କୃଷି ବିଲ ୨୦୨୦: ୧୫ ଦିନର ସଫଳ କୃଷକ ଆନ୍ଦୋଳନ ପଛରେ ଉନ୍ନତ ଜ୍ଞାନ କୌଶଳ!
ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ଆଦି ରାଜ୍ୟର ପ୍ରଦର୍ଶକାରୀ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ଦିନିକିଆ ଧର୍ମଘଟ କରିବେ।
ନୂଆଦିଲ୍ଲୀ: ଗତ ୧୫ ଦିନ ଧରି ଦିଲ୍ଲୀ ଉପକଣ୍ଠରେ ଚାଲୁ ରହିଥିବା କୃଷକ ଆନ୍ଦୋଳନର ସଫଳତାର ରହସ୍ୟ ହେଉଛି ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ। ନୂଆ କୃଷି ବିଲକୁ (Farm Bill 2020) ବିରୋଧ କରି ପ୍ରାୟ ୧୫ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (Delhi) ସୀମା ଠାରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ (Farmer Organisation) ଓ ରାଜନୈତିକ ଦଳ। ଚଳିତ ମାସ ୧୨ ତାରିଖ ଶନିବାର ଦେଶରେ ଥିବା ସମସ୍ତ ଟୋଲ ପ୍ଳାଜାକୁ ଖୋଲାଯିବ। ଡିସେମ୍ବର ୧୪ ସୋମବାର ଦେଶର ବଡ ବଡ ସହରରେ ଧାରଣା ପ୍ରଦର୍ଶନ କରାଯିବ। କେନ୍ଦ୍ର ସରକାର ତୁରନ୍ତ ଏହି ନୂତନ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି ଆନ୍ଦୋଳନରତ କୃଷକ।
ଆଗାମୀ ଦିନରେ ହେବାକୁ ଯାଉଥିବା ଆନ୍ଦୋଳନ ସମୟରେ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଟିକିରୀ ବର୍ଡର, ସିନ୍ଧୁ ବର୍ଡର, ଲୋନି ବର୍ଡର, ଗାଜିପୁର ବର୍ଡର, ଦିଲ୍ଲୀ-ନୋଏଡା ବର୍ଡର ଆଦିସ୍ଥାନକୁ ସିଲ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନ। ଦାବି ପୂରଣ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ୫ ଥର ଆଲୋଚନା ହୋଇସାରିବା ପରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ।
ଦିଲ୍ଲୀ ସୀମାରେ କୃଷି ବିଲ ବିରୁଦ୍ଧରେ ଧାରଣା ଦେଇଥିବା କୃଷକ ଏବେ ଟେକ୍ନୋଲୋଜି (Technology) ବ୍ୟବହାର କରି ଜାରି ରଖିଛନ୍ତି ସେମାନଙ୍କ ଆନ୍ଦୋଳନ। ଏଥିରେ ସେମାନଙ୍କୁ ବେଶ ସହାୟକ ହେଉଛି ଟ୍ରାକ୍ଟର (Tractor)। ଚାଷ କାମରେ ବ୍ୟବହୃତ ହେଉଥିବା ହେଉଥିବା ଟ୍ରାକ୍ଚର ଟ୍ରଲି (Tractor Tralley) ଏବେ ସେମାନେ ନିଜର ବାସସ୍ଥାନ ବନାଇ ସାରିଛନ୍ତି। ଏଥିରେ ଲାଗି ଥିବା ବ୍ୟାଟେରୀକୁ (Battery) ବ୍ୟବହାର କରି ସେମାନେ ନିଜ ମୋବାଇଲ ଫୋନ (Mobile) ଚାର୍ଜ କରିବା ସହ ଆନ୍ଦୋଳନ କରୁଥିବା ସ୍ଥାନରେ ଆଲୋକ ଜଳାଇବାରେ ବ୍ୟବହାର କରୁଛନ୍ତି। ଏପରରିକି ଆନ୍ଦୋଳନ କରୁଥିବା ସମୟରେ ସଡକକୁ ବନ୍ଦ ପାଇଁ ସେମାନେ ଟ୍ରାକ୍ଚର ବ୍ୟବହାର କରୁଛନ୍ତି।
ଆନ୍ଦୋଳକାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରୋଟି ମେକର (Roti Maker) ମଧ୍ୟ ପ୍ରଦର୍ଶନସ୍ଥଳୀକୁ ଅଣାଯାଇଛି। ଏହି ମେସିନ ଚାଷୀଙ୍କ ଭୋକ ମେଣ୍ଟାଇବା ପାଇଁ ପ୍ରତି ଘଣ୍ଟାରେ ଯୋଗାଇପାରେ ୨୦୦୦ରୁ ୬୦୦୦ ରୁଟି। ଚାଷୀ ମାନେ ମଧ୍ୟ ଖୁସି। ବିଲରେ ବସି ଘରୁ ଆସିଥିବା ଥଣ୍ଡା ରୁଟି ଖାଇବା ଅପେକ୍ଷା ଧାରଣାସ୍ଥଳୀର ଗରମାଗରମ ରୁଟି ସେମାନଙ୍କର ବେଶ ପସନ୍ଦ ହୋଇଛି। ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉଇଣ୍ଟର କିଟ ମଧ୍ୟ ପ୍ରଦାନ କରାଯାଉଛି।
ଏହା ବ୍ୟତୀତ, ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ କୃଷକ ଆନ୍ଦୋଳନର ବାର୍ତ୍ତା ପହଞ୍ଚାଇବା ଲାଗି ସଫଳ ଭାବରେ ବ୍ୟବହାର କରୁଛନ୍ତି ଆୟୋଜନକାରୀ।
କେନ୍ଦ୍ର ସରକାରଙ୍କ ପକ୍ଷରୁ MSP ପ୍ରତ୍ୟାହାର ନକରିବା ଲାଗି ଲିଖିତ ପ୍ରସ୍ତାବ ଦିଆଯିବା ପରେ ମଧ୍ୟ ପ୍ରଦର୍ଶନକାରୀ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଆନ୍ଦୋଳନକୁ ଆଗକୁ ଆହୁରି ଜୋରଦାର କରିବା ପାଇଁ ଘୋଷଣା କରିଛନ୍ତି ବିଭିନ୍ନ କୃଷକ ସଙ୍ଗଠନର ନେତା। ଏନଆରସି ଆନ୍ଦୋଳନ ମଡେଲରେ ଚାଲିଥିବା ଏହି ବିରାଟ କୃଷକ ଆନ୍ଦୋଳନରେ ମହିଳା ମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ସଂଶୋଧିତ ଲିଖିତ ପ୍ରସ୍ତାବକୁ କୃଷକ ନେତା ପ୍ରତ୍ୟାଖ୍ୟାନ କରିବା ସହିତ ସେମାନେ ଏମଏସପି ଗ୍ୟାରେଣ୍ଟି ଆଇନ (MSP Guarantee Act) ଲାଗୁ କରିବାକୁ ଜିଦ୍ ଧରିଛନ୍ତି। ଏପରିକି ଡିସେମ୍ବର ୧୪ ତାରିଖ ସୋମବାର ଦିନ ସମଗ୍ର ଦେଶରେ କୃଷି ଆଇନ ବିରୁଦ୍ଧରେ ଧାରଣ ପ୍ରଦର୍ଶନ କରିବାକୁ ସେମାନେ ଘୋଷଣା କରିଛନ୍ତି ।
Also Read: କୃଷକ ଆନ୍ଦୋଳନ: 'ଭାରତ ବନ୍ଦ' ସମର୍ଥନରେ କିଏ କିଏ?
କୃଷି ଆଇନ ବିରୁଦ୍ଧର ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆଗକୁ ଜାରି ରଖିବାକୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କୃଷକ ନେତା। ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ଆଦି ରାଜ୍ୟର ପ୍ରଦର୍ଶକାରୀ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ଦିନିକିଆ ଧର୍ମଘଟ କରିବେ ଏବଂ ଅନ୍ୟ ରାଜ୍ୟର କୃଷକ ଡିସେମ୍ବର ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣ ଦେବେ।