Road Accident: କାର ରଖି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ପୋଲିସ ଅଧିକାରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ୍ । ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟଣା ଘଟିଛି ଦିଲ୍ଲୀ ମେଟ୍ରୋ ଷ୍ଟେସନ (Madipur Metro Station) ନିକଟ ରୋହତକ ରୋଡ଼ (Rohtak Road) ଅନ୍ତର୍ଗତ ପଞ୍ଜାବୀବାଗ ଅଞ୍ଚଳରେ । ସୂଚନା ଅନୁସାରେ, ପୋଲିସ ଅଧିକାରୀ ଜଣଙ୍କ କୌଣସି ଯାନ୍ତ୍ରିକ୍ ତ୍ରୁଟି କାରଣରୁ ନିଜ କାରକୁ ରାସ୍ତା କଡ଼ରେ ରଖି ବାହାରେ ଠିଆ ହୋଇଥିଲେ । ଏହି ସମୟରେ ହଠାତ୍ ଏକ ଟ୍ରକଟି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ମୃତ ପୋଲିସ ଅଧିକାରୀ ସିକ୍ୟୁରିଟି ୟୁନିଟରେ ନିଯୁକ୍ତ ପାଇଥିବା ଦିଲ୍ଲୀ ପୋଲିସର (Delhi police) ଜଗବୀର ସିଂହ ବୋଲି ସୂଚନା ମିଳିଛି । ଏନେଇ ଡ଼େପୁଟି ପୋଲିସ କମିଶନର (Deputy Commissioner of Police) ବିଚିତ୍ର ବୀର କହିଛନ୍ତି ଯେ, ମଦିପୁର ମେଟ୍ରୋ ଷ୍ଟେସନ ନିକଟ ରୋହତକ ରୋଡ଼ରେ ଏହି ଦୁର୍ଘଟଣାଟି ଘଟିଛି।  ଟ୍ରକଟି ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ସିଆଜ କାରକୁ ପଛରୁ ଧକ୍କା ଦେବା ପରେ ପୋଲିସ ଅଧିକାରୀଙ୍କ ଉପରକୁ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର୍‌ ଟ୍ରକ୍‌ ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।



COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ଶନିବାର ଦିନ ବିଳମ୍ବିତ ରାତିରେ ମହାରାଷ୍ଟ୍ର ବୁଲଧାନା ଜିଲ୍ଲା (Road Accident in Buldhana District) ମଲକପୁର ଅଞ୍ଚଳରେ(Malkapur area) ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ତୀର୍ଥଯାତ୍ରୀ ବସଟି ବିଳମ୍ବିତ ରାତିରେ ମହାରାଷ୍ଟ୍ର ହିଙ୍ଗୋଲି ଜିଲ୍ଲାକୁ ଫେରୁଥିଲା। ରାତି ଅଧିକ ହେବାରୁ ବସଟି ଦ୍ରୁତ ଗତିରେ ଯାଉଥିଲା । ଠିକ ଏହି ସମୟରେ ଅନ୍ୟ ଏକ ଯାତ୍ରୀବାହୀ ବସଟି ସାମ୍ନା ପଟୁ ଆସି ତୀର୍ଥଯାତ୍ରୀ ବସକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ନେଇ ପୋଲିସକୁ ଖବର ଦେଇଥିଲେ। ସେପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା, କିନ୍ତୁ ବିଳମ୍ବିତ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । 


ପରେ ବସ କଟାଯାଇ ଯାତ୍ରୀଙ୍କୁ ବାହାରକୁ କଢା ଯାଇଥିଲା।  ଏହି ଭୟଙ୍କର ଦୁର୍ଘଟଣାରେ ତୀର୍ଥଯାତ୍ରୀ ବସ୍ ଡ୍ରାଇଭରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲକୁ ପଠାଯାଇଛି । ସେପଟେ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଇଛି ।  ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଘରୋଇ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।