Sambalpur: ସରିଲା ସମ୍ବଲପୁରୀ ଲୋକ ମହୋତ୍ସବ, ସ୍ମୃତି ସାଉଣ୍ଟିଲେ ବିଦେଶୀ କଳାକାର
Sambalpur News: ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା। ଲୋକ ମହୋତ୍ସବର ଅଧ୍ୟକ୍ଷା ଜିଲ୍ଲାପାଳ ଅନନ୍ୟା ଦାସ ନୋଡାଲ ଅଧିକାରୀ ପ୍ରଦୀପ ସାହୁ, DIG ପ୍ରଦୀପ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାଭାଗୀ ହୋଇଥିଲେ। ମୋଟାମୋଟି ଭାବେ ଏଥର ଲୋକ ମହୋତ୍ସବ ଖୁବ ଧୂମଧାମରେ ପାଳନ ହେବା ସହ ସମସ୍ତେ କହୁଛନ୍ତି ଯେ ପ୍ରକୃତରେ ଏହା ହିଁ ହେଉଛି ଲୋକଙ୍କ ମହୋତ୍ସବ।
Sambalpuri Lok Mahotsav 2023: ରଙ୍ଗବତୀ ଗୀତରେ ଦୁଲୁକିଲା ମଞ୍ଚ। ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀରେ ନାଚିଲେ ଦେଶ ବିଦେଶର କଳାକାର। ସମ୍ବଲପୁର ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ସମଗ୍ର କଳାକାରଙ୍କ ସଙ୍ଗମ ଦେଖିବାକୁ ମିଳିଥିଲା। ବିଦେଶରୁ ଆସିଥବା ଶ୍ରୀଲଙ୍କା ଦଳ ଏବଂ ଦେଶ ତଥା ରାଜ୍ୟର ଲୋକ କଳାକାର ସମ୍ବଲପୁରୀ ଫ୍ୟୁଜନ "ହମ ସବ ଏକ" "ଆମେ ସଭେ ଏକ" ଗୀତରେ ନାଚି ଭିନ୍ନତାରେ ଏକତାର ମନ୍ତ୍ର ବାଣ୍ଟିଥିଲେ। ଗୋଟିଏ ମଞ୍ଚରେ ଶ୍ରୀଲଙ୍କା, ଆସାମ, ପଞ୍ଜାବ, ମହାରାଷ୍ଟ୍ର ବଲାଙ୍ଗୀରର ଘୁଡକା, କଳାହାଣ୍ଡିର ଘୁମୁରା ଏବଂ ସମ୍ବଲପୁରର ସମ୍ବଲପୁରୀ ନାଚ ଦେଖିବାକୁ ମିଳିଥିଲା। ଖୁବ ଧୂମଧାମରେ ସମ୍ପନ୍ନ ହୋଇଛି ଲୋକ ମହୋତ୍ସବ ୨୦୨୩। ଉଦଯାପନୀ ସନ୍ଧ୍ୟାରେ ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସେହି କ୍ରମରେ ବରଗଡ଼ର ଗାନ୍ଧୀ ବାରିକଙ୍କୁ ସମ୍ମାନିତ କରାଯାଇଥିଲା। ସେ ଜଣେ ପୁରୁଷ ହୋଇଥିଲେ ମଧ୍ୟ ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ ମହିଳା ଭାବରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଚଳଚିତ୍ର ଠାରୁ ଆରମ୍ଭ କରି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ତାଙ୍କର କଳା ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ତାଙ୍କୁ ସାର୍ଟିଫିକେଟ ମାନପତ୍ର ଏବଂ ଆର୍ଥିକ ପୁରସ୍କାରରେ ପୁରସ୍କୃତ କରା ଯାଇଥିଲା। ୮୩ ବର୍ଷୀୟ ଯମୁନା ବିଶ୍ୱାଳଙ୍କୁ ମଧ୍ୟ ଲୋକ ମହୋତ୍ସବରେ ତାଙ୍କର "କୃଷ୍ଣଗୁରୁ" ଲୋକ କଳା ପାଇଁ ସମ୍ମାନ ଏବଂ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ଦେଶର ବିଭିନ୍ନ ସ୍ଥାନରେ କୃଷ୍ଣଗୁରୁ ପରିବେଷଣ କରି ଆଜି ପର୍ଯ୍ୟନ୍ତ ସେ ଲୋକ କଳାର ପ୍ରଚାର ପ୍ରସାର କ୍ଷେତ୍ରରେ ବ୍ରତୀ ରହିଛନ୍ତି। ଏହା ପରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତ ବୃତ୍ତ ଚିତ୍ର ମହାନଦୀର "ଖଣ୍ଡି ହୀରାର ନଗରୀ", ଭୁଗା ଟୁପଲି, ସମ୍ବଲପୁରୀ ଖାନ ପାନ, ସମ୍ବଲପୁରୀ କପଟାର ଘର କରଡୋଲା ପ୍ରମୁଖ ପରିବେଷଣ କରାଯାଇଥିଲା। ଏହି ବୃତ୍ତ ଚିତ୍ର ଗୁଡିକୁ ଖୁବ ପ୍ରଶଂସା କରାଯାଇଥିଲା। ଏହା ପରେ ସମ୍ବଲପୁରୀ ଲୋକ ସଂଗୀତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ କଳାକାର ନବୀନ କୁଅଁର, ଲିପିକା ବିଭାର, ପ୍ରିୟଦର୍ଶିନୀ ନାଥ, ସୋମ୍ୟଜିତ ବଡ଼ପଣ୍ଡା ପ୍ରମୁଖ କଣ୍ଠଦାନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ସମ୍ବଲପୁରୀ ଲୋକ ସଂଗୀତ ପର୍ଯ୍ୟାୟ ପରେ ଲୋକ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପର୍ଯ୍ୟାୟ କ୍ରମେ ସମ୍ବଲପୁରର ସମ୍ବଲପୁରୀ, ପଞ୍ଜାବର ଭାଙ୍ଗଡ଼ା, ଆସାମର ବିହୁ, ହରିଆଣାର ଲୋକନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ଶ୍ରୀଲଙ୍କାର ଲୋକନୃତ୍ୟ, କଳାହାଣ୍ଡିର ଘୁମୁରା, ବଲାଙ୍ଗୀରର ଘୁବୁକୁଡୁ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହା ବ୍ୟତୀତ ଦେଶ ବିଦେଶର ସମସ୍ତ ଲୋକ କଳାକାରଙ୍କୁ ନେଇ ଫ୍ୟୁଜନ "ହମ ସବ ଏକ" ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ନିର୍ଦେଶନା ଦେଇଥିଲେ ଗୁରୁ ରଞ୍ଜନ ସାହୁ ଏବଂଗୁରୁ ସୂର୍ଯ୍ୟ ଗୁରୁ। ଯାହା ସମସ୍ତଙ୍କ ହୃଦୟ ଜିତିଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଭିନ୍ନତାରେ ଏକତା। ମଞ୍ଚ ସହ ତଳେ ଏବଂ ଦର୍ଶକ ମଞ୍ଚରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ଖୁବ ଉତ୍ସାହର ସହିତ କଳାକାରଙ୍କ ସହ ତାଳ ଦେଇ ନାଚୁଥିବା ଦେଖିବାକୁ ମିଳିଥିଲା।
ଶ୍ରୀଲଙ୍କାରୁ ଆସିଥିବା କଳାକାରଙ୍କ ମୁହଁରୁ I LOVE SAMBALPUR ଭଳି ସ୍ୱର ମଧ୍ୟ ଶୁଭିଥିଲା। ସମ୍ବଲପୁରର ଆତିଥେୟତା ସେମାନେ ଭୁଲି ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ। ଶେଷରେ ସୁନ୍ଦର ଆତସବାଜୀ ଦେଖିବାକୁ ମିଳିଥିଲା। ସୁନ୍ଦର ସୁନ୍ଦର ରଙ୍ଗ ବେରଙ୍ଗ ଭଳି କି ଭଳି ଫୁଲର ଭ୍ରମ ସୃଷ୍ଟି କରୁଥିବା ବାଣ ସମସ୍ତଙ୍କ ମନ ମୋହିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା। ଲୋକ ମହୋତ୍ସବର ଅଧ୍ୟକ୍ଷା ଜିଲ୍ଲାପାଳ ଅନନ୍ୟା ଦାସ ନୋଡାଲ ଅଧିକାରୀ ପ୍ରଦୀପ ସାହୁ, DIG ପ୍ରଦୀପ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାଭାଗୀ ହୋଇଥିଲେ। ମୋଟାମୋଟି ଭାବେ ଏଥର ଲୋକ ମହୋତ୍ସବ ଖୁବ ଧୂମଧାମରେ ପାଳନ ହେବା ସହ ସମସ୍ତେ କହୁଛନ୍ତି ଯେ ପ୍ରକୃତରେ ଏହା ହିଁ ହେଉଛି ଲୋକଙ୍କ ମହୋତ୍ସବ।