିସନରେ ଦୌଡ଼, ସାଇକେଲ ଚାଳନା ଓ ସ୍ୱିମିଙ୍ଗ ପରି ସାମୂହିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲେ। ଏଥିରେ ନିତିନ ଭାଗ ନେଇଥିଲେ। ପ୍ରତିଯୋଗିତା ଶେଷ କରିବାର କିଛି ମୁହୁର୍ତ୍ତ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ରହୁଥିବା ହୋଟେଲକୁ ଯାଇ ବିଶ୍ରାମ ନେବା ପାଇଁ ଚାହିଁଥିଲେ। କିନ୍ତୁ ତାଙ୍କୁ କୋଣାର୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ଭାଗ ନେଇ ନିତିନ ୧.୫ କିମି ସ୍ୱିମିଙ୍ଗ, ୪୦ କିଲୋମିଟର ସାଇକେଲିଂ ଓ ୧୦ କିଲୋ ମିଟର ଦୌଡ଼ ଶେଷ କରି ସାରିଥିଲେ। ଏହା ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚନ୍ଦ୍ରଭାଗା ଥାନା ଅଧିକାରୀ ରବିନ୍ଦ୍ର ସେଠୀଙ୍କ କହିବା ଅନୁସାରେ ଅସ୍ୱଭାବିକ ଭାବେ ଦେହାନ୍ତ ହୋଇଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଯାଇଛି।


ନିତିନଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରକୁ ଅବଗତ କରାଯାଇଥିବା ପୋଲିସ ଅଧିକାରୀ ଜଣକ କହିଛନ୍ତି। ନିତିନଙ୍କ ମୃତଦେହ ନେବା ପାଇଁ ତାଙ୍କ ବଡ଼ଭାଇ ଆସିଛନ୍ତି। ବ୍ୟବଚ୍ଛେଦ ପରେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ମିଳିଛି। ତେବେ ନିତିନ୍ ଜଣେ ସେନା ଅଧିକାରୀ ଥିବା ସହ ସେ ମୁମ୍ବାଇରେ ରହୁଥିଲେ ବୋଲି ଶ୍ରୀ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।