ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା | ବିଶ୍ୱରେ ଆତଙ୍କ ଖେଳାଇଥିବା ଏହି ମହାମାରୀ କାରଣରୁ ଦେଶରେ କୋରୋନା ଜନିତ ସ୍ଥିତି ଗୁରୁତର ହେବାରେ ଲାଗିଛି | ଏହାର ମୁକାବିଲା ପାଇଁ ଭାରତୀୟ ରେଳବାଇ ଆଗେଇ ଆସିବା ସହ ବିଭିନ୍ନ ଭାଗରେ ୯୬୦ କୋଭିଡ କେୟାର କୋଚ(covid care coach) ମୁତୟନ କରାଯାଇଛି |


COMMERCIAL BREAK
SCROLL TO CONTINUE READING

ଏହି ସମସ୍ତ କୋଚ ମଧ୍ୟରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ୫୦୩, ଆନ୍ଧ୍ର ପ୍ରଦେଶରେ ୨୦, ତେଲେଙ୍ଗାନାରେ ୬୦, ଉତ୍ତର ପ୍ରଦେଶରେ ୩୭୨ ଏବଂ ମଧ୍ୟ ପ୍ରଦେଶରେ ୫ଟି କୋଚ ମୁତୟନ କରାଯିବ | ଭାରତୀୟ ରେଳବାଇ ପକ୍ଷରୁ ୫୨୩୧ଟି କୋଚ ସମସ୍ତ ରେଲୱେ ଜୋନକୁ ପ୍ରଦାନ କରାଯାଇଛି | ଯାହାକୁ ସାମାନ୍ୟ ଲକ୍ଷଣ ଥିବା ପଜିଟିଭଙ୍କ ପାଇଁ କୋଭିଡ କେୟାର କୋଚ ଭାବେ ବ୍ୟବହାର କରାଯିବ | 


ଦିଲ୍ଲୀକୁ ମିଳିଥିବା ୫୦୩ କୋଭିଡ କେୟାର କୋଚରୁ ଶକୁରବସ୍ତିରେ ୫୦ଟି, ଆନନ୍ଦ ବିହାରରେ ୨୬୭ଟି, ସଫଦରଜଙ୍ଗରେ ୨୧ଟି, ଦିଲ୍ଲୀ ସରାଇ ରୋହିଲାରେ ୫୦ଟି, ଦିଲ୍ଲୀ କ୍ୟାଣ୍ଟରେ ୩୩ଟି, ଆଦର୍ଶ ନଗରରେ ୩୦, ଶାହାଦ୍ରାରେ ୧୩, ତୋଗଲକାବାଦରେ ୧3ଟି ଏବଂ ପଟେଲ ନଗର ୨୬ଟି ଆଦି ୯ଟି ସ୍ଥାନରେ କୋଚ ନିୟୋଜିତ ରହିବ | 


ସେହିପରି ଉତ୍ତରପ୍ରଦେଶ ଭାଗରେ ପଡିଥିବା ୩୭୨ କୋଭିଡ କେୟାର କୋଚକୁ ରାଜ୍ୟର ପଣ୍ଡିତ ଦୀନଦୟାନ ଉପାଧ୍ୟାୟ ଜଙ୍କସନ, ଲକ୍ଷ୍ନୌ, ବାରଣାସୀ, ଭଦୋହୀ, ଫୈଜାବାଦ, ସାହାରନପୁର, ମିର୍ଜାପୁର, ସୁବେଦାରଗଞ୍ଜ, କାନପୁର, ଝାନ୍ସି ୱାର୍କସପ, ଆଗ୍ରା, ନଖା ଜଙ୍ଗଲ, ଗୋଣ୍ଡା, ନୌତନୱା, ବହରାଇଚ, ବାରଣାସୀ ସିଟି, ମଣ୍ଡୁଆଡିହି, ମଉ, ଭାଟନି, ବରେଲି ସିଟି, ଫାରୁଖାବାଦ, କାସଗଞ୍ଜ ଆଦି ୨୩ଟି  ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ ହେବେ |


ମଧ୍ୟପ୍ରଦେଶକୁ ମିଳିଥିବା ସମସ୍ତ ୫ଟି କୋଭିଡ କେୟାର କୋଚ ଗ୍ୱାଲିୟରରେ ଏବଂ ଆନ୍ଧ୍ରପ୍ରଦେଶରେ ବିଜୟୱାଡା ଠାରେ ମୋଟ ୨୦ଟି କୋଭିଡ କେୟାର କୋଚ ନିୟୋଜିତ ହୋଇଥିବା ବେଳେ, ତେଲେଙ୍ଗାନାର ମୋଟ ୬୦ଟି କୋଭିଡ କେୟାର କୋଚ ୩ଟି ଭିନ୍ନ ଭିନ୍ନ ସ୍ଥାନ ସିକନ୍ଦରବାଦ, କାଚିଗୁଡା ଏବଂ ଆଦିଲାବାଦରେ ମୁତୟନ ହେବ |


ଦେଶରେ କୋରୋନା ମୁକାବିଲା ବିଭିନ୍ନ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି  ଭାରତୀୟ ରେଳବାଇ | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁନ ୧୮ ତାରିଖ ପର୍ଯ୍ୟନ୍ତ ଦେଶରେ ୩୬୬୯୪୬ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୧୨୨୩୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି | ଦେଶରେ ୧୬୦୩୮୪ ମାମଲା ସକ୍ରିୟ ଥିବା ବେଳେ ୧୯୪୩୨୫ କୋରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି |