Water Irrigation Project: ସୁବର୍ଣ୍ଣପୁର (ନିରଞ୍ଜନ ମିଶ୍ର): ବିନା ଜଳରେ ଜଳକର। ଚାଷ ଜମିକୁ ପା‌ଣି ଆସୁନଥିବା ବେଳେ ଜଳକର ଆଦାୟ କରୁଛି ପ୍ରଶାସନ। ପାଣି ନ ପାଇଁ ଚାଷ କ୍ଷତି ହେଉଥିବା ବେଳେ ଜଳକର ଆଦାୟକୁ ବିରୋଧ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଚାଷୀ। ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ କେନାଲରେ ପାଣି ମାଡୁନାହିଁ ହେଲେ ଜଳକର ପ୍ରତିବର୍ଷ ଆଦୟ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଏପଟେ କେନାଲରୁ ପାଣି ନ ପାଇ ପ୍ରତି ବର୍ଷ ଚାଷୀ ମରୁଡି ସମ୍ମୁଖୀନ ହେଉଥିବା ବେଳେ ବୋଝ ଉପର ନଳୀତା ବିଡା ପରି ଚଷୀମାନେ ଜଳକର ଗଣି ଚାଲିଛନ୍ତି। ଏପରିକି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ତିଆରି କରାଯାଇଥିବା ପ୍ରକଳ୍ପରେ ଚାଷୀଙ୍କୁ ପାଣି ଯୋଗା ନ ଯାଇ ବେଆଇନ ଭାବେ ମାଛ ଚାଷ କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଆଗରୁ କେନାଲ ଥିଲା କିନ୍ତୁ ନୂତନ ରାସ୍ତା ଫଳରେ କେନାଲ ପୋତି ହୋଇଗଲା। ଜମିକୁ ପାଣି ପାଇଁ ଚାଷୀମାନେ ସ୍ଥାନୀୟ ସରପଞ୍ଚଙ୍କ ଠୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ହାରୀ ଗୁହାରୀ କରି ନିରାଶ ହୋଇଛନ୍ତି।


ଜଳସେଚନ ବିଭାଗର ଅଣଦେଖା ତଥା ବେପାରୁଆ ମନୋବୃତ୍ତି ଯୋଗୁଁ ଶୁଖିଲା ପଡିଛି କେନାଲ। ପ୍ରକଳ୍ପରେ ପାଣି ଭର୍ତ୍ତି ଥିବା ବେଳେ କେନାଲରେ ପାଣି ନାହିଁ ଅଥଚ ଜଳକର ଖଜଣା ଗଣି ଚାଲିଛନ୍ତି ଚାଷୀ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି। ଉଭୟ ଖରିଫ ଓ ରବି ଋତୁରେ ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ କୋଟସମଲାଇ ଗାଁର ଚାଷୀମାନଙ୍କ ଚାଷଜମିରେ ପାଣି ମଡୁଥିଲା। ହେଲେ ଗାଁରେ ନୂତନ ରାସ୍ତା ନିର୍ମାଣ ତଥା ବେଆଇନ ମାଛ ଚାଷ ଯୋଗୁଁ କେନାଲରେ ପାଣି ଆସୁନାହିଁ।


ଫଳରେ ଚାଷୀଙ୍କ ଜମିକୁ ପାଣି ମାଡିପାରୁନାହିଁ। ଯାହା ଫଳରେ ବିଭିନ୍ନ ସମୟରେ ମରୁଡିର ସମ୍ମୁଖୀନ ହେଉଛନ୍ତି ଚାଷୀ। ମାତ୍ର ଚାଷୀମାନଙ୍କ ଠାରୁ ପ୍ରତିବର୍ଷ ଜଳକର ଆଦାୟ କରାଯାଉଛି। ଚାଷୀମାନେ କେନାଲ ଖୋଳିବା ତଥା ବେଆଇନ ମାଛ ଚାଷକୁ ବନ୍ଦ କରିବା ପାଇଁ ଗାଁ ଲୋକ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳିଲା ନାହିଁ। ବେଆଇନ ଜଳକର ଆଦାୟକୁ ବିରୋଧ କରିଛନ୍ତି ଚାଷୀ। ପାଣି ନାହିଁ ତ ଜଳକର ନାହିଁ ବୋଲି ରୋଖ ଠୋକ କହିଛନ୍ତି ଚାଷୀମାନ।


ପୂର୍ବରୁ ଗାଁରେ ଥିବା ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଶହେ ହେକ୍ଟର ଜମିକୁ ପାଣି ମାଡୁଥିଲା। ହେଲେ ରାସ୍ତା କାମ ତଥା ମାଛ ଚାଷ ପାଇଁ ଅନେକ କେନାଲ ଅଚଳ ହୋଇ ପଡିଛି। ଫଳରେ ଜମିକୁ ପାଣି ମାଡି ପାରୁନାହିଁ। ତଥାପି ୫ ବର୍ଷ ହେବ ଜଳକର ଦେଇଆସୁଛନ୍ତି କୋଟସମଲାଇ ଗାଁର ଚାଷୀ। ବିଗତ କ‌ରୋନା ସମୟରେ ମଧ୍ୟ ଜଳକର ଦେଇଛନ୍ତି। ଏବେ ପୁଣି ସ୍ଥାନୀୟ ପ୍ରଶାସନ ଜଳକର ଦେବାକୁ ଜୁଲମ କରୁଥିବା ଅଭିଯୋଗ ହୋଇଛି। 


ଜଳକର ପରିଶୋଧ ନ ହେଲେ ବିଭିନ୍ନ ପ୍ରମାଣପତ୍ର ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଜଳକର ପ୍ରତ୍ୟାହାର କରାଯିବା ସହ ଗ୍ରାମର କେନାଲ ପୁନରୁଦ୍ଧାର କରି ମାଛଚାଷକୁ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଦାବି ପୂରଣ ନ ହେଲେ ଆଗକୁ ଅନ୍ଦୋଳନ କରାଯିବ ବୋଲି ଚଷୀମାନେ କହିଛନ୍ତି। ଅନ୍ୟପଟେ ଚାଷୀଙ୍କ ଜମିକୁ ପାଣି ସୁବିଧା ସହିତ ଜଳକର ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।


ସରକାରୀ ବାବୁଙ୍କ ଦୁରଦୃଷ୍ଟିର ଅଭାବ ତଥା ବେପାରୁଆ ମନୋବୃତ୍ତି ଯୋଗୁଁ ଚାଷୀ ପାଣି ନପାଇ ଜଳକର ବାନ୍ଧୁଛନ୍ତି। ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଚାଷୀଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି।