Modi Govt Education Reform: ବିଦେଶରେ ଅବସ୍ଥିତ ରହିଥିବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଠ ପଢିବା ପାଇଁ ଅନେକ ଭାରତୀୟ ଛାତ୍ରଙ୍କ ସ୍ୱପ୍ନ ରହିଥାଏ। ୟେଲ ୟୁନିଭରସିଟି, ଅକ୍ସଫୋର୍ଡ ୟୁନିଭରସିଟି, କେମ୍ବ୍ରିଜ ୟୁନିଭରସିଟି କିମ୍ବା ଷ୍ଟାନଫୋର୍ଡ ୟୁନିଭରସିଟି ଆଦି ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିବାକୁ ଅନେକ ଯୋଜନା କରିଥାନ୍ତି ଭାରତୀୟ ଛାତ୍ର। ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସ୍ୱପ୍ନ ଦେଖିଥିବା ଭାରତୀୟ ଛାତ୍ରଙ୍କ ଲାଗି ଆସିଛି ଏକ ଖୁସିଖବର।  ଏବେ ସ୍ୱଦେଶରେ ରହି ବିଦେଶୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିହେବ। ଆଉ ଏହି ସ୍ୱପ୍ନକୁ ପୂରଣ କରିବେ ମୋଦି ସରକାର।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଦେଶରେ ଉଚ୍ଚଶିକ୍ଷା ସଂସ୍କାର ଅଭିଯାନ ବର୍ତ୍ତମାନ ଏକ ନୂତନ ସ୍ତରରେ ପହଞ୍ଚିବାକୁ ଯାଉଛି। ସରକାର ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ ସେମାନଙ୍କର କ୍ୟାମ୍ପସ ଖୋଲିବାକୁ ଏବଂ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ପ୍ରଦାନ କରିବାକୁ ଅନୁମତି ଦେବାକୁ ଯାଉଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଏକ ଡ୍ରାଫ୍ଟ ବିଲ୍ ଉପସ୍ଥାପନ କରାଯାଇଛି। ଯେଉଁଥିରେ ଦେଶର ବିଦେଶୀ ବିଶ୍ୱବିଦ୍ୟାଳୟରେ ପ୍ରବେଶ ବାବଦରେ ଲୋକଙ୍କ ଠାରୁ ମତାମତ ନିଆଯାଇଛି।
 
ପୂର୍ବରୁ କେତେକ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ଡିଗ୍ରୀ ପ୍ରଦାନ କରି ଆସୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଡିଗ୍ରୀ ପ୍ରଦାନ ପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତୀୟ ଶିକ୍ଷାନୁଷ୍ଠାନ ସହ ସହଭାଗୀ ହେବାକୁ ପଡୁଛି। ଏହା ପରେ ଜଣେ ଛାତ୍ର ଭାରତୀୟ ଅନୁଷ୍ଠାନରେ ସେ ପଢୁଥିବା ପାଠ୍ୟକ୍ରମର କିଛି ଅଂଶ ଅଧ୍ୟୟନ କରୁଥିବା ବେଳେ, ବାକି ଅଂଶ ସମାପ୍ତ କରିବା ଲାଗି ତାଙ୍କୁ ବିଦେଶ ଯାଇ ବିଦେଶୀ ବିଶ୍ୱବିଦ୍ୟାଳୟ ପରିସରରେ ଅଧ୍ୟୟନ କରିବାକୁ ପଡୁଛି। ହେଲେ ବର୍ତ୍ତମାନ ଠାରୁ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କର ବିଦେଶୀ କ୍ୟାମ୍ପସ ସ୍ଥାପନ କରିପାରିବେ। କ୍ୟାମ୍ପସ ସ୍ଥାପନ ପାଇଁ ସେମାନଙ୍କୁ କୌଣସି ସ୍ଥାନୀୟ ସହଯୋଗୀଙ୍କ ସହ ସହଭାଗୀ ହେବାକୁ ପଡିବ ନାହିଁ।


ପ୍ରଥମ ଥର ପାଇଁ, ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ ସେମାନଙ୍କ କ୍ୟାମ୍ପସ୍ ସ୍ଥାପନ ଏବଂ ଏଠାରେ ଅଧ୍ୟୟନ ସହ ଡିଗ୍ରୀ ପ୍ରଦାନ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୟୁଜିସି ଡ୍ରାଫ୍ଟ ବିଲ୍ ଅନୁଯାୟୀ ବିଦେଶୀ ବିଶ୍ୱବିଦ୍ୟାଳୟର ସ୍ଥାନୀୟ କ୍ୟାମ୍ପସ୍ ଘରୋଇ ତଥା ବିଦେଶୀ ଛାତ୍ରଙ୍କ ପାଇଁ ଆଡମିଶନ ଯୋଗ୍ୟତା, ଫି ଏବଂ ଛାତ୍ରବୃତ୍ତି ସମ୍ବନ୍ଧୀୟ ନିୟମ ସ୍ଥିର କରିବାକୁ ସକ୍ଷମ ହେବେ। ଏହି ବିଶ୍ୱବିଦ୍ୟାଳୟକ ସେମାନଙ୍କର ଅଧ୍ୟାପକ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। ଅର୍ଥାତ ବିଦେଶୀ ବିଦ୍ୟାଳୟ କର୍ମଚାରୀ ନିଯୁକ୍ତି ମାମଲାରେ ସ୍ୱୟଂଶାସିତ ହେବେ। ଏହି କାର୍ଯ୍ୟରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ।


ମୋଦି ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏନେଇ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ପାଇଁ ଏକ ଡ୍ରାଫ୍ଟ ମଧ୍ୟ ଉପସ୍ଥାପନ କରିଥିଲେ। ଏହି ନୀତି ଅଧୀନରେ ଶିକ୍ଷା ସହ ଜଡିତ ଅନେକ ସଂସ୍କାର କରାଯାଉଛି। ବର୍ତ୍ତମାନ ଏହି ନୂତନ ଡ୍ରାଫ୍ଟ ମାଧ୍ୟମରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରସ୍ତୁତି ଚାଲିଛି। ଏହି ସଂସ୍କାର ଭାରତୀୟ ଛାତ୍ରଙ୍କୁ କମ୍ ମୂଲ୍ୟରେ ବିଦେଶୀ ଡିଗ୍ରୀ ହାସଲ କରିବାର ସୁଯୋଗ ପ୍ରଦାନ କରିବ। ଏହି ସଂସ୍କାର ଦ୍ୱାରା ଭାରତ ଶିକ୍ଷାକ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଧ୍ୟୟନ ସ୍ଥଳ ଭାବେ ଉଭା ହେବ। ଏହା ସହିତ ବିଦେଶୀ ଶିକ୍ଷାନୁଷ୍ଠାନ ମଧ୍ୟ ଭାରତୀୟ ଛାତ୍ରଙ୍କ ମଧ୍ୟରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବା ପାଇଁ ଏକ ସୁଯୋଗ ପାଇବେ।


ଭାରତରେ ଶିକ୍ଷା ସ୍ତରରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି। କାରଣ ଏଠାରେ ଶିକ୍ଷାର ସ୍ତର ବହୁତ ନିମ୍ନରେ ରହିଛି। ଗତ ବର୍ଷର ବୈଶ୍ୱିକ ଦକ୍ଷତା ପ୍ରତିଯୋଗୀତା ସୂଚକାଙ୍କ ତାଲିକାରେ ଭାରତ ବିଶ୍ୱର ୧୩୩ ଦେଶ ମଧ୍ୟରୁ ୧୦୧ ତମ ସ୍ଥାନରେ ରହିଛି। ପ୍ରତିଭା ଅଭିବୃଦ୍ଧି, ଆକର୍ଷଣ ଏବଂ ଧାରଣ ପାଇଁ ଏହି ସୂଚକାଙ୍କ ଏକ ମାନଦଣ୍ଡ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅନୁଦାନ ଆୟୋଗ ଅନୁମାନ କରୁଛି ଏହି ନୂତନ ସଂସ୍କାର ଭାରତୀୟ ଶିକ୍ଷା କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରିବାରେ ସହାୟକ ହେବ। କଲେଜ ପାଠ୍ୟକ୍ରମ ଏବଂ ଶିଳ୍ପର ପ୍ରକୃତ ଆବଶ୍ୟକତା ମଧ୍ୟରେ ଫାଟକୁ ଦୂର କରିବାରେ ମଧ୍ୟ ସହାୟକ ହେବ।


ୟୁଜିସି ଦ୍ୱାରା ଉପସ୍ଥାପିତ ହୋଇଥିବା ଡ୍ରାଫ୍ଟ ବିଲ୍ ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ପରାମର୍ଶ ଦେବା ପାଇଁ ଖୋଲା ରହିଛି। ସାଧାରଣ ଜନତାଙ୍କଠାରୁ ମିଳିଥିବା ପରାମର୍ଶ ଅନୁଯାୟୀ ୟୁଜିସି ଏଥିରେ ପରିବର୍ତ୍ତନ କରିବ। ଏହା ପରେ ଏହାକୁ ସଂସଦରେ ଚୂଡ଼ାନ୍ତ ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ସଂସଦରେ ଏହି ଆଇନ ଅନୁମୋଦନ ହେବା ପରେ ଦେଶରେ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ରାସ୍ତା ଖୋଲିଯିବ।