Holi: ଭାରତ ହେଉଛି ବିରୋଧଭାସାର ଦେଶ । ଗୋଟିଏ ପର୍ବ ଭାରତର ବିଭିନ୍ନ ଭାଗରେ ଭିନ୍ନଭିନ୍ନ ଭାବରେ ପାଳନ କରାଯାଏ । ସେମିତି କେଉଁଠି ଜ୍ୱାଇଁଙ୍କୁ ଛପନଭୋଗ ପରସାଯାଏ ତ’ କେଉଁଠି ଗଧରେ ବସିବାକୁ ବାଧ୍ଯ କରାଯାଏ । ଜ୍ୱାଇଁଙ୍କୁ ଗଧରେ ବସାଯାଉଥିବା ଖବର ଆପଣଙ୍କୁ ଚକିତ କରୁଥିବ କିନ୍ତୁ ଏହା ସତ । ଆଉ ଏହାର ସମ୍ପର୍କ ଅଛି ହୋଲି ସହିତ । ହୋଲିକୁ ଆଉ ଅଳ୍ପଦିନ ଥିବାବେଳେ ଆଜି ଆମେ ଭାରତର ଗୋଟିଏ ଗାଁ’ର କାହାଣୀ କହିବୁ,ଯେଉଁଠାରେ ହୋଲି ଦିନ ଜ୍ୱାଇଁଙ୍କୁ ଗଧ ସବାରୀ କରିବାକୁ କୁହାଯାଏ । ହୋଲିର ଏହି ପରମ୍ପରା ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ପ୍ରାୟ 86 ବର୍ଷ ଧରି ଚାଲିଆସୁଛି। ଏହି ପରମ୍ପରା ବିଡ୍ ଜିଲ୍ଲାର କେଜ ତହସିଲର ଭିଡା ଗ୍ରାମରେ ପ୍ରଚଳିତ ଅଛି ।


COMMERCIAL BREAK
SCROLL TO CONTINUE READING

ଗଧ ଉପରେ ବସି ଗାଁ ପରିକ୍ରମା କରନ୍ତି ଜ୍ୱାଇଁ


ହୋଲି ଖେଳିବାର ଏହି ଅଦ୍ଭୁତ ପରମ୍ପରା ଗତ 86 ବର୍ଷ ଧରି ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଚାଲିଆସୁଛି । ସେଠାରେ, ହୋଲି ଦିନ ଘରର ନୂଆ ଜ୍ବାଇଁଙ୍କୁ ପ୍ରଥମେ ଗଧ ଉପରେ ବସାଇ ଗାଁ ବୁଲାଯାଇଥାଏ ଓ ଏହା ସହିତ  ହୋଲି ମଧ୍ୟ ଖେଳାଯାଏ । ଏଠାକାର ଲୋକମାନେ ଏହି ପରମ୍ପରାକୁ ଅତି ଉତ୍ସାହର ସହିତ ପାଳନ କରୁଛନ୍ତି । ଏହି ଦିନ ଗାଁର ନୂତନ ଜ୍ବାଇଁଙ୍କୁ ଗାଁକୁ ଆସି ହୋଲି ପାଳନ କରିବାକୁ ବିଶେଷ ନିମନ୍ତ୍ରଣ ଦିଆଯାଇଥାଏ।


କେବେଠାରୁ ପାଳିତ ହେଉଛି ପରମ୍ପରା?


ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ପ୍ରାୟ 86 ବର୍ଷ ପୂର୍ବେ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଭିଦା ୟେଭଟା ଗ୍ରାମରେ ଦେଶମୁଖ ପରିବାର ରହୁଥିଲେ। ଦେଶମୁଖ ପରିବାରରେ ଗୋଟିଏ ଝିଅ ଥିଲା। ବିବାହ ପରେ ତାଙ୍କର ପ୍ରଥମ ହୋଲିରେ, ଯେତେବେଳେ ଝିଅ ଏବଂ ଜ୍ବାଇଁ ଘରକୁ ଆସିଲେ, ସେତେବେଳ ଜ୍ୱାଇଁ  ହୋଲି ଖେଳିବାକୁ ମନା କରିଦେଇଥିଲେ । ଏହା ପରେ ଜ୍ୱାଇଁଙ୍କୁ  ରଙ୍ଗ ଖେଳିବାକୁ ଶ୍ୱଶୁର ଅନେକ ବୁଝାସୁଝା କରିଥିଲେ । ବହୁ ପରିଶ୍ରମ ପରେ ଜ୍ୱାଇଁ ହୋଲି ଖେଳିବାକୁ ରାଜି ହୋଇଥିଲେ । ଜ୍ୱାଇଁ ରାଜି ହେବା ପରେ ଶ୍ୱଶୁର ଫୁଲରେ ସଜାଯାଇଥିବା ଗୋଟିଏ ଗଧ ଆଣିବାକୁ  ଆଦେଶ ଦେଇଥିଲେ ଏବଂ ତାଙ୍କ ଜ୍ୱାଇଁଙ୍କୁ ତାହା ଉପରେ ବସାଇ ଗାଁ’ ବୁଲାଇଥିଲେ  । ଜ୍ୱାଇଁ ଓ ଶ୍ୱସୁର ଗାଁ ଲୋକଙ୍କ ସହିତ ମିଶି ହୋଲି ଖେଳିଥିଲେ । ସେହିଦିନଠାରୁ ଗାଁରେ ଏହି ପରମ୍ପରା ଚାଲି ଆସୁଛି ।


ପରମ୍ପରା କେଉଁଠାରୁ ଆରମ୍ଭ ହୋଇଥିଲା?


ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ପରମ୍ପରା ଆନନ୍ଦରାଓ ଦେଶମୁଖ ନାମକ ଜଣେ ବାସିନ୍ଦାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଗାଁର ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥିଲେ। ନୂତନ ବରକୁ ଗଧ ଉପରେ ବସାଇ ଗାଁ’ ବୁଲାଇବାର ପରମ୍ପରା ଆନନ୍ଦରାଓଙ୍କ  ଦ୍ୱାରା ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ଏହା ଜାରି ରହିଛି।  ଜ୍ୱାଇଁଙ୍କ ଗଧ ସବାରୀ  ଗାଁ ମଧ୍ୟଭାଗରୁ ଆରମ୍ଭ ହୋଇ 11 ଟା ସମୟରେ ହନୁମାନ ମନ୍ଦିରରେ ଶେଷ ହୁଏ । ଏହି ପରମ୍ପରାରେ ଜ୍ବାଇଁଙ୍କୁ ମଧ୍ୟ ନିଜ ପସନ୍ଦର ପୋଷାକ ଦିଆଯାଏ ।