Mandous Cyclone: ନୂଆଦିଲ୍ଲୀ: ସାମୁଦ୍ରିକ ଘୁର୍ଣ୍ଣିଝଡ଼ ମାଣ୍ଡୋସ (Mandous Cyclone) ଶୁକ୍ରବାର ରାତିରେ ସ୍ଥଳଭାଗ ଛୁଇଁଛି। ରାତି ପ୍ରାୟ ଗୋଟାଏ ସମୟରେ ତାମିଲନାଡ଼ୁର ମାମଲ୍ଲାପୁରମରେ ସ୍ଥଳ ଭାଗ (Landfall) ଛୁଇଁଥିଲା ଏହି ଘୁର୍ଣ୍ଣିଝଡ଼।  ପ୍ରାୟ ୧ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ (Landfall) ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ (Landfall) ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି। ଆଗକୁ ଏହା ଆହୁରି ଦୁର୍ବଳ ହେବ। ସ୍ଥଳଭାଗ ଛୁଇଁବା ସମୟରେ ତାମିଲନାଡ଼ୁର (Tamilnadu) ଉପକୂଳ (Coastal) ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ସହିତ ପ୍ରବଳ ପବନ କାରଣରୁ ଶତାଧିକ ଗଛ ମଧ୍ୟ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆଶ୍ୱସ୍ତିକର ଖବର ମଧ୍ୟ ଶୁଣାଇଛି। ଭାରତୀୟ ପାଣିପାଗ ବିଭାଗ କହିଛି କି ଘୂର୍ଣ୍ଣିଝଡ଼ ମାଣ୍ଡୋସର ଲ୍ୟାଣ୍ଡଫଳ ପ୍ରକ୍ରିୟା ଶେଷ ହୋଇଛି। ଏହା ଶନିବାର ଧିରେଧିରେ ଦୁର୍ବଳ ହେବ। 


COMMERCIAL BREAK
SCROLL TO CONTINUE READING

ସେପଟେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ଚେନ୍ନାଇରେ ଅନେଖ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମରିନା ବିଚରେ ନୂତନ ଭାବେ ନିର୍ମାଣ ହୋଇଥିବା ରାମ୍ପ ମଧ୍ୟ ଭାଙ୍ଗିରୁଜି ଯାଇଛି। ଏହି ରାମ୍ପ ଦିବ୍ୟାଙ୍ଗ ପାଇଁ ନିର୍ମାଣ କରାଯାଇଥିଲା ଯାହା ଗତ ୨୭ ତାରିଖରେ ଉଦଘାଟନ କରାଯାଇଥିଲା। ମାଣ୍ଡୋସ ପ୍ରଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଶନିବାର ସ୍ଥାନୀୟ ବିଧାୟକ ଭୁମନା କରୁଣାକର ତିରୁପତିରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ସ୍ଥାନୀୟ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି। ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। 


ସେପଟେ ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲିଠୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ଏଥିସହ ଆସନ୍ତା ଦୁଇରୁ ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବା ଆଶା କରାଯାଉଛି।


ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା। ୧୦ ଡିଗ୍ରୀ ତଳେ ଥିଲା ରାଜ୍ୟର ୭ ସହରର ତାପମାତ୍ରା। ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିଲା।  ଅନ୍ୟପକ୍ଷେ, ବାତ୍ୟା ‘ମାଣ୍ଡୋସ୍‌’ ପ୍ରଭାବରେ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ଏହାସହ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।


Also Read: ଖାଉଟିଙ୍କୁ ମୋଦି ସରକାର ଦେଲେ ବଡ଼ ଝଟକା, ଏହି ଅତ୍ୟାବଶ୍ୟକ ସାମଗ୍ରୀର ବଢିଲା ଦର


Also Read: ସୋରିଷତେଲ ବିଜ୍ଞାପନରେ ମହାମହିମଙ୍କ ଫଟୋ, ଥାନାରେ ମାମଲା