ପ୍ରିୟବ୍ରତ ସାହୁ,ଜି.ଉଦୟଗିରି: ପାନୀୟ ଜଳ ପାଇଁ ବର୍ଷ ତମାମ ହନ୍ତସନ୍ତ ହେଉଥିଲେ ଗ୍ରାମବାସୀ । ହେଲେ ଏବେ ପାହାଡ଼ର ଝର ପାଣିକୁ ବାନ୍ଧି, ବାଉଁଶ ସହ ବାଉଁଶକୁ (Bamboo) ଯୋଡି ଗାଁ ମୁଣ୍ଡକୁ ପାଣି ଆଣିଛନ୍ତି ଗ୍ରାମବାସୀ । ଯାହା ଫଳରେ ଗ୍ରାମର ପାନୀୟ ଜଳର ସମସ୍ୟା କେତେକ ଦୃଷ୍ଟିରୁ ଦୂର ହୋଇପାରିଛି । ଏଭଳି ଉପାୟରେ ପିଇବା ପାଣି ସଂଗ୍ରହ କରୁଛନ୍ତି  ଆଦିବାସୀ ଅଧ୍ୟୁଷିତ (Tribal Dominated) କନ୍ଧମାଳ (Kandhamal) ଜିଲ୍ଲାର ରାଇକିଆ ବ୍ଲକ (Raikia Bloc) ସୁଗଡ଼ବାଡ଼ି ପଞ୍ଚାୟତ ବଡିମାହା ଗ୍ରାମବାସୀ । 


COMMERCIAL BREAK
SCROLL TO CONTINUE READING

ବାଉଁଶ ସହ ବାଉଁଶ ସଂଯୋଗ କରି ପାଣି ଆଣିବା ଘଟଣା କନ୍ଧମାଳ ଜିଲ୍ଲାରେ ନୂଆଁ ନୁହେଁ ପୂର୍ବରୁ ଏଭଳି ଉପାୟରେ ଗାଁ ମୁଣ୍ଡକୁ ଆଣିବାରେ ସଫଳ ହୋଇଛନ୍ତି କନ୍ଧମାଳ ବାସୀ । ଆଜକୁ ୨ ବର୍ଷ ପୂର୍ବେ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ନିସ୍କି ଗ୍ରାମର ଲୋକେ ବାଉଁଶ ଯୋଗେ ଗାଁକୁ ପାନୀୟ ଜଳ ଆଣି ସାରିଛନ୍ତି । ଏହି ଖବର Zee Odishaରେ ପ୍ରଥମେ ପ୍ରସାରଣ ହେବା ସହ ଗ୍ରାମବାସୀଙ୍କ ଇଛାଶକ୍ତିକୁ ସଭିଏଁ କରିଥିଲେ ଢ଼େର ପ୍ରଶଂସା । ଆଉ ଏବେ ସେହି ଉପାୟକୁ ଆପଣାଇଛନ୍ତି ବଡ଼ିମାହା ଗ୍ରାମବାସୀ ।


ଏହି ଗ୍ରାମରେ ପ୍ରାୟ ୩୦ଟି ପରିବାରର ଲୋକ ବସବାସ କରୁଛନ୍ତି । ଗାଁକୁ ଭଲ ରାସ୍ତା ନଥିବା ବେଳେ ଆଜି ଯାଏ ବିଭିନ୍ନ ସମସ୍ୟା ଲାଗି ରହିଛି । ହେଲେ ଗ୍ରାମର ମୁଖ୍ୟ ସମସ୍ୟା ହେଲା ପିଇବା ପାଣିର ସୁବିଧା ନାହିଁ । ଗ୍ରାମରେ ନଳକୂପଟିଏ ନଥିବା ବେଳେ ବର୍ଷ ତମାମ ଗ୍ରାମବାସୀ ବିଲ ପାଣି ଉପରେ ନିର୍ଭର କରିଥାନ୍ତି । ନଚେତ ୫୦୦-୬୦୦ ମିଟର ଦୂରରେ ରହିଥିବା ମକଡମା ପାହାଡ଼ ଉପରେ ଜମି ରହୁଥିବା ଝର ପାଣିକୁ ପାନୀୟ ଜଳ ଭାବେ ସଂଗ୍ରହ କରିଥାନ୍ତି । 


ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିଲେ। ହେଲେ ଏବେ ସେହି ମକଡମା ପାହାଡ଼ ଉପରେ ଜମି ରହୁଥିବା ଝର ପାଣିକୁ ବଡ଼ିମାହା ଗ୍ରାମବାସୀ ବାଉଁଶ ସାହାଯ୍ୟରେ ବାଉଁଶକୁ ବାଉଁଶ ସହ ଯୋଡି ଗାଁ ମୁଣ୍ଡକୁ ଆଣିବାରେ ସଫଳ ହୋଇଛନ୍ତି । ଆଉ ପ୍ରାୟ ୭ ଦିନ ଧରି ଗ୍ରାମର ସଭିଏଁ ଏହି କାର୍ଯ୍ୟରେ ନିଜ ନିଜର ଶ୍ରମ ଦାନ କରି ଗାଁ ମୁଣ୍ଡକୁ ପାଣି ଆଣି ପାରିଛନ୍ତି।



ବାଉଁଶ ମାଧ୍ୟମରେ ଯୋଗେ ପାହାଡର ଝର ପାଣି ଗାଁ ମୁଣ୍ଡକୁ ଆଣିବା ପାଇଁ ବଡ଼ିମାହା ଗ୍ରାମବାସୀଙ୍କୁ ୱାର୍ଡ ଏବଂ ଗୁଞ୍ଜ ନାମକ ଦୁଇଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗର ହାତ ବଢାଇଥିଲେ । ଏବେ ପାହାଡ଼ର ଝର ପାଣି ବାଉଁଶ ଯୋଗେ ଗାଁ ମୁଣ୍ଡରେ ପହଞ୍ଚିବା ସହ ବଡ଼ିମାହା ଗ୍ରାମର ପାନୀୟ ଜଳ ସମସ୍ୟା କେତେକାଂଶରେ ଦୂର ହୋଇଛି । ହେଲେ ପାହାଡ଼ର ଏହି ଝର ପାଣି ଖରା ଦିନେ ଶୁଖିଯାଏ । ପୂର୍ବଭଳି ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହେବେ ବଡିମାହା ଗ୍ରାମବାସୀ । ପ୍ରଶାସନ ଏ ସମସ୍ୟା ପ୍ରତି  ଦୃଷ୍ଟି ଦେଇ ଗ୍ରାମର ପାନୀୟ ଜଳ ସମସ୍ୟାକୁ ଦୂର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସୋମାନେ ଦାବି କରିଛନ୍ତି ।