ପ୍ରେତାତ୍ମା ସହିତ ବାହାଘର ! ନୂଆ ସିନେମା ହାଫ୍ ଲଭ୍ ଷ୍ଟୋରୀର ପୋଷ୍ଟର ରିଲିଜ୍
ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା ।
Half Love Story: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ରର ପୋଷ୍ଟର ଲୋକାର୍ପଣ ହୋଇଛି । ଶୀତଲ ହୋଟେଲର ଏକ ବର୍ଣ୍ଣାଢ୍ୟ ପରିବେଶରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଅନେକ ସିନେପ୍ରେମୀଙ୍କ ସମେତ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ମହାଡ଼ମ୍ବରରେ ପୋଷ୍ଟର ଲୋକାର୍ପଣ ହୋଇଛି । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ । ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ । ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ ଏବଂ ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ । ଚିତ୍ରତ୍ତୋଳନ ଈଶ୍ୱର ବାରିକ ଏବଂ ସମ୍ପାଦନା ରାଜେଶ ଦା ଥିବାବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ ନାୟକ । ସୃଜନ ଫିଲ୍ମ୍ସ ପୋଷ୍ଟ ପ୍ରଡ଼କସନରେ ସିନେମା ପ୍ରସ୍ତୁତ ହୋଇଛି।
ଏକ ମଫସଲ ଗାଁର ବାପା ମାଆ ଛେଉଣ୍ଡ ଯୁବକ ଶିବୁ ମାମୁଁଙ୍କ ଘରେ ରହେ । ଗାଁରେ ମାମୁଁଙ୍କର ଡାଲି ଚାଉଳ ଦୋକାନଟିଏ ରହିଛି। ହରିଆ ଶିବୁର ଘନିଷ୍ଠ ବନ୍ଧୁ ହୋଇଥିବାବେଳେ ପଡୋଶୀ ଗାଁର ଝିଅକୁ ଦେଖି ଶିବୁ ଖୁବ ପସନ୍ଦ କରିଛି । ଏଥିସହ ଝିଅଟିକୁ ମନେ ମନେ ଭଲ ପାଇବସିବା ପରେ ତାକୁ ବାହା ହେବ ବୋଲି ପ୍ରସ୍ତାବ ଦେଇଛି । ଶିବୁର ପ୍ରସ୍ତାବରେ ଝିଅ ମଧ୍ୟ ରାଜି ହୋଇଯାଇଛି । ମାମୁଁ, ମାଇଁଙ୍କୁ ଏ ପ୍ରସ୍ତାବ ପାଇଁ କହିଛି ହେଲେ ଆଗରୁ କେତେ ଗୁଡ଼ାଏ ପ୍ରସ୍ତାବ ଭାଙ୍ଗିଥିବାରୁ ମାମୁଁ ବିରକ୍ତ ହୋଇଛନ୍ତି । ତଥାପି ମାମୁଁ ମାଇଁଙ୍କୁ ନେଇ ଝିଅ ଘରକୁ ପ୍ରସ୍ତାବ ନେଇ ଯାଇଛି ହେଲେ ଝିଅ ଘରେ କେହି ନଥିବା ଦେଖି ମାମୁଁ ପୁଣି ବିରକ୍ତ ହୋଇ ଫେରିଛନ୍ତି । ଶିବୁ ଝିଅ ସହିତ ପୁଣି ଥରେ ଦେଖା ହେବା ପରେ ସବୁ କଥା କହିଛି ହେଲେ ଝିଅ କହେ ଆଉ ପ୍ରସ୍ତାବ ନୁହଁ ଚାଲ ସିଧା ମନ୍ଦିରରେ ଆମେ ବାହା ହେଇଯିବା । ଗାଁ ମନ୍ଦିରରେ ଶିବୁ ବ୍ରାହ୍ମଣଙ୍କ ସହିତ କଥା ହୋଇ ବାହାଘର କାମ ସାରି ଗାଡ଼ିରେ ବୋହୂକୁ ନେଇ ମାମୁଁ ଘରକୁ ଆସିଛି । ମାଇଁ ବନ୍ଦାଣ ଥାଳି ଧରି ଆସି ଦେଖନ୍ତି ତ ବୋହୂ ନାହିଁ କେବଳ ଶିବୁ । ପୁଣି ବିରକ୍ତ ହୋଇଛନ୍ତି ମାମୁଁ ଓ ମାଇଁ । ଶିବୁ ମନ୍ଦିର ନନାଙ୍କୁ ଯାଇ ପଚାରିଲା ମୁଁ ଯୋଉ ଝିଅକୁ ମନ୍ଦିରରେ ବାହା ହେଲି ସେ ଝିଅକୁ ଦେଖିଛନ୍ତି ବୋଲି ପ୍ରଶ୍ନ କରେ । ନନା ଉତ୍ତରରେ କହିଛନ୍ତି ତମେ ତ ଏକୁଟିଆ ଆସିଥିଲ, ଝିଅ ତ କେହି ସାଙ୍ଗରେ ଆସିନଥିଲେ । ତମେ ମନ୍ତ୍ର ପାଠ କରିବାକୁ କହିଲ ବୋଲି ମୁଁ ସେମିତି କରିଥିଲି । ଶେଷରେ ଫ୍ଲାସବ୍ୟାକ୍ ରେ ଜଣାପଡେ ଶିବୁ ବାହା ହେଇଥିବା ଝିଅ ପ୍ରକୃତ ମଣିଷ ନୁହେଁ ସେ ଗୋଟେ ଆତ୍ମା । କାହାଣୀ ଏତିକିରେ ଶେଷ ହେଉନି ବରଂ ଆରମ୍ଭ ହେଉଛି ।
ତେବେ ମାମୁଁ ଚରିତ୍ରରେ ସ୍ବର୍ଗତ ପିଣ୍ଟୁ ନନ୍ଦ ଏବଂ ମାଇଁ ଚରିତ୍ରରେ ଜ୍ୟୋତି ମିଶ୍ର, ଘନିଷ୍ଠ ବନ୍ଧୁ ହରିଆ ଚରିତ୍ରରେ ହରିହର ମହାପାତ୍ର ଅଭିନୟ କରିଛନ୍ତି । ଶିବୁ ଭୂମିକାରେ ସୁନୀଲ କୁମାର ଏବଂ ନାୟକା ଭୂମିକାରେ କୁକିଜ୍ ସ୍ୱାଇଁ ଏବଂ ମନସ୍ବିନୀ ଅଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ, ବବି ମିଶ୍ର, ସୂର୍ଯ୍ୟ ନାରାୟଣ ଦୋରା ଅଛନ୍ତି । ସିନେମାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଗୌରଭ ଆନନ୍ଦ, କୁଲଦୀପ ପଟ୍ଟନାୟକ, ତାରିକ ଅଜିଜ୍, ବୈଦ୍ୟନାଥ ଦାଶ ଏବଂ ଅସୀମା ପଣ୍ଡା । ଆସନ୍ତା ନଭେମ୍ବର ୧୫ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଏଇ ଓଡ଼ିଆ ଚଳଚ୍ଚିତ୍ର ହାଫ୍ ଲଭ୍ ଷ୍ଟୋରୀ । ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଛୋଟ ପରଦା ହେଉ ଅବା ବଡ଼ ପରଦା, ସବୁ ଚଳଚ୍ଚିତ୍ରକୁ ଦର୍ଶକ ଭଲ ପାଇବା ଦେଇଆସିଛନ୍ତି । ହାଫ୍ ଲଭ୍ ଷ୍ଟୋରୀକୁ ମଧ୍ୟ ଢେର ଭଲ ପାଇବା ଏବଂ ପ୍ରଶଂସା ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ପ୍ରଯୋଜନା ସଂସ୍ଥା ତରଫରୁ ପୂର୍ବରୁ ଦେବଦାସ, ବ୍ୟାଡଗାର୍ଲ, ଧର୍ମ, ଭୈରବ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇସାରିଛନ୍ତି।
Also Read- Mangal Vakri: ୩୦ ଦିନ ପର୍ଯ୍ୟନ୍ତ ଶୁଭ ସମୟ, ଜାଣନ୍ତୁ କେଉଁ ରାଶିକୁ ମିଳିବ ଖୁସି
Also Read- Headache Treatment: ମୁଣ୍ଡବିନ୍ଧା ସମସ୍ୟା ହୋଇଯିବ ଦୂର, କରନ୍ତୁ ଏହି କାମ