ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଇବାରେ ଲାଗିଛି । ଦେଶରେ ଲଗାତର ଓମିକ୍ରନର ମାମଲା ବଢ଼ିବାରେ ଲାଗିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୫୩୧ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୧୪୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୨୫ ସକ୍ରିୟ ମାମଲାରେ ହ୍ରାସ ଘଟିଛି । 


COMMERCIAL BREAK
SCROLL TO CONTINUE READING

ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ରବିବାର ୧,୮୨୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୨ ଲକ୍ଷ ୨୮ ହଜାର ୨୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୬ ସଂକ୍ରମିତ ଓ ପୁରୁଣା ୨୫୨ ସଂକ୍ରମିତ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬,୫୮୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୩୬୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୧,୬୫,୧୬୪ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୨୨,୬୯୧ କୋରୋନାର ସକ୍ରିୟ ମାମଲା ରହିଛି ।
   
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୭ ଲକ୍ଷ ୬୭ ହଜାର ୩୦୦  ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ୩ କୋଟି ୪୨ ଲକ୍ଷ ୩୭ ହଜାର ୪୯୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୭୫ ହଜାର ୮୪୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୭୯ ହଜାର ୯୯୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।


ଦେଶରେ ଆଜି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଡିସେମ୍ୱର ୨୬ ପର୍ଯ୍ୟନ୍ତ ସାରା ଦେଶରେ ୧୪୧ କୋଟି ୭୦ ଲକ୍ଷ ୨୫ ହଜାର ୬୫୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ଲକ୍ଷ ୯୩ ହଜାର ୨୮୩ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୭ କୋଟି ୨୯ ଲକ୍ଷ ୩୬ ହଜାର ୬୨୧ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷ ୫୨ ହଜାର ୯୩୫ କୋରୋନା ନମୁନା ପରୀକ୍ଷା କରାଯାଇଛି ।