5g launch In India: ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ଆରମ୍ଭ ହୋଇଛି 5G ସେବା। ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ସହରରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ୨୦୨୩ ମସିହା ଶେଷ ବେଳକୁ ଦେଶର ସମସ୍ତ ସହରରେ ୫ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ମୋବାଇଲ କଂଗ୍ରେସର ଷଷ୍ଠତମ ସଂସ୍କରଣ ଉଦଘାଟନ କରିଛନ୍ତି। ଏହି କ୍ରମରେ ଦେଶରେ ଆଜିଠାରୁ ୫ଜି ସେବାର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆଜି ପ୍ରଗତି ମୈଦାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସେବାର ଉଦଘାଟନ କରିଛନ୍ତି। ସେପଟେ ଏହି କାର୍ଯ୍ୟକ୍ରମ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନେଇ ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଏହି ସେବାର ଅନେକ ଫାଇଦା ଦର୍ଶାଇଛନ୍ତି ଏହି ସେବା ଯୋଗାଇଦେବାକୁ ଥିବା କମ୍ପାନୀ ଗୁଡ଼ିକ। ଆଜିର ଉଦଘାଟନୀ ଉତ୍ସବରେ 5G ସେବାର ଟେଷ୍ଟିଂ ମଧ୍ୟ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବକୁ ମଧ୍ୟ ସିଧାସଳଖ ପ୍ରସାରଣ କରାଯାଇଥିଲା ଯାହା ଫଳରେ ସମଗ୍ର ଦେଶବାସୀ ଦେଖି ପାରିଥିଲେ। ରାଷ୍ଟ୍ରପତିଙ୍କ ଗାଁରେ ମଧ୍ୟ ଏହି ଉଦଘାଟନ ଉତ୍ସବର ସିଧା ପ୍ରସାରଣ ଦେଖିଥିଲେ ଗ୍ରାମବାସୀ। 


ପୂର୍ବରୁ ସୋସିଆଲ ମିଡ଼ିଆରେ ରାଷ୍ଟ୍ରପତିଙ୍କ ଗ୍ରାମକୁ ୫ଜି ସେବା ଯୋଗାଇ ଦେବାକୁ ନେଇ ଏକ ଗୁଜବ ସୃଷ୍ଟି ହୋଇଥିଲା। ଆଶା କରାଯାଉଥିଲା ପ୍ରାଥମିକ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଗ୍ରାମକୁ ନହେଲେ ମଧ୍ୟ ରାଜ୍ୟର କେଉଁ ଏକ ସହର ସ୍ଥାନ ପାଇବ। କିନ୍ତୁ ସେପରି କୌଣସି ସମ୍ଭାବନା ଦେଖିବାକୁ ମିଳିନାହିଁ। ଏପରିକି ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ସହରରେ ଭୁବନେଶ୍ୱର ମଧ୍ୟ ସ୍ଥାନ ପାଇନାହିଁ। ଦେଶର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଥିବା ଭୁବନେଶ୍ୱରର ବାସିନ୍ଦାଙ୍କୁ ନିରାଶ ହେବାକୁ ପଡ଼ିଛି। ଆଜି ରାଷ୍ଟ୍ରପତିଙ୍କ ଗାଁରେ 5ଜି ସେବାର ସିଧା ପ୍ରସାରଣ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲା। ଯାହା ମାଧ୍ୟମରେ ରାଷ୍ଟ୍ରପତିଙ୍କ ଗ୍ରାମବାସୀ ଏହି 5ଜି ସେବାର ଉଦଘାଟନ ସିଧାସଳଖ ଦେଖିଥିଲେ। 


ତେବେ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ଓଡ଼ିଶାରେ ମଧ୍ୟ ଖୁବଶୀଘ୍ର ଏହି ସେବା ଆରମ୍ଭ ହେବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ। ୫ଜିରେ ରେଡିଏସନ ହେବ ବୋଲି ଯେଉଁ ଗୁଜବ ପ୍ରଚାର ହେଉଥିଲା ତାକୁ ମନ୍ତ୍ରୀ ଖଣ୍ଡନ କରିଥିଲେ । ଏଥିରେ ରେଡିଏସନ ପ୍ରଭାବ ଆଦୌ ନାହିଁ, ସମସ୍ତେ ଆଶ୍ୱସ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଥିଲେ । ୫ଜି ସେବା ଡିଜିଟାଲ ଲାଇଫ୍‌କୁ ଅନେକ ସହଜ କରିଦେବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।


ବୈଷ୍ଣବଙ୍କ ଏହି ମନ୍ତବ୍ୟ ପରେ ଓଡ଼ିଶାର ଏକ ସହର ପ୍ରାଥମିକ ପର୍ଯ୍ୟାୟରେ ସାମିଲ ହେବା ନେଇ ଆଶା କରାଯାଉଥିଲା। ମାତ୍ର ଏବେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି ବୋଲି ଆଲୋଚନା ହେଉଛି। 


ଅଧିକ ପଢନ୍ତୁ: 5g ଆସିଲେ କଣ ସବୁ ହେବ ପରିବର୍ତ୍ତନ, କେତେ ଟଙ୍କା କରିବାକୁ ହେବ ଖର୍ଚ୍ଚ


ଅଧିକ ପଢନ୍ତୁ: Tokenisation: ଆଜିଠୁ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଲାଗୁ, ଅକାମୀ ହୋଇନି ତ ଆପଣଙ୍କ Debit ଓ Credit card ?