ଭୁବନେଶ୍ୱର: ଏକ ୟୁଟୁବ ଚ୍ୟାନେଲ ପୋଡକାଷ୍ଟରେ ଉପସ୍ଥାପିକା ବନସ୍ମିତା ପତିଙ୍କ ସହ ସାକ୍ଷାତକାରରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମ୍ପର୍କରେ ମତ ଦେଇ ପୁଣି ବିବାଦକୁ ଆସିଛନ୍ତି ଅଭିନେତା ମନୋଜ ମିଶ୍ର । ତେବେ ଏହି କଥାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠାଇଛନ୍ତି ସାହିତ୍ୟପ୍ରେମୀ ।


COMMERCIAL BREAK
SCROLL TO CONTINUE READING

ଅଭିନେତା ମନୋଜ ମିଶ୍ରଙ୍କ ପିଛା ଛାଡୁନି ବିବାଦ । ତେବେ ଏହି ବିବାଦ ସମ୍ପର୍କରେ ଲେଖିକା ବନସ୍ମିତା ପତି ତାଙ୍କ ପୋଡକାଷ୍ଟରେ ମନୋଜ ମିଶ୍ରଙ୍କୁ ପ୍ରଶ୍ନ କରିଥିଲେ ଯାହାର କିଛି କ୍ଲିପ୍ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାଇରାଲ ହେବାରେ ଲାଗିଛି । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସମ୍ପର୍କରେ ବିବାଦୀୟ କଥା କହିବା ପରେ ବର୍ତ୍ତମାନ ମନୋଜଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି । ଫକୀର ମୋହନ ସେନାପତିଙ୍କ ଉପନ୍ୟାସ 'ରାଣ୍ଡି ପୁଅ ଅନନ୍ତା'ଙ୍କୁ ନେଇ ନୂଆ ସିନେମା ସୁଟିଂ ଚାଲିଛି ଯାହା ଆଗକୁ ରିଲିଜ୍ ହେବାକୁ ଯାଉଛି । ଯେଉଁଥିରେ ଅଭିନେତା ସବ୍ୟସାଚୀ ମିଶ୍ର ଅନନ୍ତା ଭାବେ ପରଦାକୁ ଆସିବେ । ସିନେମାର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିସାରିଛି । ତେବେ ସିନେମାର ନାମକରଣ ସମ୍ପର୍କରେ ମନୋଜ ମତ ଦେବା ପରେ ବର୍ତ୍ତମାନ ଚର୍ଚ୍ଚା ଅଧିକ ହେଉଛି । ମନୋଜ କହିଥିଲେ ଯେ, ମୁଁ 'ରେବତୀ' ଉପନ୍ୟାସର ବହୁତ ବଡ଼ ଫ୍ୟାନ । କିନ୍ତୁ ସମୟାନୁକ୍ରମେ ବହୁ ଶବ୍ଦର ଅର୍ଥ ବଦଳିଛି । ସେହି ଶବ୍ଦକୁ ମୁଁ ଗ୍ରହଣ କରିପାରୁନାହିଁ ଏହି ସମୟରେ । ସେହି ସମୟର ଦୃଶ୍ୟକୁ ଆମେ ବର୍ତ୍ତମାନ ଚିତ୍ରଣ କରିପାରିବା ନାହିଁ । ଯଦି ଫକୀର ମୋହନ ସେନାପତି ବର୍ତ୍ତମାନ ସମୟରେ ସେହି ଉପନ୍ୟାସ ଲେଖିଥାନ୍ତେ ତେବେ ତାହାର ନାମ ଅନ୍ୟ କିଛି ଦେଇଥାନ୍ତେ । ମନୋଜ ପୋଡକାଷ୍ଟରେ ଏକଥା ମଧ୍ୟ କହିଥିଲେ ଯେ, ଓଡ଼ିଆ ସାହିତ୍ୟ ଇତିହାସରେ ଚିତ୍ତରଞ୍ଜନ ଦାସଙ୍କର ଯେଉଁ ବହି ଅଛି ସେଥିରେ ସେ ଫକୀର ମୋହନ ସେନାପତିଙ୍କ ବିଷୟରେ ଲେଖାଯାଇଛି । ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କର 'ଆଖ୍ୟାନ ମଞ୍ଜରୀ' ବହିରୁ ସେ ଅନେକ ପ୍ରେରଣା ପାଇଛନ୍ତି । କିନ୍ତୁ ଚିତ୍ତରଞ୍ଜନ ଦାସଙ୍କୁ କେହି ପ୍ରଶ୍ନ ପଚାରି ନାହାନ୍ତି । ଆଖ୍ୟାନ ମଞ୍ଜରୀରୁ କିଛି ଜିନିଷ କପି କରିଛନ୍ତି ଫକୀରମୋହନ ସେନାପତି ଯାହା ଅନେକ ଲେଖକଙ୍କର ପ୍ରଶ୍ନ ବୋଲି ମନୋଜ କହିଛନ୍ତି । ମନୋଜ ଶେଷରେ କହିଛନ୍ତି ଯେ, ଫକୀର ମୋହନ ସେନାପତି କପି କରିଛନ୍ତି ବୋଲି ମୁଁ କହୁନାହିଁ ବରଂ ଚିତ୍ତରଞ୍ଜନ ଦାସ ଏପରି କାହିଁକି ଲେଖିଛନ୍ତି ପ୍ରଶ୍ନ ତାଙ୍କୁ ହେବା ଆବଶ୍ୟକ ।


ଅନ୍ୟପଟେ ଏହି କଥାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ତଥା ଅଭିନେତା ଦ୍ୱିପନ୍ୱିତ ଦାସମହାପାତ୍ର ସିଧାସଳଖ କିଛି ନକହି ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ବ୍ୟାସେ ଶୁଣୁଛ ?...  କେବଳ ସେତିକି ନୁହେଁ ଅନେକ ଲୋକ ଏହି ପୋଷ୍ଟରେ ନିଜର ପ୍ରତିକ୍ରିୟା ଦେଇ ମନୋଜଙ୍କ ଉପରେ ବର୍ଷିଛନ୍ତି । ଲେଖକ ଅଶୋକ ପଲିତ କମେଣ୍ଟ ମାଧ୍ୟମରେ ଲେଖିଛନ୍ତି ଯେ, ମନୋଜ ମିଶ୍ର କିଛି ଦିନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସହ ସ୍ୱର ମିଳାଇ କୋଶଲ.. ରାଜ୍ୟ ନାରା ଦେଇ କଂଗ୍ରେସ ଟିକେଟରେ ସାଂସଦ ପାର୍ଥୀ ହୋଇ ନିର୍ବାଚନରେ ହାରିଲେ.. ଯେଉଁ ମାନଙ୍କ ପାଇଁ ସେ ଲଢେଇ କରିବେ କହୁ ଥିଲେ ସେମାନେ ହିଁ ତାଙ୍କୁ ହରାଇ ଦେଲେ.. ଏବେ ସାହିତ୍ୟରେ ନିଜ ପାଣ୍ଡିତ୍ୟ ଦେଖେଇବାକୁ ବିଭିନ୍ନ ଓଡ଼ିଆ ଲେଖକ ଓ କବିଙ୍କ ସମ୍ପର୍କରେ ତ୍ରୁଟି ପୂର୍ଣ୍ଣ ମନ୍ତ୍ୟବ ଦେଇ ଅଯଥା ବିବାଦ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି..ତାଙ୍କ ଅବଗତି ପାଇଁ ସୂଚାଇ ଦେବା ପାଇଁ ଆବଶ୍ୟକ ଯେ, ଫକୀର ମୋହନ ସଂସ୍କୃତ ମହା ଭାରତର ଓଡ଼ିଆ ଅନୁବାଦ କରିଥିବାରୁ ତାଙ୍କୁ ବ୍ୟାସକବି ଉପାଧି ଦିଆ ଯାଇଛି । ମନୋଜ ମିଶ୍ର ଗୁଗୁଲ ସର୍ଚ୍ଚ ପଢି ସାହିତ୍ୟରେ ନିଜର ପାଣ୍ଡିତ୍ୟ ଦେଖାଇବାର ଅପଚେଷ୍ଟା ନ କରନ୍ତୁ.. ମଞ୍ଜରୀ ଆଖ୍ୟାନରୁ ଫକୀର ମୋହନ କଣ ନେଇଛନ୍ତି ? ମନୋଜ ମିଶ୍ର ପ୍ରମାଣ ସହ ଉପସ୍ଥାପିତ କରିବା ପାଇଁ ଅନୁରୋଧ ।


ସୋସିଆଲ ମିଡିଆରେ ବିବାଦ ଉପୁଜିବା ପରେ ଅଭିନେତା ମନୋଜ ମିଶ୍ର ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଯେଉଁ  ମହାଶୟ ମାନେ ପୋଡକ୍ୟାଷ୍ଟ ପୁରା ନଦେଖି ମତେ ଗାଳି ଦେଉଛନ୍ତି, ଦେଖନ୍ତୁ ମୁଁ କଣ କହିଛି। ଦମ୍ ଅଛି ଯଦି, ଯିଏ କହିଛନ୍ତି ତାଙ୍କୁ ପଚାରନ୍ତୁ । କିଛି ବି ମତେ କହିବା ଆଗରୁ ଦୟାକରି ପ୍ରଥମେ "C.R DAS" ଙ୍କ **ଓଡ଼ିଆ ସାହିତ୍ୟର ଇତିହାସ** ବହି ପଢନ୍ତୁ, Page no -176 ର ଶେଷ ଲାଇନ୍ ।


ସୂଚନାଯୋଗ୍ୟ, ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ମନୋଜ ନିଜ ପ୍ରଥମ ପତ୍ନୀ ମାନା ମିଶ୍ରଙ୍କୁ ଛାଡପତ୍ର ଦେଇ ଅଭିନେତ୍ରୀ ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ । ଏଥିସହ ତାଙ୍କ ନାମରେ ଏଣୁତେଣୁ ଖବର ପ୍ରସାରଣ କରୁଥିବା କିଛି ୟୁଟୁବ ଚ୍ୟାନେଲ ନାମରେ ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ, 'ସିନେମା ଆଇ ଲଭ୍ ୟୁ 2' ର ବିଷୟବସ୍ତୁ ଆଦୌ ଭଲ ନୁହେଁ ଏବଂ ଏହା ଏକ ଫ୍ଲପ ସିନେମା ବୋଲି ମନୋଜ ଗଣମାଧ୍ୟମରେ କହିଥିଲେ । ପ୍ରଯୋଜକ ଟୁଟୁ ନାୟକଙ୍କୁ କାଉଣ୍ଟର କରି ମନୋଜ କହିଥିବା ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା ।


Also Read- Top 10 News: AAPକୁ ଆଉ ଏକ ଝଟକା ଖବର ସହ ଅନ୍ୟାନ୍ୟ ଅପଡେଟ୍


Also Read- Weekly Health Horoscope: ନୂଆ ସପ୍ତାହରେ କିପରି ରହିବ ସ୍ୱାସ୍ଥ୍ୟ ? ପଢ଼ନ୍ତୁ ରାଶିଫଳ