ଭୁବନେଶ୍ବର: ରାଜଧାନୀରେ ମୁକୁଳା ଡ୍ରେନ ବିପଦ ସାଜିଛି। ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି। ଗତକାଲି ପ୍ରବଳ ବର୍ଷାରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର କୁନି ପିଲା ଏସ୍କେ ରାଜେଶ ଡ୍ରେନରେ ଭାସିଯାଇ ମୃତ୍ୟୁ ବରଣ କରିବା ପରେ ଆଜି ମୃତ୍ୟୁ ଘଟଣାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ବ୍ୟାରିକେଡ୍ କାହିଁକି ହୋଇନି, ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଉ କେତେ ମୁକୁଳା ଡ୍ରେନ ଅଛି, ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେବା ସହ ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ୍‌ କଭର୍‌ ହେବ ମନ୍ତ୍ରୀ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସେହିପରି ଗତକାଲି ଅପରାହ୍ନ ୧ଟାରେ ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ସମୟରେ ୟୁନିଟ-୩ ମସଜିଦ ସାହି ନିକଟରେ କିଛି ଛୋଟ ପିଲା ଖେଳୁଥିଲେ। ଏହି ସମୟରେ ଡ୍ରେନ୍‌ରେ ଏକ ବେଲୁନ ଭାସୁଥିଲା।  ବେଲୁନକୁ ଆଣିବା ପାଇଁ ଏମାନଙ୍କ ମଧ୍ୟରୁ ଜଣେ ୮ ବର୍ଷ ବୟସର ନାବାଳକ ଉଦ୍ୟମ କରିଥିଲା। କିନ୍ତୁ ସେ ଡ୍ରେନ୍‌ରେ ଖସିପଡ଼ିଥିଲା। ବର୍ଷା ଯୋଗୁଁ ଡ୍ରେନ୍‌ରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକ ନିଖୋଜ ହୋଇଯାଇଥିଲା। ଅନ୍ୟ ପିଲାମାନେ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।‌ ଶେଷରେ ନାବାଳକକୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। 


ଅନ୍ୟପଟେ ୨୦୧୫ ମସିହାରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ୍‌ ନିକଟରେ ନାବାଳକ ପୁପୁନ୍ ବିଶ୍ବାଳଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ପିଚୁପଡ଼ିଆ ବସ୍ତିର ହରି ପଟ୍ଟନାୟକ ଡ୍ରେନରେ ପଡ଼ି ମୃତ୍ୟୁବରଣ କରିଥିଲେ। ୨୦୨୦ରେ ନୂଆପଲ୍ଲୀ ଏକାମ୍ରଭିଲ୍ଲା ନଳାରେ ଜଣେ ବୃଦ୍ଧା ଭାସିଯାଇ ପ୍ରାଣ ହରାଇଥିଲେ। ୨୦୨୨ରେ ପତିତପାବନ ନଗରରେ ନଳାରେ ଭାସି ୪ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ୨୦୧୭ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ଜଣ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଜଣେ ବୃଦ୍ଧା ଡ୍ରେନରେ ଭାସି ଆହତ ହୋଇଥିଲେ। ବିଶ୍ବକପ ହକି ପାଇଁ ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଡୁମୁଡୁମା ନିକଟରେ ଡ୍ରେନରେ ପଡ଼ି ଲହୁଲୁହାଣ ହୋଇଥିଲେ। ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଭୁବନେଶ୍ବରର ଭୋକିଲା ମୁକୁୂଳା ନଳା ଜୀବନ ନେଇ ଚାଲିଛି।