Odisha Film Fare Award: ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ ୩ରୁ ୪ ବର୍ଷ ହେବ ପଡି ରହିଥିବା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ତା ପୂର୍ବରୁ ବିଚାରକଙ୍କ ଦ୍ୱାରା ବିଚାର ହୋଇ ମୁଦା ଲଫାପା ମଧ୍ୟରେ ଥିବା ବିଭିନ୍ନ ବର୍ଗର ଶ୍ରେଷ୍ଠ ପୁରସ୍କାର ନାଁ ଗୁଡ଼ିକ ଘୋଷଣା କରାଯିବ। ଏହା ପରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି ବହୁବର୍ଷ ହେବ ଚଳଚ୍ଚିତ୍ର ସହ ବିଭାଗ ଅଧିନ ଅନ୍ୟାନ୍ୟ ପୁରସ୍କାର ବାକି ପଡ଼ିଛି। ଏହାକୁ ଜାତୀୟ ପୁରସ୍କାର ଶୈଳୀରେ ଅନୁକରଣ କରି ଦିଆଯିବ। ବିଶେଷ କରି ୨୦୨୦ ମସିହାରୁ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇନାହିଁ। ଗତ ବର୍ଷ ଅଗଷ୍ଟରେ ଏକା ବେଳେ ୩ ବର୍ଷ ପାଇଁ ୨୦୨୦-୨୧-୨୨ ମସିହା ପର୍ଯ୍ୟନ୍ତ ୩୨, ୩୩ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ୨ ମାସ ପରେ ୯, ୧୦ ଓ ୧୧ତମ ଟେଲି ପୁରସ୍କାର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଚଳଚ୍ଚିତ୍ର ଆବେଦନ ବିଜ୍ଞପ୍ତିକୁ ବର୍ଷେ ପୂରିଥିବା ବେଳେ ଗୋଟିଏ ବର୍ଷର ବି ପୁରସ୍କାର ଦିଆଯାଇପାରିନି। 


କିନ୍ତୁ ସବୁ କାମ ସରିଛି ପୁରସ୍କାର ଦିଆଯିବାକୁ କାର୍ଯ୍ୟକ୍ରମ ଚାଲିଛି। ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ସୂଚନା ରହିଛି। ଏହା ବ୍ୟତୀତ ୨୦୧୪ ମସିହାରୁ ଭୁବନେଶ୍ୱର ଗଜପତିନଗରରେ ଚାଲିଥିବା ବହୁ ପ୍ରତୀକ୍ଷିତ କଳାମଣ୍ଡଳ ପ୍ରକଳ୍ପକୁ ଆସନ୍ତା ବର୍ଷ ୨୦୨୫ ଏପ୍ରିଲ ସୁଦ୍ଧା ସାରିବାକୁ କୁହାଯାଇଛି। ଓଡ଼ିଆ ଭାଷାକୁ ଡିଜିଟାଲ ସହ ଯୋଡିବା, ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଗୁଡ଼ିକ ଚଳଚଞ୍ଚଳ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବିଭାଗ ଯତ୍ନଶୀଳ ଓ ଦାୟିତ୍ୱର ସହ କାମ ଚଳାଇଛି ବୋଲି ସେ କହିଛନ୍ତି।