Ahalya: ଅହଲ୍ୟା କ`ଣ ପାଷାଣୀ ହେବାକୁ ଚାହେଁ ?
Ahalya: ଅହଲ୍ୟା`ମାନେ ସବୁବେଳେ ପାଷାଣୀ । କେବେ ସେ ମଣିଷରୁ ପାଷାଣୀ ହୋଇଛି ତ ଆଉ କେବେ ପାଷାଣୀରୁ ମଣିଷ ହୋଇଛି । ଦୁଃଖ, କଷଣ ପାଇବା ଯେମିତି ତାଙ୍କ ଭାଗ୍ୟରେ ଲେଖା ହୋଇଛି । ସଂସାରର ସବୁ ଯାତନାକୁ ସେମାନେ ମୁଣ୍ଡପାତି ସହିଛନ୍ତି , ଅସହ୍ୟ ଯନ୍ତ୍ରଣାସତ୍ୱେ ପ୍ରତିବାଦର ସ୍ୱରକୁ ଅବଦମିତ କରି ରଖିଛନ୍ତି ।
Ahalya: ଅହଲ୍ୟା'ମାନେ ସବୁବେଳେ ପାଷାଣୀ । କେବେ ସେ ମଣିଷରୁ ପାଷାଣୀ ହୋଇଛି ତ ଆଉ କେବେ ପାଷାଣୀରୁ ମଣିଷ ହୋଇଛି । ଦୁଃଖ, କଷଣ ପାଇବା ଯେମିତି ତାଙ୍କ ଭାଗ୍ୟରେ ଲେଖା ହୋଇଛି । ସଂସାରର ସବୁ ଯାତନାକୁ ସେମାନେ ମୁଣ୍ଡପାତି ସହିଛନ୍ତି , ଅସହ୍ୟ ଯନ୍ତ୍ରଣାସତ୍ୱେ ପ୍ରତିବାଦର ସ୍ୱରକୁ ଅବଦମିତ କରି ରଖିଛନ୍ତି । କେବେ ତାଙ୍କ ମୁଣ୍ଡ ଉପରେ ପ୍ରବଳ ଜୁଆର ଯାଇଛିତ ଆଉ କେବେ ସେମାନେ ବଢ଼ି ପାଣିରେ ବୁଡି ରହିଛନ୍ତି । କେବେ ପ୍ରତିବାଦ କରନ୍ତିନି କି କରିବାକୁ ସାହସ ଜୁଟାଇ ପାରନ୍ତିନି । କାହିଁକିନାଁ ସାମାଜିକ ପ୍ରତିବନ୍ଧକ, ପରମ୍ପରା ନାମରେ ଅନ୍ଧ ବିଶ୍ୱାସ ସେମାନଙ୍କ ପାଦକୁ ଶକ୍ତ ଭାବରେ ବାନ୍ଧି ଦେଇଛି । ସମାଜର ରୀତି-ନୀତିକୁ ମାନି ଚାଲିବାକୁ ପଡିଛି ସେମାନଙ୍କୁ । ନହେଲେ ସେ ସମାଜରୁ ବାଛନ୍ଦ ହେବେ, ଏମିତି ଭୟ ସେମାନଙ୍କୁ ସର୍ବଦା ସଂକାଗ୍ରସ୍ତ କରିରଖିଛି । ଏମିତି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ ଫିଲ୍ମ ଅହଲ୍ୟା'ର ବିଷୟବସ୍ତୁ ।
ରାଜଧାନୀର କେନ୍ଦ୍ରସ୍ଥଳ ଜୟଦେବ ଭବନରେ ଚାଲିଥିବା ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ଆଜି ଦ୍ୱିତୀୟ ଦିନରେ ନିର୍ଦେଶକ ବିଜୟ କେତନ ମିଶ୍ରଙ୍କ ନିର୍ଦ୍ଧେଶିତ ଫିଲ୍ମ ଅହଲ୍ୟା ପ୍ରଦର୍ଶିତ ହୋଇଥିଲା । ଡ. ଲଷ୍ମୀପ୍ରିୟା ଆଚାର୍ଯ୍ୟଙ୍କ ବାଲ୍ୟ ବିଧବା ଉପରେ ଆଧାରିତ ଏକ ଗଳ୍ପକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି ।
ଏକ କୁଳୀନ ବ୍ରାହ୍ମଣ ପରିବାରର ଝିଅ ଅହଲ୍ୟା । ସଂସାର କଣ ଜାଣି ନଥିବାବେଳେ ପଡୋଶୀ ଗାଁ ର ଜଣେ ଯୁବକଙ୍କ ସହ ହୁଏ ତାର ବିବାହ । ବିବାହ ଦିନ ଉପନୀତ ହୁଏ । ଘରେ ଉତ୍ସବ, ଭୋଜିଭାତ ହୁଏ । ବରକୁ ସମସ୍ତଙ୍କର ଅପେକ୍ଷା ଥାଏ । ମାତ୍ର ବର ଆସିବା ବଦଳରେ ଆସେ ତାର ମୃତ୍ୟୁ ଖବର । କୂଳପୁରୋହିତଙ୍କ ପରାମର୍ଶରେ ଅହଲ୍ୟା ବାପଘରୁ ବିଧବା ବେଶରେ ଶାଶୂଘରକୁ ଯାଏ । ସେଠାରେ ସମବେଦନା ବଦଳରେ ଆରମ୍ଭ ହୋଇଯାଏ ତା ଉପରେ କଠୋର ନିର୍ଦେଶାବଳି । ନାନାଦି ରୀତି ନୀତିରେ ଜୀବନ ଜିଇଁବାକୁ ବାକୁ ପଡେ ତାକୁ । ସମସ୍ତଙ୍କ ଆଗରୁ ସେ ଉଠେ, ଆଉ ସମସ୍ତେ ଶୋଇବା ପରେ ସେ ଶୁଏ l ଘର ଓଳାଇବା ଠାରୁ ଆରମ୍ଭ କରି ଗୁହାଳ ପୋଛିବା, ଘଷି ପକାଇବା ଠାରୁ ରୋଷେଇ କରିବା ପର୍ଯ୍ୟନ୍ତ ସବୁକାମ ସେ କରେ କେହି ତାକୁ ଆହାଃ କହିବା ବଦଳରେ ଏ କାମ ହେଲାନି ସେ କାମ ହେଲାନି ବୋଲି କହି ଗଞ୍ଜଣା ଦିଅନ୍ତି ।
ତେବେ ଶାଶୁ ଘରକୁ ବାହାହୋଇ ଆସିବା ସମୟ ପରିବାରର ଯେଉଁ ଛୁଆଟି ଜନ୍ମ ହୋଇଥିଲା ତାକୁ (ଅହିନାନି) ଅହଲ୍ୟା ବହୁତ ଭଲ ପାଏ, ଭଲପାଏ କଣ ତାରି ଭିତରେ ନିଜର ମାତୃତ୍ୱକୁ ଦେଖେ । ତାରି ବିବାହ ହେଲା । ଭୋଜିଭାତ ହେଲା । ସାହି ପଡିଶାଙ୍କ ଭିତରେ ସେ ବସି ଖାଇଲା । ନିଜ ଅଜାଣତରେ ସେ ମାଛ ଛିଞ୍ଚଡ଼ା ଖାଇଦିଏ । ଏହାକୁ ସାହି ମାଇପ ଦେଖିଦେଇ ପ୍ରାଘଟ କରିଦିଅନ୍ତି । ଏହାପରେ ଅହିନାନୀକୁ ନାନା କଥା ଶୁଣିବାକୁ ହୁଏ । ସେତିକିରେ ସରିନି ତା ଦୁଃଖ । ପ୍ରାୟଶ୍ଚିତ ସ୍ୱରୂପ ଶୀତ ରାତିରେ ତାକୁ ପଚାଶ ଗରା ପାଣିରେ ଗାଧୋଇବାକୁ ପଡେ, ଓଦା ଲୁଗାରେ ରହିବାକୁ ହୁଏ l ପରିବାରରୁ ବାସନ୍ଦ ହୋଇ ଏକ ପରିତ୍ୟକ୍ତ ଗୁହାଳ ଘରେ ରୁହେ ଅହିନାନି । ଅସହ୍ୟ ହୁଏ ଯନ୍ତ୍ରଣା, ସହିବାର ସବୁ ସୀମା ଅତିକ୍ରମ କରେ । ସେ ପାଷାଣୀରୁ ମୁକ୍ତି ଚାହେଁ, ମୁକ୍ତି ଚାହେଁ... । ପୁଅପରି ଦେଖୁଥିବା ପିଲାଟି ତାକୁ ଘରକୁ ନେଇଯିବାକୁ ଚାହେଁ । ତାର ଦେଖାଶୁଣା କରିବାକୁ ଚାହେଁ । ଏହାକୁ ପ୍ରତ୍ୟାଖାନ କରିଛି ଏହିନାନୀ । ରାଣ ନିୟମ ପକାଇ ତାକୁ ବିଦା କରିଦେଇଛି । ଏହାରି ଭିତରେ ଜ୍ଵର ଦେହରେ କତରା ହୋଇ ପଡିପଡ଼ି ଅହିନାନି ପାଷାଣୀ ଜୀବନରୁ ମୁକ୍ତି ପାଇଯାଏ ।
ଏମିତି ଏକ ଦୁଃଖଦ କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି ଏହାର ବିଷୟବସ୍ତୁ । ଆଜିବି ମଧ୍ୟ ସମାଜରେ ଅନେକ ଅହଲ୍ୟା ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କିଏ ପାଷାଣ ହୋଇ ରହିବାକୁ ଚାଁହୁଥିବାବେଳେ ଆଉ କିଏ ପାଷାଣୀରୁ ମଣିଷ ହେବାକୁ ଚାଁହୁଛି । ଏଥିରେ ସମାଜ ସଂସ୍କାର ପାଇଁ ରହିଛି ଅନେକ ବାର୍ତ୍ତା । ବାଲ୍ୟ ବିବାହ ବିରୋଧରେ ପ୍ରତିବାଦର ସ୍ୱର ବି ରହିଛି । ଏଥିରେ ପ୍ରତ୍ୟେକ ଚରିତ୍ର ହୋଇଛନ୍ତି ଜୀବନ୍ତ । ଫିଲ୍ମଟି ସେତେବେଳେ ସୁନାମ ପାଇଥିଲା, ଆଜିବି ମଧ୍ୟ ସୁନାମ ପାଉଛି । ଯାହାର ଚାକ୍ଷୁଶ ପ୍ରମାଣ ମିଳିଛି ଦର୍ଶକଙ୍କ ଲୋତକ ଚକ୍ଷୁରୁ । ଓଡ଼ିଆ ଫିଲ୍ମ ଦୁନିଆକୁ ସମୃଦ୍ଧ କରିବାରେ ଏହାର ପ୍ରମୁଖ ଭୂମିକା ରହିବ, ଏଥିରେ ଦ୍ୱିମତ ହେବାର ନାହିଁ ।
(ଡ. ମାଧବ ବେହୁରା, ସିନେ ସମୀକ୍ଷକ)