Srimandir: ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଳମ୍ବ ହୋଇଛି ।  ମହାପ୍ରଭୁଙ୍କ ଗତକାଲିର ନୀତି ଆଜି ସମାପନ ହୋଇଛି । ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି। ପ୍ରାୟ ଦୁଇଘଣ୍ଟା ଅନ୍ତରରେ ରାତି ପହୁଡ ଓ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇଛି। ସୂଚନା ମୁତାବକ ଗତକାଲି ମହାପ୍ରଭୁଙ୍କ ଚାଚେରୀ ବେଶ,ସରସ୍ୱତୀ ପୂଜା ସହ କିଛି ଅଧିକ ନୀତି ରହିଥିଲା। ମାତ୍ର ବେଳେବେଳେ ସମୟକୁ ଦୃଷ୍ଟିରେ ରଖି ପହୁଡ କରାଯାଏ ନାହିଁ। କିନ୍ତୁ ବିଡମ୍ବନାର ବିଷୟ ଆଜି ସକାଳ ୫ଟା ୫ରେ ମହାପ୍ରଭୁଙ୍କ ପହୁଡ ହୋଇଥିଲା ।  ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି। ମଙ୍ଗଳ ଆଳତୀ ମଧ୍ୟ ବିଳମ୍ବରେ କରାଯାଇଛି। ଆଜି ସକାଳ ୭ଟା ରେ ସିଂହଦ୍ୱାର ଖୋଲିଥିଲା।  ନୀତିରେ ବିଳମ୍ବ ଯୋଗୁଁ ଏହାର ପ୍ରଭାବ ସିଧାସଳଖ ଭକ୍ତଙ୍କ ଦର୍ଶନ ଉପରେ ପଡ଼ିଛି।


COMMERCIAL BREAK
SCROLL TO CONTINUE READING

ଫଳରେ ହଜାର ହଜାର ଭକ୍ତ ଘଣ୍ଟାଘଣ୍ଟା ଧରି ବେରିକେଡ ମଧ୍ୟରେ ରହି ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ସକାଳ ଆଠଟା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ଭକ୍ତ। କିନ୍ତୁ ନୀତିକାନ୍ତିରେ ଅବହେଳା ଯୋଗୁଁ ମହାପ୍ରଭୁଙ୍କ ମଙ୍ଗଳଆଳତୀ ଦର୍ଶନ ବିଳମ୍ବ ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେପଟେ ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଘଟଣା ଅନୁଧ୍ୟାନ କରାଯିବ, ଆଉ ଯେମିତି ଏଭଳି ନହେବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ଆଜି ବି ଶ୍ରୀଜିଉଙ୍କ ନୀତି ବିଳମ୍ବିତ ହେବା ନେଇ ଆଶଙ୍କା କରାଯାଉଛି। ପ୍ରଶ୍ନ ଉଠୁଛି, ଯଦି ନୀତି ବିଳମ୍ବ ହେଲା ତାହା ହେଲେ କ’ଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଗଲା।



ଜଗନ୍ନାଥ ମନ୍ଦିରରେ ପାଳିତ ଦୈନିକ ନୀତି ମଧ୍ୟରୁ ଏକ ନୀତି ପହଡ଼,ପହୁଡ଼ ବା ଶୟନ ନୀତି । ଏକ ଛୋଟିଆ ପଲଙ୍କ ଉପରେ ଜଗନ୍ନାଥଙ୍କୁ ଶୁଆଇ ଦିଆଯାଇଥାଏ । ନୀତି ଠାକୁରମାନଙ୍କ ପ୍ରାୟ ୨୨ଟି ନୀତି ମଧ୍ୟରେ ଏହି ନୀତି ହେଉଛି ଶେଷ ନୀତି । ବଡ଼ ଦେଉଳରେ ବିଭିନ୍ନ ଯାନିଯାତ୍ରା ଓ ନୀତି ପାଇଁ ସ୍ୱତନ୍ତ୍ର ବିଗ୍ରହମାନ ରହିଛନ୍ତି । ସେହିପରି ଜଗନ୍ନାଥଙ୍କ ପହଡ଼ ପାଇଁ ମଧ୍ୟ ସ୍ୱତନ୍ତ୍ର ଶୟନ ପ୍ରତିମା ଅଛନ୍ତି ।


ଏହି ଶୟନ ଠାକୁରଙ୍କ ବିଗ୍ରହ ସ୍ୱର୍ଣ୍ଣ ନିର୍ମିତ । ଏହି ପ୍ରତିମାଙ୍କର ଅର୍ଦ୍ଧେକ ଅଂଶ ପୁରୁଷ ଓ ଅନ୍ୟ ଅର୍ଦ୍ଧ ଶରୀର ନାରୀ ଆକୃତି । ଏହି ଶୟନ ପ୍ରତିମା ଲକ୍ଷ୍ମୀ ନାରାୟଣଙ୍କ ସମ୍ମିଳିତ ବିଗ୍ରହ ଅଟନ୍ତି । ଅଷ୍ଟଭୁଜ ବିଶିଷ୍ଟ ଶୟନ ଠାକୁରଙ୍କ ଦକ୍ଷିଣ ହସ୍ତରେ ଶ୍ରୀବିଷ୍ଣୁଙ୍କ ଆୟୁଧ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଆଦି ରହିଥିବାବେଳେ ବାମ ହସ୍ତମାନଙ୍କରେ ଦର୍ପଣ, ପଦ୍ମ, ପୁସ୍ତକ ଓ କଳସ ଆଦି ଧାରଣ କରିଛନ୍ତି । ଏହାଙ୍କୁ ବିଷ୍ଣୁ ଓ ଯୋଗନିଦ୍ରାଙ୍କ ସ୍ୱରୂପ ବୋଲି କହାଯାଏ । ଶୟନ ଠାକୁରଙ୍କ ଡମ୍ବରୁ ନାଦ ବ୍ରହ୍ମର ପ୍ରତୀକ ବୋଲି ଭକ୍ତମାନେ ମନେକରନ୍ତି । ପ୍ରତିଦିନ ବଡ଼ସିଂହାର ଧୂପ ଶେଷ ହେବାପରେ ଖଟ ଶେଯ ମେକାପଙ୍କଦ୍ୱାରା ଭିତରେ ଗର୍ଭଗୃହରେ ରତ୍ନ ପଳଙ୍କ ପକାଯାଏ । ଭଣ୍ଡାର ଘରେ ଥିବା ଶୟନ ପ୍ରତିମାଙ୍କୁ ପାଳିଆ ପୁଷ୍ପାଳକ ନେଇ ବଳଭଦ୍ର ଓ ଜଗନ୍ନାଥଙ୍କ ନିକଟରେ ଯଥାକ୍ରମେ ବିଜେ କରାନ୍ତି । ଏହି ସମୟରେ ଚନ୍ଦନ ଲାଗି କରାଯାଏ । ଶୋଇବା ପୂର୍ବରୁ ପ୍ରଭୁଙ୍କୁ ପଇଡ଼ଟିଏ ଅର୍ପଣ କରାଯାଏ । 


ଏହାପରେ ହଡ଼ପ ନାୟକ ସେବକ ବିଡ଼ିଆ ପାନ ମଣୋହି କରାଇବା ସହ କିଛି ପାନବଟାରେ ମହାପ୍ରଭୂଙ୍କ ପଳଙ୍କ ନିକଟରେ ରଖିଥାନ୍ତି । କାଳେ ରାଗ ଲାଗିଲେ ନିଦ ଭାଙ୍ଗିଯିବ ସେଥିପାଇଁ ଏହି ପାନରେ ଲବଙ୍ଗ ଦିଆଯାଇଥାଏ । ଶେଷରେ ହୁଏ ପହୁଡ଼ ଆରତି । ଜୟ ବିଜୟ ଦ୍ୱାରଠାରେ ଡମ୍ବରୁ ପକାଯାଏ । ଶୟନ ପ୍ରତିମା ଏହି ଡମ୍ବରୁ ଉପରେ ବିଜେ କରନ୍ତି । ପଇଡ଼ ଓ ବିଡ଼ିଆ ମଣୋହି ପରେ କର୍ପୁର ଓ ସଞ୍ଜକାଳି ପିଠଉ ଆଳତି ହୋଇ ପୁଷ୍ପାଞ୍ଜଳି ଦିଆଯାଏ । ଏହି ଉତ୍ତାରେ ଶୟନ ଠାକୁରଙ୍କୁ ମହାପ୍ରଭୁଙ୍କ ପଳଙ୍କକୁ ବିଜେ କରାଯାଇ ଜୟ ବିଜୟ ଓ ଭିତର ଦକ୍ଷିଣ ଦ୍ୱାର ବନ୍ଦ କରି ଦିଆଯାଏ । ଲିଭାଇ ଦିଆଯାଏ ଛାମୁ ବଇଠା ଓ ଅଖଣ୍ଡ ବଇଠା । 


ସେବକେ ମଣିମା ମହାବାହୁଙ୍କୁ ପହୁଡ଼ିବାକୁ ନିବେଦନ କରି କଳାହାଟ ଛାମୁଦୁଆର ଓ ଜୟବିଜୟ ଦ୍ୱାର ବନ୍ଦ କରି ମାଟି ମୁଦ ଦିଅନ୍ତି । ସକାଳେ ଦ୍ୱାର ଫିଟା ସମୟରେ ପ୍ରଭୁଙ୍କ ଶଯ୍ୟାରେ ବିଛଣା ଚାଦର ଆଦି ଇତଃସ୍ତତଃ ପଡ଼ିଥିବା ସେବକମାନେ ଦେଖିବାକୁ ପାଇ ଏହା ପ୍ରଭୁଙ୍କ ଦିବ୍ୟଲୀଳା ବୋଲି ମନେକରନ୍ତି । ଶ୍ରୀ ମନ୍ଦିର ଶ୍ରୀଜଗନ୍ନାଥଙ୍କ ଶୟନ ନୀତିରେ ପାଳିତ ହେଉଥିବା ବିଧିବିଧାନ ଭାରତର ଅନ୍ୟ କୌଣସି ମନ୍ଦିରରେ ଦେଖାଯାଏ ନାହିଁ । 


ପୁରୀରୁ ସଞ୍ଜୟ ମହାପାତ୍ର, ଜି ଓଡି଼ଶା ନ୍ୟୁଜ୍