କୋରୋନା ସଂକଟ ଜାରି: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣାରେ ଚଳିତ ବର୍ଷ ହେବ ନାହିଁ ବୋଲବମ ଯାତ୍ରା
ଚଳିତ ବର୍ଷ ବୋଲବମ ଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ସରକାର |
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ଜାରି ରହିଛି କୋରୋନା ସଂକଟ | ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବୋଲବମ ଯାତ୍ରା ଆୟୋଜନକୁ ସ୍ଥଗିତ ରଖିଛନ୍ତି ତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣାର ରାଜ୍ୟ ସରକାର | ଏନେଇ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜୁନ ୨୦ ଶନିବାର ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |
ଚଳିତ ବର୍ଷ ବୋଲବମ ଯାତ୍ରା ଆୟୋଜନ କରିବାକୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିସ୍ତୃତ ଭାବେ ଆଲୋଚନା କରିଥିଲେ | କୋଭିଡ୧୯ ପ୍ରସାରକୁ ରୋକିବା ପାଇଁ ଗୋଟିଏ ସ୍ଥାନରେ ବଡ ଧରଣର ସମାବେଶକୁ ବନ୍ଦ କରିବା ଅତ୍ୟନ୍ତ ଜରୁରୀ | ଖୁବ ଶୀଘ୍ର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରାଯିବ | ଚଳିତ ବର୍ଷର ଯାତ୍ରା ଆୟୋଜନ କରିବାକୁ ନେଇ ବୋଲବମ ସଙ୍ଗଠନ ଏବଂ ସାଧୁସନ୍ଥଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରାଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ |
ବୋଲବମ ଯାତ୍ରା ହେଉଛି ଶିବଙ୍କ ଭକ୍ତଙ୍କ ଏକ ବାର୍ଷିକ ତୀର୍ଥଯାତ୍ରା | ଯାହା ସାଧାରଣତଃ କାଉଡିଆଙ୍କ ଦ୍ୱାରା ହୋଇଥାଏ | ଶ୍ରାବଣ ମାସରେ ପାଳିତ ହେଉଥିବା ଏହି ଯାତ୍ରାରେ ବାହୁଙ୍ଗୀରେ ପାଣି ଭାର ନେଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି ଶିବ ଅନୁଗାମୀ | ଉତ୍ତରାଖଣ୍ଡର ହରିଦ୍ୱାର, ଗୋମୁଖ ଏବଂ ଗଙ୍ଗୋତ୍ରୀ ପରି ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥାନରେ ଏହି ଯାତ୍ରା ବେଶ ଧୂମଧାମରେ ପାଳିତ ହୋଇଥାଏ | ଗଙ୍ଗାନଦୀରୁ ପାଣି ଆଣି ଶୈବାଳୟରେ ଭଗବାନ ଶିବଙ୍କୁ ଜଳ ଲାଗି କରାଯାଏ |
ଦିନକୁ ଦିନ ଦେଶରେ ବିଭିନ୍ନ ପ୍ରାନ୍ତରେ ଜାରି ରହିଛି କୋରୋନା ପ୍ରକୋପ | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ୧୬୫୯୪, ଉତ୍ତରାଖଣ୍ଡରେ ୨୩୦୧ ଏବଂ ହରିୟାଣାରେ ୧୦୨୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |