ଭୁବନେଶ୍ୱର: ଲମ୍ବା ସମୟ ଧରି ଗାଡ଼ି ବାବଦ ଜରିମାନା ଦେଇ ନଥିବା ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସରକାର । ଏଣିକି ସେମାନଙ୍କୁ ଆଉ ବକେୟା ପାଉଣା ଦେବା ଆବାଶ୍ୟକ ପଡ଼ିବ ନାହିଁ । ଏକକାଳୀନ ଦେୟ ଦେଇ ସମସ୍ତ ଜରିମାନାରୁ ମୁକ୍ତି ପାଇପାରିବେ । ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଆଜି ପରିବହନ ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍କ୍ରାପିଂ ଯୋଜନା ଏହାଦ୍ୱାରା ସହଜରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା ଜନ୍ମିଛି । 


COMMERCIAL BREAK
SCROLL TO CONTINUE READING

ଚାଲାଣ, ଜରିମାନା, ଟିକସ ଦ୍ୱାରା ମଟରଯାନ ଚାଳକ ତଥା ମାଲିକଙ୍କୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରୁଥିବା ଓଡ଼ିଶା ମୋଟରଯାନ ଆଇନ ଆଜି ରାଜ୍ୟ ସରକାରଙ୍କ ପାଇଁ ବୋଝ ଭଳି ହୋଇଆସିଛି । ଏହି ଆଇନ ଦ୍ୱାରା ଲୋକଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ପୁନଃ ପୌନିକ ଭାବେ ବଢ଼ିଚାଲିବା ଗାଡ଼ିମାଲିକ ଓ ଡ୍ରାଇଭରଙ୍କୁ ଶୃଙ୍ଖଳିତ କରିବା ବଦଳରେ ଆଇନ ଖିଲାଫକାରୀ ଭାବେ ସୃଷ୍ଟି କରିଛି । ଏପରି ସରକାରୀ ବ୍ୟବସ୍ଥା ସେମାନଙ୍କୁ ବେପରୁଆ ମଧ୍ୟ କରିଛି । ଏପରି ଅବସ୍ଥାରେ ପୁରୁଣା ଗାଡ଼ି ସ୍କ୍ରାପିଂ କରିବା ନିୟମ କାର୍ଯ୍ୟକାରୀ ହେବା ଦିଗରେ ବାଧା ଉପୁଜିଥିଲା । ଏହାବାଦ୍‍ ରାଜ୍ୟ ସରକାରଙ୍କ ପାଖରେ ଅନାଦେୟ ହୋଇ ପ୍ରାୟ ୫୦ ହଜାର ମାମଲା ପଡ଼ି ରହିଥିଲା । ରାଜ୍ୟ ସରକାର ଚାହିଁଲେ ବି ଏପରି ମାମଲାକୁ ସମାଧାନ କରିପାରୁ ନଥିଲେ । ଏଣୁ ପରିସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏହି ନିୟମରେ ଏକକାଳୀନ ବନ୍ଦୋବସ୍ତ ଯୋଜନା ଲାଗୁ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଆଜି ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ଲଗାଇଛନ୍ତି। 


ଅନ୍ୟ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇ ରାଜ୍ୟ ସରକାର ଗୋପାଳପୁର ବନ୍ଦର ସହ ଶିଳ୍ପକୁ ଯୋଡ଼ିବା ଲାଗି ୟୁଟିଲିଟି କରିଡର ନିର୍ମାଣ ଲାଗି ବାଟ ଖୋଲିଛନ୍ତି। ଏହି ଯୋଜନା ପାଇଁ ୧୨୮.୮୮ କୋଟି ଟଙ୍କା ଖର୍ଚ୍ଚ ହେବ। ୫ ବର୍ଷ ଭିତରେ ଏହି ସାଧାରଣ କରିଡରରେ କରାଯିବ। ଇପିସି ମାଧ୍ୟମରେ କାର୍ଯ୍ୟାନ୍ୱୟନ ପାଇଁ ଅନୁମୋଦନ କରାଯାଇଛି। 


ସେହିପରି କଟକର ଚୌଦ୍ୱାରଠାରେ ଏକ ବୟନ ପାର୍କ ପ୍ରତିଷ୍ଠା ଲାଗି ସରକାର ବୟନ ନୀତିରେ କୋହଳ କରିବାକୁ ମଞ୍ଜୁରୀ ଦେଇଛନ୍ତି। ୩ହଜାର କୋଟି ଟଙ୍କା ନିବେଶରେ ଏହି ପାର୍କ ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଥିବାରୁ ରାଜ୍ୟ ସରକାର ନୀତିର ପରିବର୍ତ୍ତନ କରିଥିବା କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା।  


ଓଡ଼ିଶା ଆଇନ ବିଭାଗର ଏହି ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହାଦ୍ୱାରା ଓଡ଼ିଶା ଜିଲ୍ଲା ଓ ସିଭିଲ୍‍ କୋର୍ଟରେ ନିଯୁକ୍ତି ନୀତିକୁ ପରିବର୍ତ୍ତନ କରାଯାଇଛି। ସିରସ୍ତିଦାର ପଦବୀକୁ ମୁଖ୍ୟ ପ୍ରଶାସକ ନାମରେ ନାମିତ କରାଯାଇଛି। 


ଏମ୍ଏସ୍ଏମ୍ଇ ବିଭାଗର ଦୁଇ ନୀତିରେ ପରିବର୍ତ୍ତନ ଲାଗି କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି । ଏହାଦ୍ୱାରା ଓଡ଼ିଶା ଏମ୍ଏାସ୍ଏ ମ୍ଇର ବିକାଶ ନୀତିରେ ପରିବର୍ତ୍ତନ ହୋଇଛି। ଫଳରେ  ଉଦ୍ୟୋଗ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କଠାରୁ ଜମି ନେଉଥିବା ଶିଳ୍ପ ସଂସ୍ଥା ଏଣିକି ସେମାନଙ୍କ ଖର୍ଚ୍ଚରୁ ଷ୍ଟାମ୍ପ ଡ୍ୟୁଟି କିଣିପାରିବେ। ପରେ ସରକାର ତାହା ଫେରସ୍ତ ଦେବେ। ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ସରକାର ଏହି ବ୍ୟବସ୍ଥା କ୍ରହଣ କରିଥିବା କହିଛନ୍ତି ଶ୍ରୀ ଜେନା।  


ସେହିପରି ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ୍‍ ରିସାଇକଲ ଶିଳ୍ପକୁ ନେଗେଟିଭ୍ ତାଲିକାରୁ କଟାଯାଇଛି। ପରିବେଶରେ ସମନ୍ୱୟ ରକ୍ଷା ଲାଗିଏହା ଆବଶ୍ୟକ ଥିବାରୁ ତାହାକୁ ସରକାର ଗ୍ରହଣ କରିଛନ୍ତି। ଏହା ସହ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ରେ ସ୍ପଷ୍ଟିକରଣକୁ ମଧ୍ୟ ସରକାର ସ୍ୱିକୃତୀ ଦେଇଛନ୍ତି।