Moong dal Benefits: ଡାଲି ଜାତୀୟ ଖାଦ୍ୟ ମନୁଷ୍ୟ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ । ଆମର ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ତ୍ୱ ଏହି ଡାଲିରୁ ହିଁ ମିଳିଥାଏ। ବିଭିନ୍ନ ପ୍ରକାରର ଡାଲି ଖାଇବା ଦ୍ୱାରା ରୋଗ ପାଖ ମାଡେ ନାହିଁ। ଆମ ଦେଶର ଲୋକମାନଙ୍କର ଖାଦ୍ୟାଭ୍ୟାସ ଓ ଆବଶ୍ୟକତାକୁ ନେଇ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ କରାଯାଇଥିବା ସୁଷମ ଖାଦ୍ୟର ତାଲିକାରେ ଡାଲିର ସ୍ଥାନ ଦ୍ଵିତୀୟରେ ରଖାଯାଇଛି।  ତେବେ ଏହି ଡାଲି ମଧ୍ୟରୁ ମୁଗ ଡାଲି (Moong dal) ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ପୁଷ୍ଟିସାର ଆମ ହାଡ଼ (Bone) ଓ ମାଂସକୁ ମଜବୁତ ରଖିବା ସହ ରକ୍ତକୁ ସ୍ୱଚ୍ଛ ରଖେ। ଏଥିରେ ପ୍ରାୟ ୨୫% ପୁଷ୍ଟିସାର ଥାଏ। ମୁଗରୁ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇ ପାରୁଥିବାରୁ ରୋଗୀମାନଙ୍କୁ ମଧ୍ୟ ଏହି ଖାଦ୍ୟ ଦିଆଯାଇଥାଏ। ପୁଷ୍ଟିସାର ଛଡା ଏଥିରେ ଥିବା ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଗୁଡିକ ଶରୀରର ରୋଗ ପ୍ରତିରୋଧକ ଶକ୍ତି (Immunity power) ବୃଦ୍ଧି କରିଥାଏ। ତେବେ ଆସନ୍ତୁ ଜାଣିବା ମୁଗ ଡାଲିର ଆଉ କିଛି ଉପକାରିତା (moong dal benefits) ବିଷୟରେ।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ଅଣୁଜୀବ ସଂକ୍ରମଣରୁ ରକ୍ଷା କରେ


ମୁଗଡାଲିରେ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି। ଜୀବାଣୁ, ଭୂତାଣୁ ଓ କବକ ଆଦି ଅଣୁଜୀବଙ୍କ ଦ୍ୱାରା ଆମ ଶରୀରରେ ହେଉଥିବା କ୍ଷୟକ୍ଷତିରୁ ମୁଗ ଡାଲି ରକ୍ଷା କରିଥାଏ। ବୈଜ୍ଞାନିକ ମାନଙ୍କ ଦ୍ୱାରା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଜନିତ ରୋଗକୁ ଦୂର କରିବାରେ ମୁଗ ଡାଲି ସହାୟକ ହୋଇପାରେ। ସାଧାରଣ ଆଣ୍ଟିବାୟୋଟିକ୍ (Antibiotic) ଭାବେ ବ୍ୟବହାର ହେଉଥିବା ଏରିଥ୍ରୋମାଇସିନ୍‌ ପରି ମୁଗ ଡାଲି ମଧ୍ୟ ଆଣ୍ଟିବାୟୋଟିକ (Antibiotic) ପରି କାମ କରିଥାଏ। ଏହାଛଡା ହେଲିକୋବ୍ୟାକ୍ଟର ପାଇଲୋରୀ ପରି ପେଟ ସଂକ୍ରମଣ କରୁଥିବା ଜୀବାଣୁ ଠାରୁ ମଧ୍ୟ ଏହା ଆମ ଶରୀରକୁ ରକ୍ଷା କରିଥାଏ।


ସାଧାରଣତଃ କ୍ୟାଣ୍ଡିଡାଏସିସ୍‌ ପରି କବକ ଜନୀତ ସଂକ୍ରମଣ (Fungal infaction) ରୋଗ ହେଲେ ଫ୍ଲୁକୋନାଜୋଲ ବ୍ୟବହୃତ ହୁଏ। ମୁଗ ଡାଲି ଏହି ଡ୍ରଗ ପରି ଶରୀରରେ କାମ କରିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରେସ୍ପିରେଟୋରୀ ସିନ୍‌ସିଟିଆଲ ଭାଇରସ (RSV) ଓ ହର୍ପସ ସିମ୍ପ୍ଲେକ୍ସ ଭାଇରସ (HSV) ଦ୍ୱାରା ହେଉଥିବା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଗଜା ମୁଗ ଔଷଧ ପରି କାମ କରିଥାଏ।


ମଧୁମେହ ରୋଗୀଙ୍କ ବେଶ ଉପଯୋଗୀ ମୁଗ ଡାଲି


ଛୋଟ ଅନ୍ତଃନଳୀରୁ ଗ୍ଲୁକୋଜର ଅବଶୋଷଣକୁ ହ୍ରାସ କରି ରକ୍ତରେ ଗ୍ଲୁକୋଜର ସ୍ତରକୁ ହ୍ରାସ କରିବାରେ ମୁଗ ଡାଲି ସାହାଯ୍ୟ କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ରୀନ୍‌ ଗ୍ରାମ ଫ୍ଲୋର (Green gram flour) ଅର୍ଥାତ୍ ମୁଗ ଡାଲିରେ ପ୍ରସ୍ତୁତ ମଇଦା ଗୁଡିକ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହାଛଡା ୨୦୧୬ରେ ହୋଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ମୁଗ ଡାଲିରେ ଥିବା କେତେକ ଫେନୋଲିକ କମ୍ପାଉଣ୍ଡ (Phenolic Compound) ଶରୀରରେ ବ୍ଲଡ ସୁଗାର ଲେଭଲ (blood sugar level) କମ୍‌ କରିଥାଏ।


ଉଚ୍ଚ ରକ୍ତଚାପରୁ ମୁକ୍ତି


ଶରୀରରେ ଉଚ୍ଚ ରକ୍ତଚାପ ପାଇଁ ଦାୟୀ ଏକ ଏନଜାଇମର କାର୍ଯ୍ୟକଳାପକୁ ମୁଗ ଡାଲି ରୋକିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏହା ଫଳରେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ। ଶୁଖିଲା ଗଜା ମୁଗ ଗୁଡିକ ବ୍ଲଡ଼ ପ୍ରେସର (Blood Pressure) କମ୍ କରିଥାଏ ବୋଲି ଗବେଷକ ମାନେ ସ୍ପଷ୍ଟ କରିଛନ୍ତି। ଉଚ୍ଚ ରକ୍ତଚାପ (High Blood Pressure) ଦ୍ୱାରା ପୀଡିତ ରୋଗୀମାନେ ନିୟମିତ ନିଜ ଖାଦ୍ୟରେ ଗଜା ମୁଗ ଖାଇବା ଆବଶ୍ୟକ। ତେବେ ଏଥିରେ ପ୍ରଭାବିତ ରୋଗୀମାନେ ଡାକ୍ତରଙ୍କର ପରାମର୍ଶ ନେଇ ଉପଯୁକ୍ତ ଔଷଧ ଖାଇବା ଉଚିତ୍।


କମ୍ କରେ ହାଇକୋଲେଷ୍ଟ୍ରଲ


ଆମ ଶରୀରରେ ଲିପିଡ୍ସ (Lipids) ଓ କୋଲେଷ୍ଟ୍ରଲ ସ୍ତର (Cholesterol) ହ୍ରାସ କରିବାରେ ମୁଗ ଡାଲି (Moong dal) ସାହାଯ୍ୟ କରିଥାଏ। ଏହାସହ ରକ୍ତରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ଏନଜାଇମ ନିର୍ମାଣ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଶରୀରରେ ଏହି ପ୍ରକ୍ରିୟା ପାଇଁ ଭିଟାମିନ (ଇ) (vitamin e) କାର୍ଯ୍ୟ କରିଥାଏ। ଯାହା କି ମୁଗ ଡାଲିର ଏକ ଉପାଦାନ ଅଟେ।


କର୍କଟ ରୋଗ ପାଇଁ ବେଶ ଉପଯୋଗୀ ମୁଗ ଡାଲି


ବିଭିନ୍ନ ଗବେଷଣାରୁ ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ମୁଗ ଡାଲିରେ ଥିବା ସକ୍ରିୟ ଉପାଦାନ (Active Components) ଗୁଡ଼ିକ ସ୍ତନ କର୍କଟ, ହଜମ ପ୍ରକ୍ରିୟା କର୍କଟ (Cancer) ଓ ଲ୍ୟୁକେମିଆ ତଥା ରକ୍ତ କର୍କଟ (Blood cancer) ଭଳି ବିଭିନ୍ନ କର୍କଟ ରୋଗରୁ ରକ୍ଷା କରିବାରେ ସମର୍ଥ୍ୟ ହୋଇଥାଏ। ମୁଗ ଡାଲିରେ ଭିସିଲିନ ନାମକ ଏକ ପ୍ରୋଟିନ୍ (Protin) ରହିଛି। ଏହା ସ୍ତନ କର୍କଟ ପାଇଁ ଦାୟୀ କୋଷ ଗୁଡିକୁ ବଢିବାରୁ ରୋକିଥାଏ। ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ଜୈବିକ ପଦ୍ଧତିରେ ଇଷ୍ଟ ମିଶୁଥିବା ମୁଗଡାଲି ଗୁଡିକ ଟ୍ୟୁମର ହେବାରୁ ରକ୍ଷା କରିଥାଏ। ଏହାଛଡା ଏଥିରେ ଅନେକ ଆଣ୍ଟି କ୍ୟାନ୍ସର ପ୍ରୋପର୍ଟିଜ୍‌ (anti- cancer properties) ରହିଛି।



ହଜମ ପ୍ରକ୍ରିୟା ସରଳ କରେ ମୁଗ ଡାଲି


ମୁଗ ଡାଲି ଏକ ପ୍ରିବାୟୋଟିକ୍ ଭାବରେ କାର୍ଯ୍ୟ କରିଥାଏ। ଅର୍ଥାତ୍ ଏହା କ୍ଷୁଦ୍ର ଅନ୍ତଃନଳୀରେ ହଜମକାରୀ ବ୍ୟାକ୍ଟେରିଆ (Bacterial) ବୃଦ୍ଧିରେ କରିବାରେ ସାହାଯ୍ୟ କରେ। ଏହିପରି ଏକ ସୁସ୍ଥ ହଜମ ପ୍ରକ୍ରିୟାକୁ ବଜାୟ ରଖିବାରେ ମୁଗ ଡାଲି ସାହାଯ୍ୟ କରିଥାଏ।ଏଥିରେ ଥିବା ଡାଏଟାରୀ ଫାଇବର୍ସ ଓ ଓଲିଗୋସାକାରାଇଡ୍ସ ପରି ଉପାଦାନ ଗୁଡିକ ପ୍ରିବାୟୋଟିକ୍ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଥାଏ। ଏହାଫଳରେ କୋଷ୍ଠକାଠିନ୍ୟ, କୋଲେଷ୍ଟ୍ରଲ ବିକାଶ ଓ ମେଦବହୁଳତା କମ କରିବା ପାଇଁ ଏହା ସହାୟକ ହେବା ସହ ହୃଦରୋଗର (Heart Disease) ସମ୍ଭାବନାକୁ ଦୂର କରିଥାଏ। ଏକ ଅଧ୍ୟୟନରେ ଦହି ସହିତ ମୁଗ ଡାଲି, ଓଟସ୍, ବାର୍ଲି ଓ କ୍ୱିନୋଆର ସମିଶ୍ରଣରେ ଏକ ପ୍ରିବାୟୋଟିକ୍ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥିରୁ ଅନୁସନ୍ଧାନକାରୀ ମାନେ ଜାଣିବାକୁ ପାଇଥିଲେ ଯେ, ଏଥିରୁ ବାହାରିଥିବା ଗଜା ମୁଗ ଗୁଡିକ ଶରୀରରେ ଆବଶ୍ୟକ ପ୍ରୋଟିନ୍ ଯୋଗାଇବା ସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥିଲା।


ଚର୍ମକୁ ସୁସ୍ଥ ରଖେ ମୁଗ ଡାଲି


ମୁଗ ଡାଲିରେ ଚର୍ମକୁ ସତେଜ ରଖିବା ପାଇଁ ଆବଶ୍ୟକ ଉପାଦାନ ଗୁଡିକ ବ୍ୟବହୃତ ହୋଇଥାଏ। ଏହା ଦ୍ୱାରା ଚର୍ମରେ ମେଲାନିନ୍‌ (Melanin) ନାମକ ପିଗମେଣ୍ଟ ପ୍ରସ୍ତୁତିରେ ଏହା ବାଧା ସୃଷ୍ଟି କରିଥାଏ। ମେଲାଲିନ୍‌ (Melanin) ଅଧିକ ହେବା ଦ୍ୱାରା ଆମ ଚର୍ମ ଫିକା ଦେଖା ଯାଇଥାଏ। ମୁଗ ଡାଲିକୁ ଘରୋଇ ଉପଚାରରେ ମୋଶ୍ଚରାଇଜର ଭାବେ ବ୍ୟବହାର କରିହେବ।‌


ଯଦି ଆପଣଙ୍କର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି, ତେବେ ଆମକୁ ଆର୍ଟିକିଲ୍ ତଳେ ଥିବା କମେଣ୍ଟ ବକ୍ସରେ କୁହନ୍ତୁ ଓ ଆମେ ଏହାକୁ ଆମର ଆର୍ଟିକିଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିବୁ । ଯଦି ଆପଣ ଏହି ଆର୍ଟିକିଲକୁ ପସନ୍ଦ କରନ୍ତି ତେବେ ଏହାକୁ ସେୟାର କରନ୍ତୁ । ଏହିପରି ଅଧିକ ଆର୍ଟିକିଲ ପଢିବା ପାଇଁ ଆମ ଜି ଓଡ଼ିଶା ନ୍ୟୁଜ ସହିତ ଯୋଡି ରୁହନ୍ତୁ ।


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)