Monument Missing in India: ଟଙ୍କା ପଇସା କିମ୍ବା ଧନ ରତ୍ନ ଅଥବା କୌଣସି ଦୁର୍ମୂଲ୍ୟ ପଦାର୍ଥ ଚୋରି ହୋଇଯାଇଥିବାର ଖବର ଆପଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି ଐତିହାସିକ ସ୍ମାରକ ଚୋରି ହୋଇଯିବା କଥା। ଆପଣ ହୁଏତ ଐତିହାସିକ ମୂର୍ତ୍ତି ଅଥବା କୀର୍ତ୍ତିରାଜି ଚୋରି ହୋଇଯାଇଥିବା କଥା ଶୁଣିଥିବେ।  ହେଲେ କେବେ ସ୍ମାରକ ଚୋରି ହୋଇଯାଇଥିବାର ଖବର ଶୁଣିନଥିବେ।


COMMERCIAL BREAK
SCROLL TO CONTINUE READING

ସଦ୍ୟ ଏହି ପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ (Ministry of Culture) ଯେଉଁ ବୟାନ ଦେଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାରତ ସରକାରଙ୍କ (Govt of India) ଦ୍ୱାରା ସଂରକ୍ଷିତ ପ୍ରାୟ ୫୦ ସ୍ମାରକୀ ଦେଶରୁ (Monument Missing in India) ନିଖୋଜ ହୋଇଯାଇଛି। ଏହି ଘଟଣା ସମ୍ପର୍କରେ ସଂସଦକୁ ଅବଗତ କରିଛି ସଂସ୍କୃତି ମନ୍ତ୍ରଣାଳୟ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। 


ସଂସ୍କୃତି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶର ୩୬୯୩ ସ୍ମାରକୀ (Monument) ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ସଂରକ୍ଷିତ ତାହା ମଧ୍ୟରୁ ୫୦ ସ୍ମାରକୀ ଦେଶରୁ ନିଖୋଜ ହୋଇଯାଇଛି। ଗତ ୮ ଡିସେମ୍ବରରେ ମନ୍ତ୍ରଣାଳୟ କହିଥିଲା, ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଯେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archeological Survey of India) ଦ୍ୱାରା ସଂରକ୍ଷିତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ମାରକ ଗାଏବ ହୋଇଯାଇଛି। ସହରୀକରଣ, ଜଳଭଣ୍ଡାର ଏବଂ ଡ୍ୟାମ ଜଳରେ ବୁଡ଼ିଯିବା କାରଣରୁ ଏହି ସ୍ମାରକ ହଜିଯାଇଛି। ଏହା ସହିତ ସ୍ଥାନ ଉପଲବ୍ଧ ନହେବା ଏବଂ ଘଞ୍ଚ ଜଙ୍ଗଲରେ ସେଗୁଡିକ ଖୋଜି ପାଇବାରେ ସକ୍ଷମ ନ ହେବା କାରଣରୁ ଅନ୍ୟ କିଛି ସ୍ମାରକ ଗାଏବ ହୋଇଯାଇଛି। 


ଗାଏବ ହୋଇଯାଇଥିବା ସ୍ମାରକୀ ମଧ୍ୟରୁ ୧୧ ସ୍ମାରକୀ ଉତ୍ତର ପ୍ରଦେଶର ରହିଛି। ଏହା ବ୍ୟତୀ ଦିଲ୍ଲୀ ଏବଂ ହରିୟାଣାର ଦୁଇଟି ସ୍ମାରକୀ ନିଖୋଜ ତାଲିକାରେ ରହିଛି। ଏହା ବ୍ୟତୀତ ଆସାମ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟ ସ୍ମାରକ ଗାଏବ ହୋଇଯାଇଥିବା ତାଲିକାରେ ଅନ୍ତର୍ଭୂକ୍ତ ରହିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅନୁଯାୟୀ ଦେଶରେ ଦ୍ରୁତ ସହରୀକରଣ ହେତୁ ପ୍ରାୟ ୧୪ ସ୍ମାରକୀ ହଜିଯାଇଛି। ଏହା ସହିତ, ଜଳଭଣ୍ଡାର କିମ୍ବା ବନ୍ଧ କାରଣରୁ ୧୨ ସ୍ମାରକୀ ପାଣିରେ ବୁଡ଼ିଯାଇଛନ୍ତି। ବାକି ୨୪ ସ୍ମାରକୀ ରହିଥିବା ସ୍ଥାନକୁ ଖୋଜିବା ଅସମ୍ଭବ ହୋଇପଡ଼ିଛି। 


ଏନେଇ ଅଧିକାରୀଙ୍କ କହିବା କଥା ନିଖୋଜ ସ୍ମାରକୀ ମଧ୍ୟରୁ ଅନେକ ଶିଳାଲେଖା ସହିତ ଜଡିତ, ଯାହାର କୌଣସି ସ୍ଥିର ଠିକଣା ନାହିଁ। ଏହା ସ୍ଥାନାନ୍ତରିତ ହୋଇଥାଇପାରେ କିମ୍ବା ନଷ୍ଟ ହୋଇ ଯାଇ ଥାଇପାରେ। ଏଭଳି ସ୍ମାରକୀକୁ ଖୋଜିବା କଷ୍ଟକର ବ୍ୟାପାର। ଗତ ୧୯୩୦, ୧୯୪୦, ୧୯୫୦ ଦଶକରେ ଦେଶରେ ବହୁ ସଂଖ୍ୟକ ସଂରକ୍ଷିତ ସ୍ମାରକ ଚିହ୍ନଟ କରାଯାଇଥିଲା। ଦେଶ ସ୍ୱାଧୀନ ହେବାର ପ୍ରଥମ ଦଶନ୍ଧି ପରେ ଏହାକୁ ସଂରକ୍ଷଣ କରିବା ପରିବର୍ତ୍ତେ ନୂତନ ସ୍ମାରକ ଆବିଷ୍କାର ଉପରେ ଧ୍ୟାନ ଦିଆଯାଇଥିଲା।
 
ଦେଶ ସ୍ୱାଧୀନତା ପରବର୍ତ୍ତୀ ସରକାରଙ୍କ ପ୍ରାଥମିକତା ସ୍ୱାସ୍ଥ୍ୟ ଏବଂ ବିକାଶ ଉପରେ ଥିଲା। ଏଥିପାଇଁ ଐତିହ୍ୟକୁ ଅଣଦେଖା କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଯତ୍ନର ଅଭାବ ହେତୁ ବଡ଼ ଏବଂ ଛୋଟ ସ୍ମାରକ ବିଲୁପ୍ତ ହେବାକୁ ଯାଉଛି। ଗତ ୨୦୧୩ ବର୍ଷରେ ନିୟନ୍ତ୍ରକ ଏବଂ ମହାଲେଖ ପରୀକ୍ଷକ ଦେଶର ୯୨ ସ୍ମାରକକ ନିଖୋଜ ଘୋଷଣା କରିଥିଲେ। ସଂସଦୀୟ ସମିତି କହିଛି ଯେ ନିୟନ୍ତ୍ରକ ଏବଂ ମହାଲେଖ ପରୀକ୍ଷକଙ୍କ ଦ୍ୱାରା ନିଖୋଜ ଘୋଷିତ ୯୨ ସ୍ମାରକ ମଧ୍ୟରୁ ୪୨ ସ୍ମାରକକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କରାଯାଇଥିବା ପ୍ରୟାସ କାରଣରୁ ଚିହ୍ନଟ ହୋଇଛି। ହେଲେ ବାକି ସ୍ମାରକ ନିଖୋଜ ରହିଛି।