Vishwakarma Puja : ଆଜି ଦେବଶିଳ୍ପୀଙ୍କ ପୂଜା। ବିଶ୍ବକର୍ମା ପୂଜା(Vishwakarma Puja) ପାଇଁ ସବୁଠି ଉତ୍ସବ ମୁଖର ପରିବେଶ ।  ସମଗ୍ର ଦେଶରେ ପୂଜା ପାଉଛନ୍ତି ପ୍ରଭୁ ବିଶ୍ୱକର୍ମା । ସେ ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବିଶେଷ କରି ଶିଳ୍ପ କାରଖାନା ଗୁଡିକରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଇଥାଏ।  ହେଲେ କୋଭିଡ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ପୂଜା ଧୁମଧାମରେ ହୋଇପାରି ନଥିବା ବେଳେ ଚଳିତ ବର୍ଷ ପୂଜା ଖୁବ ଆନନ୍ଦ ଉଲ୍ଲାସରେ ସହକାରେ କରାଯାଉଛି। ବିଶେଷ କରି ବୈଷୟିକ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି  ବିଭିନ୍ନ କାର୍ଯ୍ୟାଳୟ, ଗ୍ୟାରେଜ ଓ ଦୋକାନ ଗୁଡିକରେ ଏହି ପୂଜା କରାଯାଇଥାଏ। ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ । ଏହି ପୂଜା ବିଶେଷକରି ଅନୁଗୋଳର ନାଲକୋ ନଗର, ପାରଦ୍ବୀପ, ଓ କୋରାପୁଟର ଦାମନଯୋଡିରେ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ।


COMMERCIAL BREAK
SCROLL TO CONTINUE READING


ପ୍ରତ୍ୟକ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଦେଶରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଥାଏ । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ପ୍ରତ୍ୟକ ବର୍ଷ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତୀ ଦିନ ବିଶ୍ୱକର୍ମାଙ୍କ ପୂଜା କରାଯାଏ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରିଥିଲେ । ସେ ସକଳ ଶିଳ୍ପକଳାର ଜନକ । ପ୍ରାଚୀନ କାଳରେ ମନ୍ଦିର, ଦେବତାମାନଙ୍କର ପ୍ରସାଦ ଓ ଅସ୍ତ୍ରଶସ୍ତ୍ର ଇତ୍ୟାଦି ନିର୍ମାଣ କରିଥିଲେ ବିଶ୍ୱକର୍ମା ।


ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କ ଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।


ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି । ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି । ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ ।  ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର । ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା । ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା । ଏଣୁ ବିଶ୍ୱକର୍ମାଙ୍କୁ ବ୍ରହ୍ମାରୂପେ କଳ୍ପନା କରି ପୂଜା କରାଯାଏ ।