Bhadrak snake rescued , ଭଦ୍ରକ: ଦୀର୍ଘ ୫ ବର୍ଷ ପରେ ଉଦ୍ଧାର ହେଲେ ନାଗ ନାଗୁଣୀ। ଠାକୁର ଘରୁ ଏକ ଟ୍ରଙ୍ଗ ଭିତରେ ନିଜର ବସା ତିଆରି କରିଥିବା ନାଗ ନାଗୁଣୀ ଶୁକ୍ରାବର ସାପ ଧରାଳୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମରେ ଏହି ଘଟଣା ଘଟିଛି। ତେବେ ଏତେ ବର୍ଷ ଘର ଭିତରେ ଦୁଇ ବିଷଧର ସାପ ରହିବା ପରେ ମଧ୍ୟ କାହାର କୌଣସି କ୍ଷତି ହୋଇନଥିବା ଘରର ମାଲିକ ରତ୍ନାକର ଜେନା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ସରପଦା ଗ୍ରାମରେ ଶେଷ ମୁଣ୍ଡରେ ଧାନ ବିଲକୁ ଲାଗି ରତ୍ନାକର ଜେନାଙ୍କ ନୂଆଣିଆ ଚାଳ ଛପର ଘର ରହିଛି। ଘରର ଠାକୁର ଘର ଭିତରେ ଚାବି ନ ଥିବା ପୁରୁଣା ଲୁଗାପଟା ଭର୍ତ୍ତି ଏକ ଟିଣ ବାକ୍ସ ଥିଲା। ଆଉ ସେହି ଟିଣ ବାକ୍ସ ଆଜକୁ ୫ ବର୍ଷ ହେଲା ନାଗ ନାଗୁଣୀଙ୍କ ବାସଗୃହ ପାଲଟି ଥିଲା। ଠାକୁର ଘରୁ ବାହାରକୁ ଯିବା ଆସିବା କରିବା ପାଇଁ ଏକ ସୁଡ଼ଙ୍ଗ ଗାତ ରହିଥିଲା ଆଉ ସେଇ ବାଟ ଦେଇ ସେମାନେ ନିୟମିତ ଯିବା ଆସିବା କରୁଥିଲେ। ହେଲେ ଏକଥା ରତ୍ନାକରଙ୍କ ପରିବାର ଲୋକେ ଜାଣି ପାରି ନ ଥିଲେ। 


Also Read: ନାରୀ ନିର୍ଯାତନା ପାଇଁ ବ୍ରହ୍ମପୁର ବଦନାମ! ତପସ୍ୱିନୀ-ଦୀପିକା ପରେ ସ୍ୱପ୍ନା, ସ୍ୱାମୀ ଘର ଆଗରେ ଦେଲେ ଧାରଣା


ଦୀର୍ଘ ୫ ବର୍ଷ ହେବ ପ୍ରାୟ ସମୟରେ ରତ୍ନାକରଙ୍କ ପରିବାର ବାଡ଼ି ବଗିଚାରେ ଆଉ ଚାଳ ଉପରେ ଗୋଟିଏ ସାପ ଦେଖନ୍ତି, ହେଲେ ସାଧାରଣ ସାପ ଭାବି ଗୁରୁତ୍ଵ ଦିଅନ୍ତି ନାହିଁ। ତେବେ ରତ୍ନାକରଙ୍କ ପୁଅ ଶୁକ୍ରାବର ବାଡିପଟେ ବଡ଼ ନାଗସାପ ଦେଖିଥିଲେ ଓ ତାର ଗର୍ଜନ ଶୁଣି ଭୟଭିତ ହୋଇଯାଇଥିଲେ। ଆଉ ପରିବାର ଲୋକଙ୍କୁ ଏବାବଦରେ ଜଣାଇ ଥିଲେ। ତେବେ ପିଲା ଛୁଆଙ୍କୁ ନେଇ ଘର କରିଥିବା ରତ୍ନାକର ମନରେ ଭୟ ଆସିଲା। ସେ ଗ୍ରାମବାସୀଙ୍କ ସହଯୋଗରେ ସ୍ନେକ ହେଲ୍ପ ଲାଇନର ଶେଖ୍ ମିର୍ଜାଙ୍କୁ ଯୋଗାଯୋଗ କରିଥିଲେ। ମିର୍ଜା ଆସି ବିଭିନ୍ନ ସ୍ଥାନରେ ଖୋଜିବା ପରେ ଶେଷରେ ଘର ବାହାରେ ଠାକୁର ଘରକୁ ଲାଗି ଏକ ଗାତ ଦେଖିଥିଲେ। ଠାକୁର ଘରେ ଖୋଜିବା ବେଳେ ୫ ବର୍ଷ ହେବ ଖୋଲା ହୋଇ ନ ଥିବା ଭଙ୍ଗା ଟିଣ ବାକ୍ସ ଭିତରୁ ପାଞ୍ଚ ଫୁଟ ଓ ସାଢେ଼ ଚାରି ଫୁଟର ନାଗ ନାଗୁଣୀଙ୍କୁ  ଉଦ୍ଧାର କରିଥିଲେ।



ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା, ଧରା ପଡ଼ିବା ପରେ ଅଲଗା ହୋଇଯିବା ଭୟରେ ନାଗ ନାଗୁଣୀ ଦୁହେଁ ଦୁହିଁଙ୍କୁ ଭିଡାଭିଡ଼ି ହୋଇଗଲେ। କିଛି ସମୟ ପାଇଁ ପରସ୍ପରକୁ ଚାହିଁ ପାଟିରେ ପାଟି ଲଗାଇ ଭାବ ବିନିମୟ ମଧ୍ୟ କଲେ। ତେବେ ସେକଥା କେବଳ ସେହି ପ୍ରେମୀ ଯୁଗଳଙ୍କୁ ହିଁ ଜଣା। ଏପରି ଦୃଶ୍ୟ ଦେଖି ଦେଖଣାହାରୀ ବି ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ଦୁଇ ସାପଙ୍କୁ ଦେଖି ଶଙ୍ଖ ହୁଳହୁଳି ଓ ହରିବୋଲ ପକାଇଲେ। ପୁରୁଣା ଘର ଛାଡ଼ି ଯିବାକୁ ଇଚ୍ଛା କରୁ ନ ଥିବା ନାଗ ନାଗୁଣୀଙ୍କୁ ଭୟରେ ଆଉ ଭକ୍ତିରେ ପୂଜା କରି ରତ୍ନାକରଙ୍କ ପରିବାର ଆଉ ସ୍ଥାନୀୟ ବାସିନ୍ଦା ବିଦାୟ ଦେଲେ। ଶେଖ୍ ମିର୍ଜା ବିରଳ ହଳଦିଆ ନାଗ ନାଗୁଣୀଙ୍କୁ ଔପଦା ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।