Theme of World Heart Day: ଦିନକୁ ଦିନ ବଢିଚାଲିଛି ହୃଦରୋଗୀଙ୍କ ସଂଖ୍ୟା। ଯାହା ବର୍ତ୍ତମାନ ସମଗ୍ର ବିଶ୍ୱରେ ଏବେ ଚିନ୍ତାର କାରଣ ପାଲଟିଛି। ଯେଉଁଥିରୁ ବାଦ ପଡି଼ନାହିଁ ଭାରତ। ଦେଶରେ କ୍ରମାଗତ ଭାବେ ବଢିବାରେ ଲାଗିଛି ହୃଦରୋଗୀଙ୍କ ସଂଖ୍ୟା। ପ୍ରାୟ ୨ ବର୍ଷ କାଳ ସମଗ୍ର ବିଶ୍ୱକୁ କବଳିତ କରି ରଖିଥିବା କୋରୋନା ମହମାରୀର ପ୍ରକୋପ ମଧ୍ୟ ଏହା ଉପରେ ଅନୁଭୂତ ହୋଇଛି।


COMMERCIAL BREAK
SCROLL TO CONTINUE READING

ହୃଦରୋଗ କ"ଣ? କିପରି ଏହା ହୋଇଥାଏ? ଏହାର କିପରି ନିରାକରଣ କରାଯାଇ ପାରିବ ସେ ନେଇ ଚିନ୍ତାପ୍ରକଟ କରିଛନ୍ତି ହୃଦରୋଗ ବିଶେଷଜ୍ଞ ଡାକ୍ତର। ସେପ୍ଟମ୍ବର ୨୯ ତାରିଖରେ ସମଗ୍ର ବିଶ୍ୱରେ ପାଳିତ ହେଉଛି ବିଶ୍ୱ ହୃଦୟ ଦିବସ (World Heart Day)। ଏହି ଅବସରରେ ରାଜ୍ୟର ପ୍ରଖ୍ୟାତ ହୃଦରୋଗ ଚିକିତ୍ସାକେନ୍ଦ୍ର କାର୍ଡିଓ କେୟାର ସେଣ୍ଟର (Cardio Care Center of Odisha) ସିସିସି ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ। 


ସିସିସି ପରିସରରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ.କେ ପାଢ଼ୀ ହୃଦ ରୋଗ ବାବଦରେ ଚିନ୍ତାପ୍ରକଟ କରିଛନ୍ତି। 


ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହୃଦୟ ଦିବସ। ୱାର୍ଲ୍ଡ ହାର୍ଟ ଫେଡେରେସନ (World Heart Federation) ପକ୍ଷରୁ ଏହି ଦିବସ ପାଳିତ ହେଉଛି। ଚଳିତ ବର୍ଷ  ବିଶ୍ୱ ହୃଦୟ ଦିବସ ଅବସରରେ ରହିଛି ଏକ ବାର୍ତ୍ତା। ତାହା ହେଉଛି ୟୁଜ୍ ୟୋର୍ ହାର୍ଟ ଟୁ ପ୍ରୋଟେକ୍ଟ ଦି କମ୍ୟୁନିଟି (Use Your Heart to Protect the Community), ପ୍ରୋଟେକ୍ଟ ଦି ନେଚର ଆଣ୍ଡ ପ୍ରୋଟେକ୍ଟ ୟୋରସେଲ୍ଫ (Protect the Nature and Protect Yourself)। ଯାହାର ଅର୍ଥ ହେଉଛି ପରିବେଶ-ସମାଜ ସହିତ ନିଜକୁ ବଞ୍ଚାଇବା। ଏହା ସହିତ ହୃଦୟ ସମ୍ବନ୍ଧିତ ରୋଗକୁ (Heart Related Disease) ହ୍ରାସ କରିବା ଦିଗରେ କାର୍ଯ୍ୟ କରିବା। 


ସମାଜରେ ହୃଦରୋଗ (Heart Disease) ବାବଦରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ। ସାହସର ସହିତ ହୃଦ ରୋଗ ମୁକାବିଲା କରିବାକୁ ହେବ। କୌଣସି ପ୍ରକାର ଭୟ ନ କରି ଡାକ୍ତରଙ୍କ ପରାମର୍ଶରେ ଏହି ରୋଗର ଚିକିତ୍ସା କରାଯାଇ ପାରିବ। ଏହି ରୋଗ ବାବଦରେ ସଚେତନତା ସୃଷ୍ଟି  କରା ଯାଇପାରିଲେ ହୃଦ ରୋଗ କବଳରୁ ସମାଜକୁ ସୁରକ୍ଷା ପ୍ରଦାନ କରା ଯାଇପାରିବ। ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷିତ ହୋଇ ଉଠୁଥିବାରୁ ଶ୍ୱାସକ୍ରିୟା କରିବା ପାଇଁ ସ୍ୱଚ୍ଛ ଅମ୍ଳଜାନର ଅଭାବ ରହିଛି। ବର୍ତ୍ତମାନ ପରିବେଶ ଏବଂ ଜଳବାୟୁ ପ୍ରଦୂଷିତ ହୋଇ ଉଠୁଥିବାରୁ ଲୋକେ ହୃଦରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି। 


ବାୟୁ ପ୍ରଦୂଷଣ କମାଇବାକୁ ହେଲେ ସାଇକେଲ ର ବହୁଳ ବ୍ୟବହାର ଏବଂ ବ୍ୟକ୍ତିଗତ ଯାନ ବାହନ ପରିବର୍ତ୍ତେ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଗାଡିରୁ ନିର୍ଗତ ହେଉଥିବା ଧୂଆଁ କମାଇବା ପାଇଁ ଇନ୍ଧନ ଚାଳିତ ଯାନ ବାହନର ବ୍ୟବହାର କମାଇବାକୁ ହେବ। 


ଅନ୍ୟପଟେ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରାଯିବା ଆବଶ୍ୟକ। ଭାବ ପ୍ରବଣ ନ ହୋଇ ଯୋଗ ଧ୍ୟାନ ବ୍ୟାୟମ ସହ ଶାରୀରିକ କସରତ କରିବା ସହିତ ସୁଷମ ଖାଦ୍ୟ ଖାଇବାକୁ ହେବ। ଫଳ, ମାଛ, ଶାଗ, ପନିପରିବା ଖାଇବା ସହିତ ମାଂସ ଅଣ୍ଡା ଭଳି ନିରାମିଶ ଖାଦ୍ୟ କମ ଖାଇବାକୁ ହେବ। ଅଫିସ କିମ୍ବା ଘରେ ଚାପମୁକ୍ତ ରହିବା ସହ କାର୍ଯ୍ୟ ଚାପ କମାଇବାକୁ ହେବ। ମନରେ ଶଙ୍କା, ଆଶଙ୍କା, ସନ୍ଦେହ ଏବଂ ମୁଣ୍ଡରେ ଚିନ୍ତା ତଥା ଶରୀରରେ ଆଳସ୍ୟ ହେଉଛି ବିଭିନ୍ନ ରୋଗର ମୂଳ କାରଣ। ଏହି ଦିଗରେ ଯତ୍ନବାନ ରହିବା ସହ ପ୍ରତ୍ୟୋକ ଦିନ ଶାରିରୀକ ପରିଶ୍ରମ କରିବା ଆବଶ୍ୟକ। ଏହା ଉପରେ ଗୁରୁତ୍ୱ ଦେଲେ ହୃଦଘାତ ଏବଂ ହୃଦରୋଗର ମୁକାବିଲା କରାଯାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ.କେ ପାଢ଼ୀ।