ପୁରୀ: ବ୍ରିଟିଶ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ମୁକୁଟରେ ଶୋଭା ପାଉଥିବା କୋହିନୂର ହୀରାକୁ ନେଇ ଏବେ ଉଠିଛି ପ୍ରଶ୍ନ। ମହାରାଜା ରଣଜିତ୍ ସିଂହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦାନ କରିଥିବା ସେହି କୋହିନୂର ହୀରା ତତ୍କାଳୀନ ସମୟରେ କୌଣସି କାରଣକୁ ନେଇ ବ୍ରିଟିଶ ହାତରେ ରହିଛି। କିନ୍ତୁ ସେହି କୋହିନୂର ହୀରାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୁର୍ନବାର ଫେରାଇ ଦେବାକୁ ଅନେକ ଦାବି ହୋଇଆସୁଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ଏବେ ରାଣୀଙ୍କ ମୃତ୍ୟୁ ପରେ ପୁଣି ଦାବି ଜୋର୍ ଧରିଛି। କୋହିନୂର ହୀରାକୁ ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ଭାବେ ଉଦ୍ୟମ କରନ୍ତୁ ବୋଲି  ସେବାୟତ, ଗବେଷକ ଓ ଐତିହ୍ୟ ବିଶାରଦମାନେ ଦାବି କରିଥିବା ବେଳେ ଆବଶ୍ୟକ ସ୍ଥଳେ ଆର୍ନ୍ତଜାତୀୟ ଅଦାଲତର ଆଶ୍ରୟ ନେବାକୁ ମଧ୍ୟ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

କୋହିନୂର ହୀରା ଫେରିବା ନେଇ ଦାବି ଜୋର ଧରିଛି। ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଏହି ଦୁର୍ମୂଲ୍ୟ କୋହିନୂର ହୀରା। ସେପଟେ ଏହି ହୀରାକୁ ଫେରାଇ ଆଣିବାରେ ଓଡ଼ିଶା ସରକାର ସଫଳ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ରିଟିଶ ରାଣୀଙ୍କ ମୃତ୍ୟୁ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ। ତତ୍କାଳୀନ ପଞ୍ଜବର ମହାରାଜା ରଣଜିତ୍ ସିଂହ ତାଙ୍କ କୌଳିକ ପଣ୍ଡାଙ୍କ ମାଧ୍ୟମରେ ଏବେ ବ୍ରିଟିଶ ହାତରେ ଥିବା କୋହିନୂର ହୀରାକୁ ମହାପ୍ରଭୁଙ୍କ ଉଦେଶ୍ୟରେ ଦାନ କରିଥିଲେ। କିନ୍ତୁ ବ୍ରିଟିଶ ଶାସନ ଅଧୀନରେ ଥିବା ଭାରତରୁ ତତ୍କାଳୀନ ସମୟରେ ଏହି କୋହିନୂର ହୀରାକୁ ତାଙ୍କ ଗଭର୍ଣ୍ଣର ଜେନେରାଲ ଇଂଲଣ୍ଡ ନେଇଯାଇଥିଲେ। 


ସେହିଦିନ ଠାରୁ ବ୍ରିଟିଶ ହେପାଜତରେ କୋହିନୂର ହୀରା ରହିଆସିଛି । ତାହାକୁ ଫେରାଇ ଆଣିବା ପାଇଁ ଅନେକ ସଂଗଠନ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରିବା ସହ ଏନେଇ ସର୍ବୋଚ୍ଚ ଅଦାଲତର ମଧ୍ୟ ଆଶ୍ରୟ ନେଇଥିଲେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାଭ ଯୋଗୁଁ ସେହି ଦୁର୍ମୂଲ୍ୟ କୋହିନୂର ହୀରା ଓଡିଶାକୁ ଫେରିପାରୁ ନାହିଁ। ଏବେ ରାଣୀଙ୍କ ମୃତ୍ୟୁ ପରେ ଗବେଷକ, ସେବାୟତ, ଐତିହ୍ୟ ଵିଶାରଦ ଓ ଅଗଣିତ ଜଗନ୍ନାଥପ୍ରେମୀ ଏବେ ଆଶାବାଦୀ ହୋଇଛନ୍ତି।


ବ୍ରିଟିଶ ଶାସନରୁ ଭାରତ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୬ ବର୍ଷ ଅତିକ୍ରାନ୍ତ କଲାଣି। କିନ୍ତୁ ଏବେ ମଧ୍ୟ କୋହିନୂର ହୀରାକୁ ନେଇ ବ୍ରିଟିଶ ସରକାର ନିଜର ମାଲିକାନା ସତ୍ତ୍ୱ ଜାହିର୍ କରି ଚାଲିଛି। ତାହାକୁ ଫେରାଇ ଆଣିବା ପାଇଁ ଗତ ୭ ବର୍ଷ ପୂର୍ବେ ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। କେବଳ ସେତିକି ନୁହେଁ ଏନେଇ ମଧ୍ୟ ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନ କରିବା ସହ କୋହିନୂର ହୀରା ଫେରାଇ ଦେବାପାଇଁ ବ୍ରିଟିଶ୍ ରାଣୀଙ୍କୁ ଚିଠି କରିଥିଲେ। ଗତବର୍ଷ ରାଣୀ ଜଗନ୍ନାଥ ସେନାକୁ ଚିଠିର ଉତ୍ତର ଦେବାପରେ କୋହିନୂର ହୀରା ଫେରି ଆସିବା ନେଇ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା। 


କିନ୍ତୁ ସରକାରୀ ସ୍ତରରେ ଉଦ୍ୟମ ନହେବା ଯୋଗୁଁ ଓ ଆଇନଗତ ବିବାଦ ଯୋଗୁଁ ଏପର୍ଯ୍ୟନ୍ତ କୋହିନୂର ହିରା ଫେରିବାରେ ବିଳମ୍ବ ଘଟିଛି। ତେଣୁ ସରକାରୀ ସ୍ତରରେ ଏବେଠାରୁ ଯଦି ଉଦ୍ୟମ କରାଯାଆନ୍ତା ତାହାଲେ କୋହିନୂର ହୀରା ମହାପ୍ରଭୁଙ୍କ ଉଦେଶ୍ୟରେ ଫେରି ଆସିପାରନ୍ତା ବୋଲି ମତ ପ୍ରକାଶ ପାଇଛି। ସେପଟେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି କଥା ଉପସ୍ଥାପନା କରାଯିବ ବୋଲି ପରିଚାଳନା କମିଟିର ସଦସ୍ୟ କହିଥିବା ବେଳେ ଆଗକୁ ଏହି ପ୍ରସଙ୍ଗରେ ଜଗନ୍ନାଥ ସେନା ତରଫରୁ ଆର୍ନ୍ତଜାତୀୟ ଅଦାଲତର ଦ୍ୱାରସ୍ଥ ହେବ ବୋଲି ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।


କୋହିନୂର ହୀରା ଫେରାଇ ଆଣିବା ପାଇଁ ଯଦି ସରକାରୀ ସ୍ତରରେ ଉଦ୍ୟମ ନହୁଏ ତେବେ ଆର୍ନ୍ତଜାତୀୟ ଅଦାଲତର ଆଶ୍ରୟ ନେବବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।