Mithun Sankranti 2023: ସୂର୍ଯ୍ୟଙ୍କୁ ନଅ ଗ୍ରହଙ୍କ ରାଜା ବୋଲି କୁହାଯାଏ । ଆଜି ସୂର୍ଯ୍ୟ ଦେବତା ତୁଳା ଛାଡି଼ ମିଥୁନରେ ପ୍ରବେଶ କରିବେ (Surya Gochar 2023)। ମିଥୁନ ରାଶିରେ ସୂର୍ଯ୍ୟଙ୍କ ଗୋଚର ମିଥୁନ୍ ସଂକ୍ରାନ୍ତି ଭାବେ ଜଣାଶୁଣା । ସମଗ୍ର ବର୍ଷରେ ସମୁଦାୟ ୧୨ଟି ସଂକ୍ରାନ୍ତି ପଡ଼ିଥାଏ । କିନ୍ତୁ ସମସ୍ତ ସଂକ୍ରାନ୍ତି ମଧ୍ଯରେ ମିଥୁନ ସଂକ୍ରାନ୍ତିର (Mithun Sankranti) ବିଶେଷ ମହତ୍ତ୍ୱ ରହିଛି । ମିଥୁନ ସଂକ୍ରାନ୍ତିର କିମ୍ବଦନ୍ତୀ ଅନୁଯାୟୀ, ଏହି ସମୟରେ ତିନି ଦିନର ବସୁଧା ମାଆଙ୍କ ଋତୁସ୍ରାବ (Menstruation) ହୋଇଥାଏ । ମାଟି ମାଆଙ୍କର ମାସିକ ଧର୍ମ ଚାଲିଥିବା ସମୟକୁ ପୃଥିବୀର ବିକାଶର ପ୍ରତୀକ ଭାବରେ ବିବେଚନା କରାଯାଏ ।


COMMERCIAL BREAK
SCROLL TO CONTINUE READING

ବସୁଧା ମାଙ୍କର ହୋଇଥାଏ ମାସିକ ଧର୍ମ


ଋତୁସ୍ରାବ ବା ମାସିକ ଧର୍ମ ମହିଳାମାନଙ୍କୁ ପ୍ରକୃତିର ଏକ ବରଦାନ ଅଟେ । ଏହି ବରଦାନ ଯୋଗୁଁ ମହିଳାମାନେ ମାତୃତ୍ବ ଲାଭ କରିଥାଆନ୍ତି । ମିଥୁନ ସଂକ୍ରାନ୍ତିର କିମ୍ବଦନ୍ତୀ ଅନୁଯାୟୀ, ବସୁଧା ବା ମାଟି ମାଆଙ୍କର ପ୍ରାରମ୍ଭିକ ଦିନରେ ୩ ଦିନ ଧରି ଋତୁସ୍ରାବ ହୋଇଥାଏ । ବସୁଧା ଭଗବାନ ବିଷ୍ଣୁଙ୍କ ଧର୍ମ ପତ୍ନୀ ଅଟନ୍ତି । ପୁରୀ ଜଗନ୍ନାଥ ମନ୍ଦିରରେ ବସୁଧାଙ୍କର ଏକ ଚାନ୍ଦିର ପ୍ରତିମୂର୍ତ୍ତି ରହିଛି । ମାଟି ମାଆଙ୍କ ଏହି ଋତୁସ୍ରାବକୁ ରାଜ୍ୟରେ ବେଶ ଧୁମଧାମର ସହ ପାଳନ କରାଯାଏ । ଏହାକୁ ‘ରଜ’ ପର୍ବ ବୋଲି କୁହାଯାଏ । ରଜ ୩ ଦିନ ଧରି ପାଳନ କରାଯାଇଥାଏ । ଝିଅମାନେ ନୂଆ ପୋଷାକ ପିନ୍ଧି ସଜ ହୋଇ ଦୋଳ ଖେଳିଥାଆନ୍ତି । ରଜ ଓଡ଼ିଶାର ଏକ ମୁଖ୍ୟ ପର୍ବ ହୋଇଥିବାରୁ ପୂର ପଲ୍ଲୀ ଠାରୁ ଆରମ୍ଭ କରି ସହରର ପର୍ଯ୍ୟନ୍ତ ସବୁଠାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ । ତିନି ଦିନ ଯାଏଁ ଘରେ ଘରେ ଜମିଥାଏ ପିଠା ପଣାର ଆସର । ରଜ ପର୍ବକୁ ନେଇ ବିଶ୍ୱାସ ରହିଛି ଯେ, ରାଜସ୍ୱାଲା ଅର୍ଥାତ୍ ମାସିକ ଋତୁସ୍ରାବ ସମୟରେ ମାଟି ମାଆ ମୌସୁମୀ ଚାଷ ପାଇଁ ନିଜକୁ ପ୍ରସ୍ତୁତ କରିଥାଆନ୍ତି । ଏହି ସମୟରେ, ବସୁଧାଙ୍କୁ ପୂଜା କରାଯିବା ସହ ତାଙ୍କର ଶୁଦ୍ଧିକରଣ ମଧ୍ୟ କରାଯାଇଥାଏ ।


ମିଥୁନ ସଂକ୍ରାନ୍ତିରେ ଶିଳପୁଆ ପୂଜାର ରହିଛି ବିଶେଷ ମହତ୍ତ୍ବ


କୁହାଯାଏ, ଶିଳପୁଆରେ ବସୁଧା ମାଆ ବାସ କରିଥାଆନ୍ତି । ତେଣୁ ଯେଉଁ ସମୟରେ ବସୁଧାଙ୍କର ରତୁସ୍ରାବ ହୋଇଥାଏ ସେ ସମୟରେ ୩ ଦିନ ଯାଏଁ ସିଳପୁଆର ବ୍ୟବହାର କରାଯାଏ ନଥାଏ । ରଜର ଚତୁର୍ଥ ଦିନରେ ଏହାକୁ ପାଣି ଓ କ୍ଷୀର ଦ୍ବାରା ଅଭିଷେକ କରାଯାଇଥାଏ । ଏହାକୁ ‘ବସୁମତି ସ୍ନାନ’ ବୋଲି କୁହାଯାଏ। ଏହା ପରେ ଶିଳପୁଆରେ ସିନ୍ଦୁର, ଚନ୍ଦନ, ଫଳ, ଫୁଲ, ଧୂପ ଓ ଦୀପ ଅର୍ପଣ କରି ଏହାକୁ ବ୍ୟବହାର କରାଯାଇଥାଏ । ରଜ ତିନି ଦିନ ଯାଏଁ ଶିଳପୁଆ ବ୍ୟବହାର କରାଯିବା ଆଦୌ ଉଚିତ୍ ନୁହେଁ, କିନ୍ତୁ ପୂଜା ପାଇଁ ଏହାକୁ  ବ୍ୟବହାର କରାଯାଇପାରିବ । ମିଥୁନ ସଂକ୍ରାନ୍ତିରେ ଶିଳପୁଆ ପୂଜା କରିବା ଦ୍ବାରା ଅନେକ ସମସ୍ୟା ଦୂର ହେବା ସହ ସମସ୍ତ ମନୋକାମନା ପୂରଣ ହୋଇଥାଏ ।


ବିଶ୍ବାସ ରହିଛି ଯେ, ଏହି ଦିନ ଗଙ୍ଗା ସ୍ନାନ ପରେ ଶିଳପୁଆ ପୂଜା କରିବା ଦ୍ବାରା ମହିଳା ମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ସେହିପରି ଯେଉଁ ଯୁବତୀଙ୍କର ବିବାହ ନେଇ ସମସ୍ୟା ଲାଗି ରହିଛି ସେମାନେ ଆଜିର ଏହି ପବିତ୍ର ଦିନରେ ସିଳପୁଆକୁ ପୂଜା କରିବା ଦ୍ବାରା ମନ ମୁତାବିକ ବର ମିଳିଥାଏ । ଏଥିସହ ଏହି ଦିନ ପୂର୍ବ ପୁରୁଷମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)