ନୂଆଦିଲ୍ଲୀ: କୋରୋନା ଟିକା ପାଇଁ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଲାଗି ପଡ଼ିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ କୋରୋନା ଟିକା ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ିଛନ୍ତି। ଭାରତ ମଧ୍ୟ ଏହି ସ୍ରୋତରେ ନିଜକୁ ସାମିଲ କରିଛି। ଅକ୍ସଫୋର୍ଡ ସହିତ ମିଶି ଭାରତର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)ମଧ୍ୟ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଛି। ସଫଳତା ମଧ୍ୟ ହାତେଇବାରେ ଲାଗିଛି। ଖୁବ କମ ଦିନ ମଧ୍ୟରେ ଏହି ଟିକା ବଜାରରେ ଉପଲବ୍ଧ ହେବ। ତେବେ ଏହି ଟିକା ନେବାକୁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସହିତ ପଡ଼ୋଶୀ ବାଂଲାଦେଶ ଚୁକ୍ତି ସ୍ୱାକ୍ଷର କରିଛି। 


COMMERCIAL BREAK
SCROLL TO CONTINUE READING

ଚୁକ୍ତି ଅନୁଯାୟୀ ଟିକା ବଜାରକୁ ଆସିଲେ ବାଂଲାଦେଶକୁ ୩ କୋଟି ଡୋଜ ଟିକା ସିରମ ଇନଷ୍ଟିଚ୍ୟୁଟ ପ୍ରଦାନ କରିବ। ଏଥିପାଇଁ ଗୁରୁବାର ସିରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଓ ବାଂଲାଦେଶର ବେକ୍ସିମେକୋ ଫାର୍ମାସିଟ୍ୟୁକାଲ ସହିତ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ବାଂଲାଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବେକ୍ସିମେକୋ ଫାର୍ମାସିଟ୍ୟୁକାଲ୍ସ ଓ ସିରମ ଇନଷ୍ଟିଚ୍ୟୁଟର ଅଧିକାରୀମାନେ ଢାକାରେ ଏହି ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡ଼ିଛି। ଏହି ଚୁକ୍ତି ସ୍ୱାକ୍ଷର ସମୟରେ ବାଂଲାଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ଜାହିଦ ମଲ୍ଲିକ, ଢାକାରେ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀ ଓ ବେକ୍ସିମେକୋ ଫାର୍ମାସିଟ୍ୟୁକାଲ୍ସର ନିର୍ଦ୍ଦେଶକ ନଜମୁଲ ହସନ ପାପୋନ ପ୍ରମୁଖ ଉପସ୍ଥିତ ଥିଲେ। 


ଜାହିଦ ମଲ୍ଲିକ କହିଛନ୍ତି କି, ଟିକା ବଜାରକୁ ଆସିଗଲେ ସିରମ ଇନଷ୍ଟିଚ୍ୟୁଟ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଟିକା ବାଂଲାଦେଶକୁ ପ୍ରଦାନ କରିବ। ବିପିଏଲ ଏହାକୁ ଦେଶକୁ ଆଣିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହାର ଟିକା ପ୍ରତି ମୂଲ୍ୟ ୫ ଆମେରିକୀୟ ଡଲାର ଅର୍ଥାତ ୪୨୫ ବାଂଲାଦେଶୀ ଟଙ୍କା ରହିବ ବୋଲି ସେ ସୂଚନା ଦେଇଛନ୍ତି।