Mughal Garden renamed as Amrit Udyan: ଦେଶର ରାଜଧାନୀ ଦିଲ୍ଲୀରେ ମୋଗଲ ଶାସକଙ୍କ ପରିଚୟ ପ୍ରଦାନ କରୁଥିବା ସ୍ଥାନର ନାମ ବଦଳାଇବା ପ୍ରକ୍ରିୟା ଜାରି ରହିଛି। ଶନିବାର ଏହିକ୍ରମରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଭବନ ସ୍ଥିତ ବିଶ୍ୱ ପ୍ରସିଦ୍ଧ ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରିଛନ୍ତି। ମୋଗଲ ଗାର୍ଡେନ ବର୍ତ୍ତମାନ ଅମୃତ ଉଦ୍ୟାନ ନାମରେ ପରିଚିତ ହେବ। ଦେଶର ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ 'ଆଜାଦି କା ଅମୃତ ମହୋତ୍ସବ' ବିଷୟ ବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରି ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡେପୁଟି ପ୍ରେସ ସେକ୍ରେଟାରୀ ନବିକା ଗୁପ୍ତା ଶନିବାର ଏକ ବିବୃତ୍ତିରେ ଏହି ନୂତନ ନାମକରଣ ସମ୍ପର୍କରେ ଜଣାଇଛନ୍ତି। ଡେପୁଟି ପ୍ରେସ ସେକ୍ରେଟାରୀ କହିଛନ୍ତି ଯେ ଦେଶର ସ୍ୱାଧୀନତାର  ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ ଅବସରରେ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନର ସମସ୍ତ ଉଦ୍ୟାନକୁ ଅମୃତ ଉଦ୍ୟାନ ନାମରେ ସାଧାରଣ ନାଁ ଦେଇଛନ୍ତି।ରାଷ୍ଟ୍ରପତି ଅମୃତ ଉଦ୍ୟାନକୁ ୨୯ ଜାନୁଆରୀରେ ଉଦଘାଟନ କରିବେ। ଏହା ପରେ, ଏହି ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ୩୧ ଜାନୁୟାରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ୨ ମାସ ପାଇଁ ଖୋଲା ରହିବ।


ରାଷ୍ଟ୍ରପତି ଭବନ ପରିସରର ଅବସ୍ଥିତ ବଗିଚାର ନାଁ ହେଉଛି ମୋଗଲ ଗାର୍ଡେନ। ଯାହାର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ କରାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସହରର ଡିଜାଇନ ପ୍ରସ୍ତୁତ କରିଥିବା ସ୍ଥପତି ଏଡୱିନ୍ ଲୁଟିୟନଙ୍କ ଦ୍ୱାରା ରାଷ୍ଟ୍ରପତି ଭବନ ବଗିଚାର ଡିଜାଇନ୍ କରାଯାଇଥିଲା। ଏହି ବଗିଚାରେ ଛୋଟ କେନାଲ, ଫୁଲର କାର୍ପେଟ, ବିଭିନ୍ନ ପ୍ରକାର ଗଛ ଠାରୁ ଆରମ୍ଭ କରି ୩୩ ପ୍ରକାରର ଔଷଧୀୟ ବୃକ୍ଷ ସଂରକ୍ଷିତ କରାଯାଇଛି। ଏହାର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏଠାରେ ୧୩୫ ପ୍ରକାରରୁ ଅଧିକ କିସମର ଗୋଲାପ ଗଛ ରହିଛି। ଯାହା ମଧ୍ୟରେ ଲାଲ, ହଳଦିଆ, କଳା, ନୀଳ, ଧଳା, ବାଇଗଣୀ ଆଦି ରଙ୍ଗର ଗୋଲାପ ଗଛ ଅନ୍ତର୍ଭୂକ୍ତ ରହିଛି। ଏହି କାରଣରୁ ଭାରତର ରାଷ୍ଟ୍ରପତି ଭବନ ବଗିଚା ସମଗ୍ର ବିଶ୍ୱରେ ପ୍ରସିଦ୍ଧ।


ଲେଡି ହାର୍ଡିଙ୍ଗଙ୍କ ନିର୍ଦ୍ଦେଶରକ୍ରମେ ପ୍ରସ୍ତୁତ ମୋଗଲ ଗାର୍ଡେନ ମୋଗଲ ଶାସକଙ୍କ ଚାର୍ ବାଗ ଶୈଳୀରେ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରାୟ ୧୩ ଏକର ଜମିରେ ବ୍ୟାପିଥିବା ଏହି ଉଦ୍ୟାନର ଡିଜାଇନ ଛୋଟ ଏବଂ ବଡ ବଗିଚାକୁ ନେଇ ତିଆରି କରାଯାଇଛି। ଯେଉଁଥିରେ ଅନେକ ପ୍ରକାରର ପ୍ରଜାପତି ଦେଖାଯାଏ। ଏହା ମଧ୍ୟରେ ଦୁଇଟି ଛୋଟ ଛୋଟ କେନାଲ ଅଛି, ଯେଉଁଥିରେ ଗୋଟିଏ ପୂର୍ବରୁ ପଶ୍ଚିମ ଏବଂ ଅନ୍ୟଟି ଉତ୍ତରରୁ ଦକ୍ଷିଣ ଦିଗକୁ ପ୍ରବାହିତ ହେଉଛି। ମୋଗଲ, ପାର୍ସୀ ଏବଂ ବ୍ରିଟିଶ ଶୈଳୀର ଏକ ମିଶ୍ରଣ ରାଷ୍ଟ୍ରପତି ଭବନର ପଛରେ ନିର୍ମିତ ଏହି ଉଦ୍ୟାନରେ ଦେଖିବାକୁ ମିଳେ। ଏହା ୧୯୧୨ ମସିହାରୁ ୧୯୨୯ ମଧ୍ୟରେ ନିର୍ମିତ ହୋଇଥିଲା।


ବର୍ଷକୁ ଥରେ ୨ ମାସ ପାଇଁ ସାଧାରଣ ଲୋକଙ୍କ ପାଇଁ ଖୋଲିଥାଏ ରାଷ୍ଟ୍ରପତି ଭବନସ୍ଥିତ ମୋଗଲ ଗାର୍ଡେନ। ପ୍ରତିବର୍ଷ ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଏ। ଏଠାରେ ଜନସାଧାରଣଙ୍କୁ କୌଣସି ଦେୟ ବିନା ମାଗଣା ପ୍ରବେଶ ଅନୁମତି ଦିଆଯାଏ। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଭିଡ଼ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ବଗିଚାର ଫୁଲ ଦେଖିବା ପାଇଁ ଏକାଠି ହୋଇଥାନ୍ତି। ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନର ୩୫ ନମ୍ବର ଦ୍ୱାରରୁ ମୋଗଲ ଗାର୍ଡେନ ମଧ୍ୟରେ ପ୍ରବେଶ କରିବାର ଅନୁମତି ଦିଆଯାଏ।