ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟବହ ଅଗ୍ନିକାଣ୍ଡ ଘଟିଛି। ଶନିବାର ସକାଳେ ରୋହିଣୀସ୍ଥିତ ବ୍ରହ୍ମ ଶକ୍ତି ହସ୍ପିଟାଲରେ ନିଆଁ ଲାଗିଥିଲା। ICUରେ ଅଗ୍ନିକାଣ୍ଡ ଯୋଗୁଁ ଜଣେ ରୋଗୀଙ୍କର ମୃତ ହୋଇଛି। ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ କରାଯାଇଥିବା ଦିଲ୍ଲୀ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ, ଅତୁଲ ଗର୍ଗ କହିଛନ୍ତି ଯେ, ରୋହିଣୀସ୍ଥିତ ବ୍ରହ୍ମ ଶକ୍ତି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ତୃତୀୟ ଆଇସିୟୁ ୱାର୍ଡରେ ନିଆଁ ଲାଗିଥିଲା। ୯ଟି ଦମକଳ ନିୟୋଜିତ ହୋଇ ନିଆଁକୁ ଆୟତ କରାଯାଇଛି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କିନ୍ତୁ ଭେଣ୍ଟିଲେଟରରେ ଥିବା ଜଣେ ରୋଗୀଙ୍କର ମୃତ୍ୟୁୟ ହୋଇଥିବା ସନ୍ଦେହ କରାଯାଉଛି।


Also Read: ନବରଙ୍ଗପୁରରେ ଫସିଲା କଳାହାଣ୍ଡି ମୁଣ୍ଡ, ୧୦ ଘଣ୍ଟାର ଅପରେସନ ପରେ ପଥର ସନ୍ଧିରୁ ନାବାଳକ ଉଦ୍ଧାର


ହସ୍ପିଟାଲର ଆଇସିୟୁ ୱାର୍ଡ ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସଟସର୍କିଟ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ରୋହିଣୀ ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କେଉଁ ପରିସ୍ଥିତିରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି, ସେ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଇନାହାନ୍ତି। 


 



ସୂଚନାଯୋଗ୍ୟ, ନିୟମିତ ଭାବେ ରାଜଧାନୀ ଦିଲ୍ଲୀରେ ଛୋଟ ବଡ ଅଗ୍ନିକାଣ୍ଡ ଘଟୁଛି। ଦୁଇ ଦିନ ତଳେ ଜାମିଆ ନଗର ମେଟ୍ରୋ ଷ୍ଟେସନ ନିକଟରେ ଏକ ବଡଧରଣର ଅଗ୍ନିକାଣ୍ଡ ଘଟି ଶତାଧିକ ଗାଡି ପୋଡି ଯାଇଥିଲା। ସଟସର୍କିଟ ଯୋଗୁଁ ଗୁରୁବାର ରାତିରେ ତିନୋଟି ଡିଟିସି ବସ ପାଉଁଶ ହୋଇଗଲା। ୧୩ ମେ'ରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳର ଏକ ଗୋଦାମରେ ନିଆଁ ଲାଗିଥିଲା। ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲେ। ଏବେ ମଧ୍ୟ ୧୬ ଜଣ ମୃତକଙ୍କ ପରିଚୟ ମିଳିପାରିନାହିଁ।