ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଚରଦାର କପିଳେଶ୍ୱର ମନ୍ଦିର ପ୍ରାଚୀନ ଶୈବପୀଠ ଭାବରେ ବେଶ୍ ପ୍ରସିଦ୍ଧ ଲାଭ କରିଛି । ଏହି ଜିଲ୍ଲାର ଅନେକ ଗାଁରେ କଲାସୀ ଯାତ୍ରା ଅନୁଷ୍ଠିତ ହେଉଥିଲେ ହେଁ, କପିଳେଶ୍ୱର ପୀଠରେ ମା' ଚରଦେଇଙ୍କ ପାଖରେ ପାଳିତ ହେଉଥିବା ଏହି ଯାତ୍ରା ସମ୍ପୂର୍ଣ୍ଣ ନିଆରା । ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ୨ ବର୍ଷ ଧରି ଏଠାରେ ମା' ଚରଦେଇ ମହୋତ୍ସବ ଆୟୋଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ସାଂସ୍କୃତିକ ଦଳ ଏଥିରେ ଭାଗ ନେଇ ବିଭିନ୍ନ ପ୍ରକାର ଲୋକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥାନ୍ତି ।


COMMERCIAL BREAK
SCROLL TO CONTINUE READING

କାର୍ତ୍ତିକ ଶୁକ୍ଳ ଦଶମୀ ଦିନ ଦେବାଦେବୀ, ପ୍ରଭୁ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତକୁ ଯାଉଥିବାରୁ ଏହି ଯାତ୍ରାର ନାମ କଲାସୀ ରଖାଯାଇଥିବା ପୌରାଣିକ ମତ ରହିଛି । ଢ଼ୋଲ, ମହୁରୀ, ନିଶାନ ଆଦି ୧୬ ପ୍ରକାର ଭରବି ବାଦ୍ୟର ତାଳେତାଳେ ବରୁଆ ଦେହରେ ମା' ଆବିର୍ଭୁତ ହୋଇଥାନ୍ତି । ଛତି, ଛତ୍ର ଓ ଘଣ୍ଟର ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ବରୁଆ ମାନେ ଖମ୍ବ ପାଖକୁ ଆସିଥାନ୍ତି । ଏହି ଅବସରରେ ଗତ ୨ ବର୍ଷ ଧରି କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚରଦେଇମହୋତ୍ସବ ଆୟୋଜିତ ହୋଇଆସୁଛି ।


ଗଜପତି ଦ୍ଵିତୀୟ ଅନଙ୍ଗ ଭୀମଦେବଙ୍କ ଅମଳରୁ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ସମୟରେ ମା' ଚରଦେଇଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୁଏ । ସେହିପରି ତିନି ଦିନ ଧରି ପାଳିତ ହେଉଥିବା ଚରଦେଇ ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।