AAP to introduce law to regulate coaching centres : ଦିଲ୍ଲୀ ପୁରୁଣା ରାଜେନ୍ଦ୍ରନଗର କୋଚିଂ ସେଣ୍ଟର ଅଘଟଣରେ ତିନିଜଣ ସଭିଲ୍‌ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ଘଟଣା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଆଜି(ବୁଧବାର) କୋଚିଂ ସେଣ୍ଟର ସମ୍ପର୍କରେ ବଡ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଏଣିକି ଆଉ କୋଚିଂ ସେଣ୍ଟରର ମନମାନୀ ଚଳିବ ନାହିଁ । ଏଗୁଡିକୁ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବ । ଏନେଇ ଖୁବଶୀଘ୍ର ଏକ ରୋଗୁଲେସନ ଆକ୍ଟ ଦିଲ୍ଲୀ ବିଧାନସଭାରେ ଆସିବ।ଯେଉଁଥିରେ କୋଚିଂ ସେଣ୍ଟର ପ୍ରତିଷ୍ଠା ଅନୁମତିଠାରୁ ଆରମ୍ଭ କରି ସମସ୍ତ ଭିତ୍ତିଭୂମି ଓ ପରିଚାଳନାର ସମସ୍ତ ନିୟମ ମଧ୍ୟ ଏହି ରେଗୁଲେସନ ଆକ୍ଟରେ ରହିବ । କୌଣସି ଅନୁଷ୍ଠାନ ମଧ୍ୟ ମନଇଚ୍ଛା 'କୋର୍ସ ଫି' ନେଇପାରିବନି। ସମସ୍ତ ସେଣ୍ଟରଗୁଡିକ ସରକାରୀ ନିର୍ଦ୍ଧାରିତ ଫି’ ନେବେ ।


COMMERCIAL BREAK
SCROLL TO CONTINUE READING

 ଆଜି(ବୁଧବାର) ଦିଲ୍ଲୀ ଶିକ୍ଷାମନ୍ତ୍ରୀ  ଆତିଶୀ ଓ ମେୟର ସୈଲୀ ଓବରାଇ ମିଳିତ ପ୍ରେସମିଟରେ ଏହି ଘୋଷଣା କରିଛନ୍ତି।ଆତିଶୀ କହିଛନ୍ତିଯେ, ଦିଲ୍ଲୀର କୋଚିଂ ସେଣ୍ଟରଗୁଡ଼ିକୁ ବିଦ୍ୟାଳୟ ପରି ଏକ ନିର୍ଦ୍ଦିଷ୍ଟ ଆଇନ ଅନୁଯାୟୀ ପରିଚାଳନା କରାଯିବ । ଖୁବଶୀଘ୍ର ଦିଲ୍ଲୀ ସରକାର 'ଇନଷ୍ଟିଚ୍ୟୁଟ୍ ରେଗୁଲେସନ୍ ଆକ୍ଟ’ ଆଣିବାକୁ ଯାଉଛନ୍ତି। ସମସ୍ତ କୋଚିଂ ସେଣ୍ଟର ପାଇଁ ଭିତ୍ତିଭୂମି, ଶିକ୍ଷକଙ୍କ ଯୋଗ୍ୟତା, ଫି ରାଶି ଧାର୍ଯ୍ୟ ଉପରେ ନିୟମ ଅଣାଯିବ । ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଏହା ପାଳନ କରାଯାଉଛି କି ନାହିଁ, ତା’ ପାଇଁ ନିୟମିତ ଯାଞ୍ଚ ବ୍ୟବସ୍ଥା ମଧ୍ୟ ହେବ ।ଏହି ଆଇନ ପାଇଁ ଏକ କମିଟି ଗଠନ କରାଯିବ।ଏହାର ତଦାରଖ ଓ ଉଲ୍ଲଂଘନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିମ ରହିବ।ଏଥିରେ ଦିଲ୍ଲୀ ସରକାର, ଅଗ୍ନିଶମ, ମହାନଗର ନିଗମ, କାର୍ଯ୍ୟକର୍ତ୍ତା ଏବଂ ଛାତ୍ର ସଦସ୍ୟ ମଧ୍ୟ ରହିବେ । ଏହି ଅଧିନିୟମ ଉପରେ ସାଧାରଣ ଲୋକ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମତ ମଧ୍ୟ ଗ୍ରହଣ କରିବ ଦିଲ୍ଲୀ ସରକାର । 


ତେଣୁ Coaching.law.feedback@gmail.com ଇମେଲ-ଆଇଡି  ରେ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ । ବିଲ୍‌ ପ୍ରସ୍ତୁତ କରିବା ପୂର୍ବରୁ ସରକାର ସମସ୍ତ ମତାମତକୁ ବିଚାର କରି ଆକ୍ଟର ରୂପରେଖା ପ୍ରସ୍ତୁତ କରିବେ। 


ଦିଲ୍ଲୀ ମେୟର ସୈଲୀ ଓବରଇ କହିଛନ୍ତିଯେ, ଆମେ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବୁ ଏବଂ ସେମାନଙ୍କ ସହ ଏକ ବୈଠକ କରିବୁ । ଏହା ପରେ ସେହି ଆଧାରରେ ପ୍ରସ୍ତୁତ ଆକ୍ଟକୁ ଦିଲ୍ଲୀ ବିଧାନସଭାରେ ପାରିତ କରିବୁ। କୋଚିଂ ସେଣ୍ଟରରେ କୌଣସି ପ୍ରକାର ଅବହେଳାକୁ ଛଡାଜିବନି। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ କୋଚିଂ ସେଣ୍ଟର ଉପରେ MCD ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ସେଗୁଡିକୁ ସିଲ କରାଯାଇଛି।