Pakistan Political Crisis: ଇସ୍ତଫା ଦେବେ ନାହିଁ ଇମ୍ରାନ ଖାନ, ସ୍ଥିତି ସମ୍ଭାଳିବା ପାଇଁ ରାଜରାସ୍ତାକୁ ଓହ୍ଲାଇଲା ସେନା
ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ପାକିସ୍ତାନୀ ସେନା ଟ୍ୟାଙ୍କ ସହ ବାୟୁସେନା ହେଲିକପ୍ଟର ରାଜଧାନୀ ଇସଲାମାବାଦ ରାସ୍ତାରେ ପେଟ୍ରୋଲିଂ କରିବା ଆରମ୍ଭ କରିଛି।
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଜାରି ରହିଥିବା ସଂକଟ ମଧ୍ୟରେ ଆସିଛି ଏକ ବଡ଼ ଖବର। ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ହେବା ପୂର୍ବରୁ କ୍ୟାବିନେଟ ବୈଠକ କରିଛନ୍ତି ଇମ୍ରାନ ଖାନ। ଏହି ବୈଠକ ଶେଷ ହେବା ପରେ ସେ କହିଛନ୍ତି ଯେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ।
ପାକିସ୍ତାନ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ହେବାକୁ ଥିବା ମତଦାନକୁ ସେ ସାମ୍ନା କରିବେ ବୋଲି କହିଛନ୍ତି ଇମ୍ରାନ ଖାନ। ଏହି ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବାଚସ୍ପତି ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇମ୍ରାନ ଖାନଙ୍କ ଘର ଏବଂ ସଂସଦରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି। ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପାକିସ୍ତାନ ସୁପ୍ରିମକୋର୍ଟ ଇସଲାମାବାଦ ହାଇକୋର୍ଟଙ୍କୁ ତୁରନ୍ତ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାତି ଅଧରେ ଖୋଲିଛି ପାକିସ୍ତାନ ସୁପ୍ରିମକୋର୍ଟ ଦ୍ୱାର। ସୁପ୍ରିମ କୋର୍ଟରେ ପହଞ୍ଚିଛନ୍ତି ମୁଖ୍ୟ ବିଚାରପତି। ସେନାମୁଖ୍ୟ ବାଜୱାଙ୍କ ପ୍ରସଙ୍ଗରେ ମୁହଁ ଖୋଲି ଇମ୍ରାନ ଖାନ କହିଛନ୍ତି ତାଙ୍କୁ ହଟାଇବା ମୋ ଲକ୍ଷ୍ୟ ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହେବ କି ଫାଶୀ? ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ଦଶା ଭୋଗିବେ କି ଇମ୍ରାନ ଖାନ? ପାକିସ୍ତାନରେ ରାଜନୈତିକ ଅସ୍ଥିରତା ନେଇ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆସ୍ଥା ଭୋଟ ନେଇ ପାକିସ୍ତାନ ସଂସଦରେ ଅଚଳାବସ୍ଥା ଦେଖାଯିବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ। କାରଣ ସେନା ଦ୍ୱାରା ସର୍ବଦା ନିୟନ୍ତ୍ରିତ ପାକିସ୍ତାନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆସ୍ଥା ଭୋଟ ପ୍ରସ୍ତାବକୁ ଏଡାଇଯାଇଛନ୍ତି ବାଚସ୍ପତି। ଏନେଇ ସେ କହିଛନ୍ତି ଯେ ସେ ଜେଲ୍ ଯାଇପାରନ୍ତି ହେଲେ କେବେ ଇମ୍ରାନ ଖାନଙ୍କୁ ଧୋକା ଦେବେ ନାହିଁ। ସେପଟେ ଇମ୍ରାନ ଖାନଙ୍କ ଗିରଫ ଦାବି ଜୋର ଧରିଛି।
ଅନ୍ୟପଟେ ପାକ୍ ସେନା ଏବେ ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛି। ରାଜଧାନୀ ଇସଲାମାବାଦ ଦରାସ୍ତା କବଜା କରିବା ସହ ଇମ୍ରାନ ଖାନଙ୍କ ବାସଭବନ ଘେରିଛି ପାକିସ୍ତାନୀ ସେନା। ଏପରିକି ଇମ୍ରାନ ଖାନଙ୍କ ବାସଭବନ ସମ୍ମୁଖରେ ସେନାର ୬ ଟ୍ୟାଙ୍କ ମୁତୟନ କରାଯାଇଛି। ଏହାସହ ଇସଲାମାବାଦର ବହୁ ଅଞ୍ଚଳ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି।
ପାକିସ୍ତାନୀ ସାମ୍ବାଦିକ ହାରୁନ୍ ଜାଞ୍ଜୁଆ ଇମ୍ରାନ ଖାନଙ୍କ ବାବଦରେ ଏକ ବଡ଼ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ତାଙ୍କୁ ଏକ ନିରାପଦ ସ୍ଥାନରେ ଛାଡିବା ପାଇଁ ପ୍ରସ୍ତୁତି ଚାଲିଛି। ସେ ଯଥା ଶୀଘ୍ର ଦେଶ ଛାଡିପାରନ୍ତି। ଅନ୍ୟପଟେ ରାଜନତିକ ବିଶ୍ଳେଷକ ଡ.ଅମଜାଦ ଆୟୁବ ମିର୍ଜା ଦାବି କରିଛନ୍ତି ପାକିସ୍ତାନୀ ସେନା ଟ୍ୟାଙ୍କ ଇସଲାମାବାଦ ରାଜରାସ୍ତାରେ ଚକ୍କର କାଟୁଛି। ଅନେକ ପ୍ରମୁଖ ସ୍ଥାନରେ ସେନା ନିୟୋଜିତ ହୋଇସାରିଛି।
ଦେଶରେ ଜାରି ରହିଥିବା ରାଜନୈତିକ ସଂକଟରେ ପ୍ରବେଶ କରିଛି ପାକିସ୍ତାନୀ ସେନା। ଜାତୀୟ ସଂସଦରେ ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। ଏହି ସମୟରେ ପାକିସ୍ତାନୀ ସେନା ଟ୍ୟାଙ୍କ ସହ ବାୟୁସେନା ହେଲିକପ୍ଟର ରାଜଧାନୀ ଇସଲାମାବାଦ ରାସ୍ତାରେ ପେଟ୍ରୋଲିଂ କରିବା ଆରମ୍ଭ କରିଛି।
Also Read: Pakistan National Assembly: ଅବିଶ୍ୱାସ ପ୍ରସ୍ତାବ ଉପରେ ରାତି ସାଢେ ୮ଟା ବେଳେ ହେବ ମତଦାନ
ବିରତି ପରେ ପୁନର୍ବାର ଆରମ୍ଭ ହୋଇଥିବା ସଂସଦ ପ୍ରକ୍ରିୟା ପୁଣିଥରେ ଉତ୍ତେଜନା ମଧ୍ୟରେ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ସମୟରେ, ଅନ୍ୟ ଏକ ବଡ ଖବର ହେଉଛି ଏହି ପ୍ରକ୍ରିୟା ରାତି ୧୦ଟାରୁ ଆରମ୍ଭ ହେବା ପରେ ଏହା ରାତି ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ।
ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ଅଶାନ୍ତି ଏବେ ଅଧିକ ବିପଜ୍ଜନକ ହୋଇଉଠିଛି। ସଂସଦର ବାଚସ୍ପତି ଏହା ମଧ୍ୟ କହିଛନ୍ତି ଯେ ସେ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ଅନୁଷ୍ଠିତ କରାଇବେ ନାହିଁ ଯଦି ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡେ।
ଜାତୀୟ ସଂସଦରେ ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ଇମ୍ରାନ ଖାନଙ୍କ ସହ ତାଙ୍କର ବନ୍ଧୁତା ଉପରେ ମତ ରଖି ବାଚସ୍ପତି ଅସାଦ କୈସର ଜାତୀୟ ସଂସଦରରେ ମତଦାନ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏନେଇ ସେ କହିଛନ୍ତି ଇମରାନ ଖାଙ୍କ ସହ ତାଙ୍କର ୩୦ ବର୍ଷର ସମ୍ପର୍କ ଥିବାରୁ ସେ ମତଦାନ ଅନୁଷ୍ଠିତ କରାଇବାକୁ ଅନୁମତି ଦେଇ ପାରିବେ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଇମ୍ରାନ ଖାନଙ୍କୁ ସହ ବିଶ୍ୱାସଘାତକତା କରିପାରିବେ ନାହିଁ।
ସରକାରକୁ ବଞ୍ଚାଇବାକୁ ହେଲେ ସଂସଦର ଇମ୍ରାନ ଖାନଙ୍କ ନେତୃତ୍ୱାଧିନ ପାକିସ୍ତାନ ତେହେରିକ ଇ ଇନସାଫ ଦଳକୁ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ତାଙ୍କ ପାଖରେ ୧୪୨ ସାଂସଦଙ୍କ ସମର୍ଥନ ରହିଛି। ନିକଟରେ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଭୁଲ ବୋଲି ଇମ୍ରାନ ଖାନଙ୍କୁ ଝଟକା ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ବର୍ତ୍ତମାନ କିଛି ଗଣମାଧ୍ୟମ ରିପୋର୍ଟ ଏହା ଦର୍ଶାଯାଇଛି ଯେ ଏହି ନିଷ୍ପତ୍ତି ଉପରେ ଏକ ସମୀକ୍ଷା ଆବେଦନ କରାଯାଇଛି।