India Post: ଗ୍ରାହକଙ୍କୁ ଉନ୍ନତ ସେବା ଦେବା ପାଇଁ ଇଣ୍ଡିଆ ପୋଷ୍ଟ (India Post) ନୂଆ ଯୋଜନା କରୁଛି । ସରକାରୀ ସେବାକୁ ଲୋକଙ୍କ ଘର ପାଖରେ ପହଞ୍ଚାଇବା ପାଇଁ ଡାକବିଭାଗ (Post office) ବିଭିନ୍ନ ପ୍ରୋଜେକ୍ଟ ଓ ଟେକ୍ନୋଲୋଜି ଉପରେ କାର୍ଯ୍ୟ କରୁଛନ୍ତି । ଏଥିସହ ଇଣ୍ଡିଆ ପୋଷ୍ଟ ଚଳିତ ବର୍ଷ ୧୦,୦୦୦ ନୂତନ ଡାକଘର ଖୋଲିବାକୁ ଯୋଜନା କରୁଛି ।


COMMERCIAL BREAK
SCROLL TO CONTINUE READING

ପୋଷ୍ଟ ବିଭାଗର ସଚିବ ଅମନ ଶର୍ମା CII ସମ୍ମିଳନୀରେ କହିଛନ୍ତି ଯେ ଟେକ୍ନୋଲୋଜି ବ୍ୟବହାର କରି ଡାକଘରର ଆଧୁନିକୀକରଣ ପାଇଁ ସରକାର ବିଭାଗକୁ ୫,୨୦୦ କୋଟି ଟଙ୍କା ଦେଇଛନ୍ତି । ଶର୍ମା କହିଛନ୍ତି ଯେ ଆମେ ଗୁଜୁରାଟରେ ଡ୍ରୋନ୍ ମାଧ୍ୟମରେ ଡେଲିଭରି କରିଛୁ । ସେ କହିଛନ୍ତି ଯେ ୨୦୧୨ ରେ ଆରମ୍ଭ ହୋଇଥିବା ଆଇଟି ପ୍ରକଳ୍ପକୁ ଆଗକୁ ନେବାକୁ ସରକାର ଆମକୁ କହିଛନ୍ତି । ତାଙ୍କ କହିବାନୁସାରେ, ଦେଶରେ ଖୁବ ଶୀଘ୍ର ଡାକ ଓ ବିଭିନ୍ନ ସରକାରୀ ସେବା ଲୋକଙ୍କ ଘର ପାଖରେ ପହଞ୍ଚାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଲୋକଙ୍କୁ ଡାକଘରକୁ ଆସିବାର ଆବଶ୍ୟକତା ପଡିବ ନାହିଁ । ଟେକ୍ନୋଲୋଜିର ସାହାଯ୍ୟରେ ସେବାଗୁଡିକ ସେମାନଙ୍କ ଘର ଦ୍ୱାରରେ ପହଞ୍ଚାଯିବ ।


ଏହା ବ୍ୟତୀତ ଡିଜିଟାଲ ରୂପାନ୍ତର ଆଗକୁ ବଢିବ ବୋଲି ଶର୍ମା କହିଛନ୍ତି । ସେ କହିଛନ୍ତି ଯେ ଆଇଟି ବ୍ୟବହାର କରୁଥିବା ନାଗରିକମାନଙ୍କୁ ସେବା ଯୋଗାଇବା ପାଇଁ ସରକାର ବହୁତ ଉତ୍ସାହିତ ଅଛନ୍ତି ଓ ଏହା ଉପରେ କାର୍ଯ୍ୟ କରୁଛନ୍ତି । ଶର୍ମାଙ୍କ ଅନୁଯାୟୀ, ମହାମାରୀ ସମୟରେ ଇଣ୍ଡିଆ ପୋଷ୍ଟ ୨୦,୦୦୦ କୋଟିରୁ ଅଧିକ ଟଙ୍କା ଘରକୁ ପଠାଇଛି ।


ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସରକାର ଆମକୁ ଆମର ସମ୍ପ୍ରସାରଣ ଓ ଅଧିକ ଡାକଘର ଖୋଲିବାକୁ କହୁଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ୧୦,୦୦୦ ଅଧିକ ଡାକଘର ଖୋଲିବାକୁ ଆମକୁ ଅନୁମତି ମିଳିଛି । ସରକାର ଚାହୁଁଛନ୍ତି ଯେ ଲୋକଙ୍କୁ ଘରୁ ୫ କିଲୋମିଟର ଦୂରତାରେ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବା ଯୋଗାଇ ଦିଆଯାଉ । ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଭାରତରେ ମୋଟ ଡାକଘର ସଂଖ୍ୟା ପ୍ରାୟ ୧.୭ ଲକ୍ଷକୁ ନେଇ ୧୦,୦୦୦ ନୂତନ ଡାକଘର ଖୋଲାଯିବ ।


ଇଣ୍ଡିଆ ପୋଷ୍ଟ ଡାକ ବିତରଣ, ଛୋଟ ସଞ୍ଚୟ ଯୋଜନା ଅଧୀନରେ ଜମା ଗ୍ରହଣ, ଡାକ ଜୀବନ ବୀମା (PLI), ଗ୍ରାମୀଣ ଡାକ ଜୀବନ ବୀମା (RPLI), ବିଲ୍ ସଂଗ୍ରହ, ଫର୍ମ ବିକ୍ରୟ ଇତ୍ୟାଦି ସେବା ଯୋଗାଏ । ଇଣ୍ଡିଆ ପୋଷ୍ଟ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡ଼ିକ ହେଉଛି ପୋଷ୍ଟ ଅଫିସ୍ ସେଭିଂ ଆକାଉଣ୍ଟ୍, ଜାତୀୟ ସଞ୍ଚୟ ସମୟ ଜମା ଖାତା, ଜାତୀୟ ସଞ୍ଚୟ ମାସିକ ଆୟ ଆକାଉଣ୍ଟ୍, ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ ଆକାଉଣ୍ଟ୍, ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଆକାଉଣ୍ଟ୍, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍, ଜାତୀୟ ସଞ୍ଚୟ ପ୍ରମାଣପତ୍ର ଓ କିସାନ ବିକାଶ ପାତ୍ର ।


ଏହା ବି ପଢ଼ନ୍ତୁ: Bank Holidays: ସେପ୍ଟେମ୍ବରରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖିନିଅନ୍ତୁ ପୂରା ଲିଷ୍ଟ