ଭାରତରେ କୋରୋନା ଭାଙ୍ଗିଲା ବିଶ୍ୱର ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ମାମଲା ଚିହ୍ନଟ, ୨୧୦୪ ସଂକ୍ରମିତଙ୍କ ମୃତ୍ୟୁ
ଆମେରିକାରେ ଜାନୁଆରୀ ୮ରେ ଗୋଟିଏ ଦିନରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ରେକର୍ଡ କରାଯାଇଥିଲା ।
ନୂଆଦିଲ୍ଲୀ: Coronavirus in India: ଭାରତରେ ବଢୁଥିବା କୋରୋନା ମାମଲା ବର୍ତ୍ତମାନ ଯାଏ ଥିବା ସମସ୍ତ ରେକର୍ଡ ଭାଙ୍ଗିଛି । ଦୁନିଆରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ କୌଣସି ଦେଶରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ କୋରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩,୧୪,୮୩୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି ଏବଂ ୨୧୦୪ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ, ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧,୭୮,୮୪୧ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦେଶରେ ୨,୯୫,୦୪୧ ନୂଆ ମାମଲା ଚିହ୍ନଟ ହୋଇଥିଲା । ଆମେରିକାରେ ଜାନୁଆରୀ ୮ରେ ଗୋଟିଏ ଦିନରେ ସର୍ବାଧିକ ୩ ଲକ୍ଷ ୭ ହଜାର ମାମଲା ରେକର୍ଡ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ବରିଷ୍ଠ କଂଗ୍ରେସ ନେତା ଏ.କେ ୱାଲିଆ
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ ମୋଟ ୧ କୋଟି ୩୪ ଲକ୍ଷ ୫୪ ହଜାର ୮୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେପଟେ ଚିନ୍ତାର ବିଷୟ ଏହା ଯେ ଦେଶରେ ବର୍ତ୍ତମାନ ସମୟରେ ମୋଟ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୮୪ ହଜାର ୬୫୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୩ କୋଟି ୨୩ ଲକ୍ଷ ୩୦ ହଜାର ୬୪୪ କୋରୋନା ଟିକାର ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?
ଅନ୍ୟପକ୍ଷେ ଦେଶରେ କୋରୋନା ମୃତ୍ୟୁ ହାର ୧.୧୭ ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର ୮୫ ପ୍ରତିଶତ ରହିଛି । ବର୍ତ୍ତମାନ ସମୟରେ ଦେଶରେ ସକ୍ରିୟ ମାମଲା ୧୪ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ଏବଂ ମେକ୍ସିକୋ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।