ହରଭଜନ ସିଂଙ୍କୁ ୪ କୋଟି ଟଙ୍କାର ଚୂନା ଲଗାଇଲେ ଜଣେ ବ୍ୟବସାୟୀ !
ହରଭଜନ ସିଂ (Harbhajan Singh) ୨୦୧୫ରେ ଚେନ୍ନାଇର ଏକ ବ୍ୟବସାୟୀଙ୍କୁ ୪ କୋଟି ଟଙ୍କା କରଜ ଦେଇଥିଲେ । କିନ୍ତୁ ବର୍ତ୍ତମାନ ହରଭଜନଙ୍କୁ ସେହି ବ୍ୟବସାୟୀ ଟଙ୍କା ଫେରସ୍ତ କରୁନାହାଁନ୍ତି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦିଗଜ୍ ସ୍ପିନର ହରଭଜନ ସିଂ (Harbhajan Singh) ଆଇପିଏଲ (IPL) ରୁ ଓହରିଯିବା ପରେ ଚର୍ଚ୍ଚା ଲାଗି ରହିଥିଲା । ପୁଣି ଥରେ ଭଜ୍ଜି ଚର୍ଚ୍ଚାରେ ଆସିଛନ୍ତି । ଭେଟେରାନ ବୋଲର ଚେନ୍ନାଇ ପୋଲିସ ନିକଟରେ ୪ କୋଟି ଟଙ୍କାର ଠକେଇ ମାମଲା ଦାୟର କରିଛନ୍ତି ।
ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ହରଭଜନ ଜଣେ ବ୍ୟବସାୟୀଙ୍କୁ ୪ କୋଟି ଟଙ୍କା କରଜ ଦେଇଥିଲେ । ହରଭଜନଙ୍କ ଅନୁଯାୟୀ ସେ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ବ୍ୟବସାୟୀଙ୍କୁ ଭେଟିଥିଲେ । ଏହା ପରେ ସେ ୨୦୧୫ରେ ବ୍ୟବସାୟୀଙ୍କୁ କରଜ ଦେଇଥିଲେ ।
ଏହି ସମୟ ମଧ୍ୟରେ ଭଜ୍ଜି ବ୍ୟବସାୟୀଙ୍କ ସହ ଅନେକ ଥର ଯୋଗାଯୋଗ କରିଥିଲେ । ମାତ୍ର ତାଙ୍କୁ ଟଙ୍କା ମିଳି ନଥିଲା । ଗତ ମାସରେ ବ୍ୟବସାୟୀ ହରଭଜନଙ୍କୁ ୨୫ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ । କିନ୍ତୁ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ଚେକ୍ ବାଉନ୍ସ ହୋଇଯାଇଥିଲା । ନିକଟରେ ଚେନ୍ନାଇ ଯିବା ପରେ ହରଭଜନ ଆନୁଷ୍ଠାନିକ ଭାବେ ଏହି ମାମଲାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଖବର ଅନୁଯାୟୀ, ବ୍ୟବସାୟୀଙ୍କୁ ଏସିପି ପଚରାଉଚରା ପାଇଁ ଡାକିଛନ୍ତି । ବ୍ୟବସାୟୀଙ୍କ କହିବାନୁସାରେ, ସମସ୍ତ ଋଣ ଟଙ୍କା ହରଭଜନ ସିଂଙ୍କୁ ପ୍ରଦାନ କରାଯାଇଛି ।