ଭାରତର ସଫଳତା: ବାଘ ସଂଖ୍ୟା ବୃଦ୍ଧିରେ ନୂତନ ଗିନିଜ୍ ରେକର୍ଡ ସ୍ଥାପନ
ବାଘ ସଂରକ୍ଷଣ କ୍ଷେତ୍ରର ବିଶ୍ୱ,ସ୍ତରୀୟ ରେକର୍ଡ ସ୍ଥାପନ କରିଛି ଭାରତ ।
ନୂଆଦିଲ୍ଲୀ: ପରିବେଶ ସୁରକ୍ଷା କ୍ଷେତ୍ରରେ ପ୍ରାକୃତିକ ପରିବେଶରେ ରହୁଥିବା ବନ୍ୟା ପ୍ରାଣୀଙ୍କ ରହିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ବିଶେଶ ଭାବେ ଧ୍ୟାନ ଦିଆଯାଇଥାଏ । ଏ କ୍ଷେତ୍ରରେ ପାଦେ ଆଗେଇ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି ଭାରତ । ବାଘ ସଂଖ୍ୟା ବୃଦ୍ଧିରେ ଆନ୍ତର୍ଜାତୀୟ ସ୍ତରରେ ନୂତନ ଗିନିଜ୍ ରେକର୍ଡ ସ୍ଥାପନ କରିଛି ।
ଦେଶରେ ବିଭିନ୍ନ ପ୍ରାନ୍ତରେ ରହୁଥିବା ବାଘଙ୍କ ଗଣନା ଲାଗି କ୍ୟାମେରା ଟ୍ରାପ ବନ୍ୟଜନ୍ତୁ ସର୍ବେକ୍ଷଣ(camera-trap wildlife survey) କ୍ଷେତ୍ରରେ ରେକର୍ଡ କରିଛି ଭାରତ । ଜାତୀୟ ପଶୁଙ୍କ ସଂଖ୍ୟା ବଢାଇବା ଲାଗି କାର୍ଯ୍ୟକାରୀ କରାଯାଉଥିବା ଅଭିଯାନକୁ ସଫଳତା ମିଳିବା ସହ ବାଘ ସଂଖ୍ୟା ବୃଦ୍ଧିପାଇଛି ।
ଏହି ଖବରକୁ ଟ୍ୱିଟରରେ ସେୟାର କରି କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ବିଭାଗ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, "ବାଘ ସଂଖ୍ୟାକୁ ଦୁଇ ଗୁଣ ବଢାଇବା ଲାଗି ଯେଉଁ ଲକ୍ଷ୍ୟ ରଖା ଯାଇଥିଲା, ତାହା ଧାର୍ଯ୍ୟ ସମୟର ୪ ବର୍ଷ ପୂର୍ବରୁ ପୂରଣ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଙ୍କଳ୍ପ ସେ ସିଦ୍ଧି ଅଭିଯାନ ମାଧ୍ୟମରେ ବାଘ ସଂଖ୍ୟା ବଢାଇବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ଯାହା ବର୍ତ୍ତମାନ ପୂରଣ ହୋଇଛି। ସର୍ବ ବୃହତ କ୍ୟାମେରା ଟ୍ରାପ ୱାଇଲ୍ଡ ଲାଇଫ ସର୍ଭେ ମାଧ୍ୟମରେ ବାଘ ସଂଖ୍ୟା ବୃଦ୍ଧି କରିପାରେ ଗିନିଜ୍ ରେକର୍ଡ ସ୍ଥାପନ କରିଛି । ଏହା ଆମ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ଏବଂ ଆତ୍ମନିର୍ଭର ଭାରତର ଏକ ଉଜ୍ଜ୍ୱଳ ଉଦାହରଣ । "
ଗତବର୍ଷ ହୋଇଥିବା ବାଘ ଗଣନା ଅନୁସାରେ ୨୦୧୮ ପର୍ଯ୍ୟନ୍ତ ଦେଶରେ ସର୍ବମୋଟ ୨୯୬୭ ବାଘ ଥିବାର ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକରେ ଥିବାର ଜଣାପଡିଥିଲା । ବାଘ ଗଣନା ଲାଗି ୧୩୯ଟି ଗଣନା କେନ୍ଦ୍ରର ୨୬୭୬୦ ସ୍ଥାନରେ କ୍ୟାମେରା ଲଗାଯାଇଥିଲା । ଏହା ମାଧ୍ୟମରେ ପ୍ରାୟ ୩୫ ନିୟୁତ ଫଟୋ କଏଦ କରାଯାଇଥିଲା । ଯାହା ମଧ୍ୟରେ ବାଘଙ୍କ ୭୬ ୫୨୩ ଏବଂ ଚିତାବାଘଙ୍କ ୫୧,୩୩୭ ଫଟୋ ରହିଥିଲା।
ବାଘ ସଂଖ୍ୟା ବଢିଥିବା ନେଇ ସର୍ବ ପ୍ରଥମେ ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ରେ ଦେଶରେ ମୋଟ ୨୨୨୬ ବାଘ ଥିବା ବେଳେ, ଏହା ବର୍ତ୍ତମାନ ୨୯୬୭କୁ ବୃଦ୍ଧି ପାଇଛି। ପୂର୍ବାପେକ୍ଷା ବାଘ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଛି । ଭାରତରେ ବାଘ ସଂଖ୍ୟା ବୃଦ୍ଧି କେବଳ ରେକର୍ଡ ସୃଷ୍ଟ କରିନାହିଁ, ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତର ଉଦ୍ୟମକୁ ପ୍ରମାଣିତ କରିଛି।
ଭାରତ ବାଘଙ୍କ ପାଇଁ ସବୁଠାରୁ ସୁରକ୍ଷିତ ବାସସ୍ଥାନ ବୋଲି ଏହି ଜଣାପଡିଛି । ଦୁନିଆର ଯେକୌଣସି ସ୍ଥାନରେ କରାଯାଇଥିବା ସର୍ବ ବୃହତ ବନ୍ୟଜନ୍ତୁ ସର୍ବେକ୍ଷଣ କି ନୁହେଁ ତାହା ଜାଣିବା ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡକୁ ଏକ ଆବେଦନପତ୍ର ଭାରତ ପକ୍ଷରୁ ପଠାଯାଇଥିଲା ।