Most Polluted Rivers of India: ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶ ପାଇଥିଲା ଦେଶର ସର୍ବାଧିକ ପ୍ରଦୂଷିତ ନଦୀର ତାଲିକା। ଦେଶର ଦୁଇ ପ୍ରମୁଖ ନଦୀ ଗଙ୍ଗା ଏବଂ ଯମୁନା ପ୍ରଦୂଷଣ ପ୍ରସଙ୍ଗ କ୍ରମାଗତ ଭାବରେ ଉଠିବାରେ ଲାଗିଛି। ବିଗତ କିଛି ବର୍ଷ ମଧ୍ୟରେ ସରକାର ଏହି ନଦୀ ଦ୍ୱୟକୁ ସଫା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ହେଲେ କ'ଣ ଆପଣ ଜାଣଛନ୍ତି ଦେଶର ସର୍ବାଧିକ ପ୍ରଦୂଷିତ ନଦୀ କିଏ? 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Central Pollution Control Board) ସିପିସିବି (CPCB) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଜରିଆରେ ଏହି ତଥ୍ୟ ମିଳିଛି। ଏହି ରିପୋର୍ଟ ଅନୁଯାୟୀ ତାମିଲନାଡୁ ରାଜଧାନୀ ଚେନ୍ନାଇସ୍ଥିତ କୁମ୍ ନଦୀ ଦେଶର ସବୁଠାରୁ ପ୍ରଦୂଷିତ ନଦୀ ଭାବେ ଘୋଷିତ ହୋଇଛି। ରିପୋର୍ଟ ଅନୁଯାୟୀ, ଅୱାଡୀ ଠାରୁ ସତ୍ୟ ନଗର ମଧ୍ୟରେ ଥିବା ନଦୀରେ ବାୟୋମେଡିକାଲ୍ ଅମ୍ଳଜାନ ଡିମାଣ୍ଡ (Biological Oxygen Demand) ବିଓଡି (BOD) ଲିଟର ପିଛା ୩୪୫ ମିଲିଗ୍ରାମ ରହିଛି। ଯାହା ଦେଶର ୬୦୩ ନଦୀ ମଧ୍ୟରେ ସର୍ବାଧିକ ରହିଛି।


ସେହିପରି ଗୁଜୁରାଟସ୍ଥିତ ସାବରମତୀ ନଦୀ ଲିଟର ପିଛା ୨୯୨ ମିଲିଗ୍ରାମ ବିଓଡି ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, ଉତ୍ତରପ୍ରଦେଶର ବାହେଲା ଲିଟର ପିଛା ୨୮୭ ମିଲିଗ୍ରାମ ବିଓଡ଼ି ସର୍ବାଧିକ ପ୍ରଦୂଷିତ ନଦୀ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ସିପିସିବି ରିପୋର୍ଟ ଜରିଆରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଗତ ୪ ବର୍ଷ ମଧ୍ୟରେ ତାମିଲନାଡୁରେ ପ୍ରଦୂଷିତ ନଦୀ ସଂଖ୍ୟା ବୃଦ୍ଧି ପାଇଛି। ସିପିସିବି ରିପୋର୍ଟ ଜରିଆରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଗତ ୨୦୧୯ ବର୍ଷରୁ ୨୦୨୧ ମଧ୍ୟରେ ତାମିଲନାଡୁର ୭୩ ସ୍ଥାନରେ ୧୨ ନଦୀ ଜଳର ଗୁଣବତ୍ତା ଉପରେ ନଜର ରଖାଯାଇଥିଲା। ଏନେଇ କୁହାଯାଇଛି ଯେ ୧୦ ନଦୀର ୫୩ ସ୍ଥାନରେ ବିଓଡି ନିର୍ଦ୍ଧାରିତ ଜଳ ଗୁଣବତ୍ତା ନିୟମ ପାଳନ କରୁନଥିବା ଜଣାପଡିଛି।


ତାମିଲନାଡୁର ଅଡ୍ୟାର, ଅମରାବତୀ, ଭବାନୀ, କାବେରୀ, କୁମ୍, ପଲାର, ସରବଙ୍ଗା, ତାମରୈବରାନି, ବଶିଷ୍ଠ ଏବଂ ତିରୁମନିମୁଥାର ୧୦ ନଦୀରେ ବିଓଡି ମାନଦଣ୍ଡ ପାଳନ କରାଯାଇ ନାହିଁ। ବିଗତ କିଛି ବର୍ଷ ଧରି ତାମରୈବରାନି ଏବଂ କୁମ୍ ନଦୀର ପ୍ରଦୂଷଣକୁ ନେଇ ପରିବେଶବିତ୍ ତଥା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇ ଆସୁଛି।


କୁମ୍ ନଦୀ ଦେଶର ସବୁଠାରୁ ପ୍ରଦୂଷିତ ନଦୀ ଭାବେ ପରିଣତ ହୋଇଥିଲେ ମଧ୍ୟ ଏହାକୁ ପରିଷ୍କାର କରିବା ପାଇଁ ବର୍ତ୍ତମାନର ସରକାର ପଦକ୍ଷେପ ନେଇଛନ୍ତି। ସରକାର ନଦୀ କୂଳରେ ପ୍ରାୟ ୮୦ ପ୍ରତିଶତ ଅତିକ୍ରମଣ ହଟାଇ  ଦେଇଛନ୍ତି। ଚେଟପେଟ, ଏଗମୋର୍, ନୁଙ୍ଗମବକ୍କମ୍ ଏବଂ ଲ୍ୟାଙ୍ଗସ୍ ଗାର୍ଡେନ ଠାରେ ତିନୋଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିଛନ୍ତି। ଏହି ନଦୀରେ ଅପରିଷ୍କାର ଜଳ ନିଷ୍କାସନ ବନ୍ଦ କରିବା ଉପରେ ଧ୍ୟାନ ଦେଇଛନ୍ତି ସରକାର। ପ୍ରଦୂଷିତ ଜଳର ଜୈବିକ ଉପଚାର କରାଯିବ। ଏହାର ଗୁଣବତ୍ତା ଉନ୍ନତି ପାଇଁ ସେଡେମେଣ୍ଟେସନ୍ ଏବଂ ଫିଲଟରେସନ୍ କରାଯିବ। ଏହା ପରେ କୀଟାଣୁସୋଧନ ପାଇଁ ପାଣିକୁ କ୍ଲୋରାଇନ୍ଯୁକ୍ତ  କରାଯିବ। ଯାହା ଫଳରେ ନଦୀ ଜଳ ବଗିଚା କାମ ଏବଂ ଅଣ-ପାନୀୟ ଉଦ୍ଦେଶ୍ୟ ପାଇଁ ପ୍ରସ୍ତୁତ କରାଯାଇ ପାରିବ।